ଭଞ୍ଜନଗର/ବେଲଗୁଣ୍ଠା: ଗୋଷ୍ଠୀ ବିବାଦ ନେଲା ଉଗ୍ର ରୂପ। ଆଉ ରକ୍ତାକ୍ତ ସଂଘର୍ଷରେ ଗାଁ ଦାଣ୍ଡରେ ଗଡ଼ିଲା ଦୁଇଟି ମୁଣ୍ଡ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ନୂଆଗଡ଼ ଗ୍ରାମ ହରିଜନ ସାହିରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ମୃତକ ଜଣକ ହେଲେ, ମନୋଜ ନାଇକ (୨୫)। ଏଥିରେ ମନୋଜଙ୍କ ମା ଓ ଜେଜେମା ମଧ୍ୟ ଆହତ ହୋଇଛନ୍ତି। ସେପଟେ ସଂଘର୍ଷ ବେଳେ ମନୋଜଙ୍କ ଠେଙ୍ଗା ମାଡ଼ରେ ଗୁରୁତର ସେହି ଗ୍ରାମର ଅପର ଗୋଷ୍ଠୀର ପୁନିଆ ନାଇକ (୬୦)ଙ୍କର ମଧ୍ୟ ଆଜି ସନ୍ଧ୍ୟାରେ ମୃତ୍ୟୁ ହୋଇ ଯାଇଛି। ସମ୍ଭାବ୍ୟ ଉତ୍ତେଜନା ପରିସ୍ଥିତିକୁ ଆଖି ଆଗରେ ରଖି ଗ୍ରାମରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁସାରେ, ଗାଁରେ ଗୋଟିଏ ଗୋଷ୍ଠୀର ୯ଟି ପରିବାର ଓ ଅନ୍ୟ ଗୋଷ୍ଠୀର ୪ ପରିବାର ଭିତରେ ବହୁ ପୂର୍ବରୁ ବିଭିନ୍ନ କାରଣକୁ ନେଇ ବିବାଦ ଲାଗି ରହିଛି। ଆଜି ସୁରତରେ କାମ କରୁଥିବା ପୁନିଆଙ୍କ ବଡ଼ପୁଅ ଗାଣ୍ଡୁ ଓ ସାନପୁଅ ଟୁଙ୍ଗୁରୁଙ୍କ ସମେତ ଅନ୍ୟ ଯୁବକମାନେ ଗାଁକୁ ଫେରିଥିଲେ। ମଧ୍ୟାହ୍ନରେ ମନୋଜ ଗାଁ ଚଉଁରାରେ ବସି ପ୍ରତିପକ୍ଷ ଗୋଷ୍ଠୀକୁ ଇଙ୍ଗିତ କରି କମେଣ୍ଟ କରିଥିଲା। ଏହି ସମୟରେ ବିରିକୁ ଠେଙ୍ଗାରେ ବାଡ଼ଉଥିବା ପୁନିଆ ତାଙ୍କ ପାଖରେ ପହଞ୍ଚି ସାର୍ଟ କଲରକୁ ଧରି ପକାଇଥିଲେ। ଉତକ୍ଷିପ୍ତ ମନୋଜ ଠେଙ୍ଗା ଛଡ଼ାଇ ଆଣି ପୁନିଆଙ୍କୁ ଆକ୍ରମଣ କରିଥିଲା। ଗୁରୁତର ପୁନିଆଙ୍କୁ ଗ୍ରାମବାସୀ ସଂଗେ ସଂଗେ ସୋରଡ଼ା ଡାକ୍ତରଖାନାକୁ ଆଣିଥିଲେ। ଏହା ଦେଖି ପୁନିଆଙ୍କ ପୁଅ ଗାଣ୍ଡୁ, ଟୁଙ୍ଗୁରୁ ଓ ପୁତୁରା ବାବୁଲା ସେଠାରେ ପହଞ୍ଚି ବିଭିନ୍ନ ମାରଣାସ୍ତ୍ରରେ ମନୋଜଙ୍କୁ ଆକ୍ରମଣ କରିଥିଲେ। ଏହାକୁ ପ୍ରତିହତ କରିବାକୁ ଆସିଥିବା ମନୋଜଙ୍କ ବାପା ବିଦୁର ନାଇକ, ମା ଗେଲି, ଜେଜେବାପା ଉଲା ଓ ଜେଜେମା ଇନ୍ଦୁ ମଧ୍ୟ ଆକ୍ରମଣରୁ ବର୍ତ୍ତି ନ ଥିଲେ। କ୍ଷଣକ ମଧ୍ୟରେ ଗାଁ ଦାଣ୍ଡରେ ହିଁ ମନୋଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅନ୍ୟ ଆହତଙ୍କୁ ଉଦ୍ଧାର କରାଯାଇ ସୋରଡ଼ା ଡାକ୍ତରଖାନା ଅଣା ଯାଇଥିଲା। ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ସୋରଡ଼ା ଡାକ୍ତରଖାନାରେ ଗୁରୁତର ପୁନିଆଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଖବର ମିଳିବା ସୁଦ୍ଧା ଗାଁରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ସୋରଡ଼ା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ୩ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।