ଘେଁସ ବନାଞ୍ଚଳରେ ହାତୀ ଆତଙ୍କ : ଦନ୍ତା ଆକ୍ରମଣରେ ୨ମୃତ, ୩ ଆହତ

ମେଲଛାମୁଣ୍ତା : ବରଗଡ଼ ଜିଲ୍ଲା ଘେଁସ ରେଂଜ ଦୀପ୍ତିପୁର ଅଂଚଳରେ ଗୁରୁବାର ଦନ୍ତା ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ଘନାମାଲ ଗାଁର ଦେବାନନ୍ଦ ବେହେରା (୬୨) ଏବଂ ସାରଙ୍ଗପୁର ଗ୍ରାମର ଲଳିତା ମେହେର(୪୦)। ସପ୍ତାହେ ତଳେ ହାତୀ ପଲ ଟାଲ, ଦୁବୁଲାବାହାଲ, ଧଉରାମୁଣ୍ତା, ଖଲିଆମୁଣ୍ତା, ଘନାମାଲ ଆଦି ଗ୍ରାମରେ ଫସଲ ନଷ୍ଟ କରିବା ସହ ଅଙ୍ଗନଦୀର ଆରପଟକୁ ଡେଇଁ ତାଲପାଲି ଅଂଚଳକୁ ଯାଇଥିଲେ। ହାତୀ ପଲରୁ ଗୋଟିଏ ଦନ୍ତା ଏକୁଟିଆ ରହିଯାଇଥିଲା। ଗୁରୁବାର ଭୋର୍‌ରେ ଘନାମାଲ ଗ୍ରାମର ଦେବାନନ୍ଦ ବେହେରା ଏବଂ ଚତୁର୍ଭୁଜ ସେଠ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଏତିକିବେଳେ ଦନ୍ତା ଅଚାନକ ଆକ୍ରମଣ କରିଥିଲା। ଉଭୟଙ୍କୁ ଗ୍ରାମବାସୀ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ଗୁରୁତର ଦେବାନନ୍ଦଙ୍କୁ ବୁର୍ଲା ନେବା ବେଳକୁ ବାଟରେ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସେହିପରି ଘନାମାଲ ଗ୍ରାମରୁ ସାରଙ୍ଗପୁର ଗ୍ରାମ ଦେଇ ଉକ୍ତ ଦନ୍ତାଟି ଯାଉଥିବା ବେଳେ ଗାଁ ପୋଖରୀ ନିକଟରେ ଥିବା ଲଲିତା ମେହେର(୪୦), ଋକ୍ମିଣୀ ମେହେର(୪୫) ଓ ସମାରୁ ବରିହା(୬୦)ଙ୍କୁ ଆକ୍ରମଣ କରିଥିଲା। ଲଳିତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଉଥିଲା। ତେବେ ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର