ବଜ୍ରାଘାତରେ ୨ମୃତ, ୨ଗୁରୁତର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମର‌କୋଟ ବ୍ଲକର ପାଇକପରା ଜଙ୍ଗଲରେ ବଜ୍ରାଘାତ ଘଟି ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ବଜ୍ରାଘାତରେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଖବର ପ୍ରଚାର ହେବା ପରେ ମୃତକଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସୂଚନା ଅନୁଯାୟୀ, ଉମରକୋଟ ବ୍ଲକ କୁର୍ସୀ ଗ୍ରାମର ୮ଜଣ ଆଜି ସକାଳେ କୌଣସି କାମରେ ନିକଟସ୍ଥ ପାଇକପରା ଜଙ୍ଗଲକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୫ଟାରେ ସମସ୍ତେ ଘରକୁ ଫେରିବା ସମୟରେ ଜଙ୍ଗଲ ଭିତରେ ହିଁ ବଜ୍ରାଘାତ ହୋଇଥିଲା। ଏଥିଯୋଗୁଁ ଘଟଣା ସ୍ଥଳରେ ହିଁ କୁର୍ସୀ ଗ୍ରାମର ନୀଳାମ୍ବର ଗଣ୍ଡ(୨୧) ଓ ଚନ୍ଦ୍ର ଗଣ୍ଡ(୨୭)ଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବ୍ରଜାଘାତ ପ୍ରଭାବରେ ପିତାମ୍ବର ଗଣ୍ଡ ଓ ଚତୁରୁ ଗଣ୍ଡ ଗୁରୁତର ହୋ‌ଇଥିଲେ। ଅନ୍ୟ ୪ଜଣ କିଛି ଦୂରରେ ଥିବାରୁ ଅଳ୍ପକେ ବର୍ତି ଯାଇଥିଲେ। ଏନେଇ ସାଥୀରେ ଥିବା ଅନ୍ୟ ୪ଜଣ ନିକଟସ୍ଥ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ୧୦୮ ଆମ୍ବୁଲାନ୍‌ସକୁ ଯୋଗା‌ଯୋଗ କରାଯାଇଥିଲ। ଝରିଗାଁର ଆମ୍ବୁଲାନ୍‌ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଉମରକୋଟ ମେଡିକାଲ‌ରେ ଭର୍ତି କରାଇଥିଲେ। ତେବେ ପିତାମ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ମୃତ ନୀଳାମ୍ବର ଓ ଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ମୃତ ନୀଳାମ୍ବର ଓ ଗୁରୁତର ପିତାମ୍ବର ଦୁଇ ଭାଇ ଅଟନ୍ତି।

ସମ୍ବନ୍ଧିତ ଖବର