ଯୁକ୍ତ୨ କଳା ଓ ବାଣିଜ୍ୟ ଫଳ କେବେ?
ଖାତା ଦେଖାରେ ବିଭ୍ରାଟ ହୋଇଛି: ଗଣଶିକ୍ଷା ମନ୍ତ୍ରୀ, କୌଣସି ବିଭ୍ରାଟ ହୋଇନି: ପରିଷଦ
ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷା ପରିଚାଳନା ଓ ଖାତା ଦେଖାରେ ବିଭ୍ରାଟ ହୋଇଛି। ଏଥିସହ ମାନୁଆଲ ଏଣ୍ଟ୍ରି ହେଉଥିବାରୁ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବ। ଗତବର୍ଷ ମେ’ ୩୦ରେ ଫଳ ପ୍ରକାଶ ପାଇଥିଲା। ଏଥର ୫ରୁ ୭ ଦିନ ବିଳମ୍ବରେ ପରୀକ୍ଷା ଫଳ ପ୍ରକାଶ ପାଇବ। ତେଣୁ ଛାତ୍ରଛାତ୍ରୀମାନେ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଆଜି ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ନେଇ ମୁଣ୍ଡ ଟେକିଛି ବିବାଦ। ଗୋଟିଏ ପଟେ ଯୁକ୍ତ୨ ମୂଲ୍ୟାୟନ ଠିକ୍ ଭାବେ ହୋଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତୃପକ୍ଷ କହୁଥିବା ବେଳେ ଅନ୍ୟପଟେ କେଉଁ ଆଧାରରେ ମନ୍ତ୍ରୀ ଏହା କହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଖାତା ମୂଲ୍ୟାୟନ ଆରମ୍ଭ ହେବା ଦିନରେ ଅଧ୍ୟାପକମାନେ ସହଯୋଗ କରି ନ ଥିଲେ। ତେଣୁ ଖାତା ମୂଲ୍ୟାୟନ ବିଳମ୍ବରେ ସରିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଯେଉଁଥିପାଇଁ ପରିଷଦ କର୍ତୃପକ୍ଷ କହି ଆସୁଛନ୍ତି ଯେ ଜୁନ୍ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ। ଏପରିକି ବିଜ୍ଞାନ ବିଭାଗ ରେଜଲ୍ଟ ପ୍ରକାଶ ପାଇବା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମଧ୍ୟ ସମାନ ଉତ୍ତର ରଖିଥିଲେ। ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ପରିଷଦ ଓ ବିଭାଗୀୟ ସଚିବ ଗୋଟିଏ କଥା କହୁଥିବା ବେଳେ କେଉଁ ଆଧାରରେ ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଦୁଇ ସପ୍ତାହ ଆଗରୁ କହି ଆସୁଥିଲେ ତାହାକୁ ନେଇ ପରିଷଦ ଅଧିକାରୀମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଖାତା ମୂଲ୍ୟାୟନ ଠିକ୍ ଭାବେ ହୋଇଛି। କୌଣସି ପ୍ରକାର ତ୍ରୁଟି କିମ୍ବା ବିଭ୍ରାଟ ହୋଇନି। ମନ୍ତ୍ରୀ କେଉଁ ସୂତ୍ରୁରୁ ଖାତାଦେଖାରେ ବିଭ୍ରାଟ ହୋଇଥିବା ନେଇ ମନ୍ତବ୍ୟ ଦେଇଛନ୍ତି ତାହା ଆମେ କହିପାରିବୁ ନାହିଁ। ଅବଶ୍ୟ ଏଥର ଖାତା ଦେଖା ସରିବାରେ ଟିକିଏ ବିଳମ୍ବ ହୋଇଛି। ତଥାପି ବିଗତବର୍ଷଗୁଡ଼ିକ ପରି ଏଥର ମଧ୍ୟ ଜୁନ୍ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ପ୍ରକାଶ ପାଇବ। ତେଣୁ ଛାତ୍ରଛାତ୍ରୀମାନେ ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ। ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମନ୍ତବ୍ୟ ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଖାତା ମୂଲ୍ୟାୟନରେ ବିଭ୍ରାଟ ହୋଇଥିବ ତେବେ ପିଲାଙ୍କ ଭବିଷ୍ୟତ କ’ଣ ହେବ ବୋଲି ଅଭିଭାବକମାନେ ମତପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଯେ ମନ୍ତ୍ରୀ ଯଦି କହୁଛନ୍ତି ବିଭ୍ରାଟ ହୋଇଛି ତେବେ କାହା ଉପରେ ଆମେ ଭରସା କରିବୁ। ଏବେ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇନି। ତେଣୁ ଯୁକ୍ତ୩ ନାମଲେଖା ସମୟରେ ଅସୁବିଧା ହୋଇପାରେ। ଭଲ କଲେଜରେ ପଢ଼ିବାକୁ ପିଲାଙ୍କୁ ସୁଯୋଗ ମିଳିବନି। ରାଜ୍ୟ ବାହାରେ ପଢ଼ିବାକୁ ଚାହୁଁଥିବା ପିଲା ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ତୁରନ୍ତ ଓ ନିର୍ଭୁଲ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି।