ଟ୍ରକ୍‌ ଧକ୍‌କାରେ କାର୍‌ ଚୂରମାର୍‌, ଦୁଇ ମୃତ, ୩ ଗୁରୁତର

ବଇଣ୍ଡା : ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ହଣ୍ଡପା ହାଟ ପଡ଼ିଆ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଛତିଶଗଡ଼ରୁ ପୁରୀ ଅଭିମୁଖେ ଯାଉଥିବା ଏକ କାର୍‌ ଗୋଟିଏ ଟ୍ରକ୍‌ ସହ ମୁହାଁମୁହିଁ ଧକ୍‌କା ହେବାରୁ କାର୍‌ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଛତିଶଗଡ଼ର ରାମକୁମାର ମନୋହର, ସନ୍ଦୀପ ରାତ୍ରୀ(୨୮), ଗୁରୁଦେଶ କୁରେ, ଦୟନା ଗୌଥ୍‌ ଓ ଚମନ୍‌ ଚନ୍ଦ୍ରା ଏକ କାର୍‌ (ସିଜି୧୩ଓ୍ଵାଇ-୭୮୯୫)ରେ ପୁରୀ ଅଭିମୁଖେ ଯାତ୍ରା କରୁଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ (ଓଆର୍‌୦୬-୩୮୬୮) ସହିତ ଉକ୍ତ କାର୍‌ ହଣ୍ଡପା ହାଟ ପଡ଼ିଆ ନିକଟରେ ଧକ୍‌କା ହୋଇଥିଲା। ଫଳରେ କାର୍‌ର ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଛି। ଯାତ୍ରୀଙ୍କ ମଧ୍ୟରୁ ରାମକୁମାର ମନୋହରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ୧୦୮ ଆମ୍ବୁଲାନ୍‌ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପ ରାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଆହତ ୩ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଏବଂ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର