ଯୁକ୍ତ୨ ନାମଲେଖା ପ୍ରକ୍ରିୟା ଆରମ୍ଭ: ପ୍ରଥମ ଦିନରେ ୧୧ ହଜାର ଆବେଦନ

0 172

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ଗୁଡ଼ିକରେ ନାମଲେଖା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ, ସେଲ୍ଫ ଫାଇନାନ୍ସିଂ, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ‘www.samsodisha.gov.in’ ମାଧ୍ୟମରେ ପ୍ରଥମ ଦିନରେ ୧୧ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଜୁନ୍‌ ୧୬ ପର୍ଯ୍ୟନ୍ତ ଏହି ଆବେଦନ ପ୍ରକ୍ରୟା ଜାରି ରହିବ। ୧୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ଡକ୍ୟୁମେଣ୍ଟ ସହ ନିର୍ଧାରିତ ଫି’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହୋଇଥିବା ସାମ୍‌ସ ସେଣ୍ଟର୍‌ରେ ଦାଖଲ କରିହେବ। ଜୁନ୍‌ ୨୩ରେ ପ୍ରଥମ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍‌ ୨୫ରୁ ୨୮ ମଧ୍ୟରେ ସମ୍ପୃକ୍ତ କଲେଜରେ ନାମ ଲେଖାଇ ପାରିବେ।

ଜୁନ୍‌ ୨୩ରେ ପ୍ରଥମ ପର୍ଯ୍ୟାୟ ମେଧାବୀ ତାଲିକା
ଖୋଲିଲା ଇ-ନାମଲେଖା ହେଲ୍‌ପ ଡେକ୍ସ
ଗତବର୍ଷ କଟ୍‌ ଅଫ୍‌ ମାର୍କ ଉପରେ ନଜର

ଜୁଲାଇ ୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ଏଥିପାଇଁ ଜୁଲାଇ ୪ରୁ ୬ ମଧ୍ୟରେ ନାମଲେଖା କରାଯିବ। ଜୁଲାଇ ୧୧ରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀ ଜୁନ୍‌ ୧୩ ତାରିଖ ଅପରାହ୍ନ ୨ଟା ସୁଦ୍ଧା ମିଳିଥିବା ବିଦ୍ୟାଳୟରେ ନାମ ପଞ୍ଜୀକରଣ କରିବେ। ସେହିଦିନ ଅପରାହ୍ନ ୩ଟାରେ ତାଲିକା ପ୍ରକାଶ କରାଯିବା ସହ ଜୁଲାଇ ୧୫ରୁ ୧୭ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୯ରୁ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।ଏଥର ବି କେବଳ ଅନ୍‌ଲାଇନ୍‌ରେ ନାମଲେଖା ହେବ। ଛାତ୍ରଛାତ୍ରୀଙ୍କର କୌଣସି ପ୍ରକାର ଅସୁବିଧା ପାଇଁ ଇ-ନାମଲେଖା ହେଲ୍‌ପ ଡେକ୍ସ (ଟୋଲ୍‌ ଫି ନମ୍ବର ୧୫୫୩୩୫, ୧୮୦୦-୩୪୫-୬୭୭୦) ଖୋଲାଯାଇଛି। କମନ୍‌ ଆପ୍ଲିକେସନ ଫର୍ମ (ସିଏଏଫ୍‌) ପୂରଣ କରିବା ପୂର୍ବରୁ କମନ୍‌ ପ୍ରସ୍‌ପେକ୍‌ଟସ୍‌କୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦିଆଯାଇଛି।

ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କୁ କଟ୍‌ ଅଫ୍‌ ମାର୍କ ଉପରେ ଧ୍ୟାନ ଦେବାକୁ ହେବ। ଗତବର୍ଷ କଳା ବିଭାଗ କଟ୍‌ ଅଫ୍‌ ମାର୍କରେ ସବୁଠାରୁ ଆଗରେ ରହିଥିଲା ନରସିଂହପୁର ଜୁନିଅର କଲେଜ (୭୯.୧୭%)। ସେହିପରି କୃଷ୍ଣଚନ୍ଦ୍ର ପିପିଲି ଜୁନିଅର କଲେଜ (ଜଗାଇ) (୭୮.୮୩%), ମୋହନ ସୁବୁଦ୍ଧି ଜୁନିଅର କଲେଜ (ବଡ଼ମ୍ବା)(୭୮.୬୭%), ଓଲମରା ସୀମାନ୍ତ ମହାବିଦ୍ୟାଳୟ (୭୭%), କାନପୁର ଆଞ୍ଚଳିକ ମହାବିଦ୍ୟାଳୟ (୭୬%), ବିଜେବି ଜୁନିଅର କଲେଜ (୭୫.୩୩%), ଫକୀରମୋହନ ଜୁନିଅର କଲେଜ (୭୪%), ରେଭେନ୍ସା ଜୁନିଅର କଲେଜ (୭୩.୬୭%), ଶୈଳବାଳା ଜୁନିଅର କଲେଜ (୭୨.୮୩%), ରମାଦେବୀ ଜୁନିଅର କଲେଜ (୭୧.୬୭%), ରାଜଧାନୀ ଜୁନିଅର କଲେଜ (୭୦.୩୦%), ଜିଏମ୍‌ କଲେଜ (୬୮%) ଓ ଖଲିକୋଟ ଜୁନିଅର କଲେଜ (୬୩%)।

ବିଜ୍ଞାନ ବିଭାଗରେ ରେଭେନ୍ସା ଜୁନିଅର କଲେଜ (୯୩.୧୭%) ଆଗରେ ଥିବା ବେଳେ ବିଜେବି ଜୁନିଅର କଲେଜ (୯୨.୬୭%), ସରସ୍ୱତୀ ବିଦ୍ୟା ମନ୍ଦିର, ନୀଳକଣ୍ଠନଗର (୯୧.୨୦%), ବେସିକ୍‌ ସାଇନ୍ସ କଲେଜ (୯୦%), ଜେକେବିକେ କଲେଜ (୮୮.୩୩%), ଖଲିକୋଟ ଜୁନିଅର କଲେଜ (୮୭.୬୭%), ଶୈଳବାଳା ଜୁନିଅର କଲେଜ (୮୬.୩୩%), ରମାଦେବୀ ଜୁନିଅର କଲେଜ (୮୫.୫୦%), ଷ୍ଟିଓ୍ଵାର୍ଟ ବିଜ୍ଞାନ କଲେଜ (୮୫.୫୦%), ରାଜଧାନୀ ଜୁନିଅର କଲେଜ (୮୪.୬୭%) ଓ ଜିଏମ୍‌ କଲେଜ (୮୪.୬୭%) ରହିଥିଲା।
ସେହିପରି ବାଣିଜ୍ୟ ବିଭାଗରେ ବିଜେବି ଜୁନିଅର କଲେଜ (୮୩.୬୦%), ରେଭେନ୍ସା ଜୁନିଅର କଲେଜ (୮୦.୬୭%), ଶୈଳବାଳା ଜୁନିଅର କଲେଜ (୭୭%), ରାଜଧାନୀ ଜୁନିଅର କଲେଜ (୭୬%), ଜେକେବିକେ କଲେଜ (୭୩%), ମହର୍ଷି ଜୁନିଅର କଲେଜ (୭୨%), ରମାଦେବୀ ଜୁନିଅର କଲେଜ (୭୧.୩୩%), ଜିଏମ୍‌ କଲେଜ (୭୧.୫୦%), ଖଲିକୋଟ ଜୁନିଅର କଲେଜ (୬୮.୪୦%) ମାର୍କ ରହିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.