ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ନନ୍ଦିଘରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି। ରାତି ପ୍ରାୟ ୮ଟା ବେ‌‌ଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଏକ ବାଇକ୍ ଓ ବିପରୀତ ଦିଗରୁ ଆସୁଥିବା ଲୁନା ପରସ୍ପର ମୁହାଁମୁହିଁ ହେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ନନ୍ଦିଘର ଗ୍ରାମର ସନ୍ତୋଷ ରାଉତ (୩୫), ସନ୍ତୋଷଙ୍କ ଝିଅ ନଳିନୀ ରାଉତ (୯), ପୁତୁରା ଗଣେଶ ରାଉତ (୨୭), ପଡ଼ୋଶୀ ଶଙ୍କର ପ୍ରଧାନଙ୍କ ଝିଅ ମିତାଲି ପ୍ରଧାନ (୮) ଆଜି ସନ୍ଧ୍ୟା ସମୟରେ ଓଡ଼ଗାଁରୁ ରାମନବମୀ ମେଳା ଦେଖି ଫେରୁଥିଲେ। ଗୋଟିଏ ବାଇକ୍‌ରେ ଏହି ଚାରି ଜଣ ଫେରୁଥି‌ଲେ। ଗଣେଶ ବାଇକ୍ ଚଳାଉଥିଲେ। ନନ୍ଦିଘର ପାଖାପାଖି ଏମାନେ ପହଞ୍ଚିଥିବା ବେଳେ ବିପରୀତ ଦିଗରୁ ଲୁନାରେ ଆସୁଥିବା ମନୋଜ ଦାସଙ୍କ ସହ ଧକ୍କା ହୋଇଥିଲା। ମନୋଜ ଜଣେ ଛେନା ବେପାରୀ ହୋଇଥିବା ବେଳେ ସେ ଲୁନାରେ ଛେନା ନେଇ ବିକ୍ରି କରିବାକୁ ଯାଉଥିଲେ। ଘଟଣାସ୍ଥଳରେ ମନୋଜ ଓ ବାଇକ ଚାଳକ ଗଣେଶଙ୍କର ମୃତ୍ୟୁ ହୋଇଯାଇଥିଲା। ମନୋଜଙ୍କ ଘର ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଢେଙ୍କେଣା‌ରେ ବୋଲି ଜଣାପଡ଼ିଛି। ବାଇକ୍‌ରେ ବସିଥିବା ଅନ୍ୟ ତିନି ଜଣ ଛିଟ୍‌କି ପଡ଼ିବା ଫଳରେ ଗୁରୁତର ଭାବେ ଆହାତ ହୋଇଥିଲେ। ପ୍ରଥମେ ସମସ୍ତଙ୍କୁ ଓଡ଼ଗାଁ ଚିକିତ୍ସାଳୟ ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଗୁରୁତର ଆହାତମାନଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାଯାଇଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

ସମ୍ବନ୍ଧିତ ଖବର