ଯାହାକୁ ଦେଖିଲା ମାରିଲା ଦନ୍ତା : ୨ ଜଣଙ୍କୁ ଦଳିଦେଲା, ୫୦ରୁ ଊର୍ଦ୍ଧ୍ୱ ଆହତ

କାବୁ ପାଇଁ ପହଞ୍ଚିଲା ଟ୍ରାଙ୍କୁଲାଇଜର୍‌ ଟିମ୍‌, ଆଜି କୋରେଇ ବ୍ଲକ୍‌ରେ ସ୍କୁଲ୍‌ ଛୁଟି

କୋରେଇ/ବ୍ୟାସନଗର/ରଗଡ଼ି/ଯୋକଡ଼ିଆ : କେନ୍ଦୁଝରରୁ ଚାଲିଆସିଥିବା ଏକ ଗୋଠଛଡ଼ା ଦନ୍ତାହାତୀ ଯାଜପୁରରେ ଆତଙ୍କ ଖେଳାଇଦେଇଛି। ଉନ୍ମତ୍ତ ଅବସ୍ଥାରେ ଥିବା ଏହି ଦନ୍ତା ହାତୀଟି ହାବୁଡ଼ରେ ଯାହାକୁ ପାଉଛି ଦଳି ମାରୁଛି। ଯାଜପୁର ଜିଲ୍ଲାର ଟମକା ପରେ ‌କୋରେଇ ଅଞ୍ଚଳରେ ଆତଙ୍କ ଖେଳାଇଛି। ଆଜି କୋରେଇ ବ୍ଲକର ଶଂଖଚିଲାକୁ ଚାଲିଆସି ୨ ଜଣଙ୍କୁ ଦଳି ମାରିଛି। ମୃତକମାନେ ହେଲେ ପାଣିକୋଇଲି ଥାନା ତଥା ଶଙ୍ଖଚିଲା ଫାଣ୍ଡି ଅନ୍ତର୍ଗତ ରାଧାନଗର ପାଟଣା ଗ୍ରାମର ଚିନ୍ତାମଣି ରାମ (୬୫) ଓ ଏହି ଥାନା ଅନ୍ତର୍ଗତ ଗୋଡ଼ିପାଟଣା ଗ୍ରାମର ଈଶ୍ବର ଚନ୍ଦ୍ର ଦାସ(୫୫)। ହାତୀ ଭୟରେ ଧାଁଧପଡ଼ ବେଳେ ୫୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଏହା ପୂର୍ବରୁ ଏହି ହାତୀ କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍‌ ଅଞ୍ଚଳରେ ଜଣେ ଶିଶୁକୁ ଘରୁ ଟେକିନେଇ କଚାଡ଼ି ମାରିଥିଲା। ତାକୁ କାବୁ କରିବା ପାଇଁ ଭୁବନେଶ୍ବରରୁ ଏକ ଟ୍ରାଙ୍କୁଲାଇଜ୍‌ ଟିମ୍‌ ପହଞ୍ଚିଥିବା ଜଣାପଡ଼ିଛି। ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଆସନ୍ତାକାଲି କୋରେଇ ବ୍ଲକ୍‌ର ସମସ୍ତ ସ୍କୁଲ୍‌କୁ ବନ୍ଦ ରଖାଯାଇଛି।

ଗତକାଲି ରା‌ତିରେ କୋରେଇ ଥାନା ଅନ୍ତର୍ଗତ ତଳଗଡ଼ ଓ ତାହାରପୁର ଅଞ୍ଚଳରେ ଏହି ହାତୀଟି ଆତଙ୍କ ସୃଷ୍ଟି କରିଥିଲା। ଅ‌ାଜି ହାତୀଟି ରାଧାନଗର ପାଟଣା ଗାଁ ଭିତରେ ପଶିଥିବା ବେଳେ ଏହି ଗ୍ରାମର ଚିନ୍ତାମଣି ରାମ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ଶୁଣ୍ଢରେ ଟାଣିଆଣି ତଳେ ପକାଇଦେବା ସହ ଚିନ୍ତାମଣିଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଗୋଡ଼ିପାଟଣା ଗ୍ରାମର ଈଶ୍ବର ଚନ୍ଦ୍ର ଦାସଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥିଲା। ଅନ୍ଧାରରେ ଆସୁଥିବା ହାତୀକୁ ଈଶ୍ବର ଦେଖିନପାରି ନଥିଲେ। ହାତୀ ତାଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଈଶ୍ବରଙ୍କୁ ଉଦ୍ଧାର କରି ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହାତୀ ଭୟରେ ଧାଁଦଉଡ଼ ଯୋଗୁ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଉନ୍ମତ୍ତ ହାତୀକୁ କାବୁ କରିବା ପାଇଁ ସନ୍ଧ୍ୟାରେ ଭୁବନେଶ୍ବରରୁ ଟ୍ରାଙ୍କୁଲାଇଜର୍‌ ଟିମ୍‌ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ, ଏହି ଦନ୍ତାହାତୀଟି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ଜଣେ ଶିଶୁକୁ ଘରୁ ଉଠାଇ ନେଇ ମାରିଥିଲା। ଏହାପରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦୈତାରୀରେ ଜଣେ ସିଆଇଏସ୍‌ଏଫ ଯବାନ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଟମକା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମାରି ଦେଇଥିବା ବ‌େଳେ ଅନ୍ୟ ୨ଜଣ ଆହତ ହୋଇଥିଲେ। ଏହାପରେ ଆଜି ଶଂଖଚିଲାରେ ଦୁଇଜଣଙ୍କୁ ମାରିଛି।

ସମ୍ବନ୍ଧିତ ଖବର