କାଳିଆପାଣିରେ ରଥ ଅଘଟଣ, ତାର ଲାଗି ୨ ମୃତ

ବାଣପୁର: ରଥ ଚକ ତଳେ ଜୀବନ ଗଲା

କାଳିଆପାଣି : କାଳିଆ ଦର୍ଶନ କରିବେ, ରଥ ଟାଣି ପୂଣ୍ୟ ଅର୍ଜନ କରିବେ। ଏଭଳି ଆଶା ନେଇ ଆସିଥିବା କେତେକ ଶ୍ରଦ୍ଧାଳୁଙ୍କ ପାଇଁ ବିଧି ଲେଖିଥିଲା ଆଉ କିଛି। ରଥଟଣା ପୂର୍ବରୁ ଘଟିଗଲା ଅଘଟଣ। ଲୌହ ନିର୍ମିତ ରଥଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଦୁଇଜଣ ଶ୍ରଦ୍ଧାଳୁଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏଥିରେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହିତ ରଥ‌ରେ ନିଆଁ ଲାଗି ଯାଇଥିଲା। ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଞ୍ଚଳ ଟାଟାଷ୍ଟିଲ କଲୋନିସ୍ଥିତ ଜଗନ୍ନାଥ ମନ୍ଦିରରେ ଏଭଳି ଅଘଟଣ ଯୋଗୁଁ ରଥଟଣାକୁ
ବନ୍ଦ କରିଦିଆଯାଇଛି।

ଶ୍ରୀଧାମ ମନ୍ଦିର ପରିଚାଳନା ସମିତି ଏବଂ ଶ୍ରୀ ଜଗନ୍ନାଥ ସେବା ସମିତି ସଭ୍ୟ ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି ଯେ, ସକାଳେ ଯଥାବିଧି ରଥ ପ୍ରତିଷ୍ଠା କାମ ସଂପାଦିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ସାଢ଼େ ତିନିଟା ପରେ ରଥଟଣା ହେବାର ଥିଲା। ସୁକିନ୍ଦା ରାଜ ପରିବାର ସଦସ୍ୟ ଜ୍ୟୋତିପ୍ରକାଶ ସିଂହଦେଓ ପହଞ୍ଚିବା ପରେ ଆଜ୍ଞାମାଳ ଅଣାଯିବା ସହିତ ପହଣ୍ଡି ବିଜେ ଓ ଅନ୍ୟାନ୍ୟ ରୀତିନୀତି ହୋଇଥାନ୍ତା। ମାତ୍ର ୩ ଟା ୧୦ ରେ ମନ୍ଦିର ମଧ୍ୟରେ ସେବାୟତ ପରିଷଦ ପୂର୍ବ ପ୍ରସ୍ତୁତିରେ ଲାଗିଥିବାବେଳେ ବାହାରେ ଅଘଟଣ ଘଟିଥିଲା। ଲୌହ ନିର୍ମିତ ୪ ଚକ ବିଶିଷ୍ଟ ଏହି ରଥ ପ୍ରତିଷ୍ଠା ପରେ ଦକ୍ଷିଣ ମୋଡ଼ ଦିଆଯାଇ ଏଥିରେ ଲୁହା ବ୍ରେକ୍‌ ସହ କାଠ ଜାମ୍‌ ଦିଆଯାଇଥିଲା। ମାତ୍ର କେତେକ ଶ୍ରଦ୍ଧାଳୁ ରଥକୁ ମନ୍ଦିର ପୂର୍ବ ଦ୍ବାର ଫାଟକ ବାହାରକୁ ଟାଣି ଆଣିବା ପ୍ରୟାସ କରିଥିଲେ। ରଥଟି ଗଡ଼ାଣିଆ ରାସ୍ତାରେ ନିୟନ୍ତ୍ରଣ ବାହାରକୁ ଚାଲି ଯିବା ସହିତ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଅଘଟଣ ଘଟିଥିଲା। ଏହି ଅଘଟଣ ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଥିଲେ।

ମୃତକ ୨ ଜଣ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ଗାଁର ଭରତ ଚନ୍ଦ୍ର ଲେଙ୍କାଙ୍କ ପୁଅ ସୁଚିତ୍ର ଲେଙ୍କା(୪୫) ଓ ବିହାର ରାଜ୍ୟର ଭରତ ରାୟ(୫୫)। ଉଭୟ ମୃତକ ସୁଚିତ୍ର ଓ ଭରତ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆହତମାନେ ହେଲେ, କାଳିଆପାଣି ଟାଉନସିପ ସଂଲଗ୍ନ ହଟିଂରେ ରହୁଥିବା ଜିନ୍ଦଲ ଖଣି କର୍ମଚାରୀ ବଳରାମ ମହାନ୍ତ(୪୫), ବାଲେଶ୍ବର ଆଲଏଜ୍ ଖଣି କର୍ମଚାରୀ ଛତିଶ ମହାନ୍ତ(୫୧), ଓଏମସିରେ ନିୟୋଜିତ ଓଆଇଏସ୍ଏଫ୍‌ କାଳିଆପାଣି ୟୁନିଟର ୨ ଯବାନ ସାନୁଜ କୁମାର ନାୟକ(୨୬) ଓ ସୁଶୀଲ ଛୁଆଳସିଂ(୨୫) ଏବଂ ମନ୍ଦିର ସଂଲଗ୍ନ ବିର୍ସାନଗର ବସ୍ତିର ଅଭିମନ୍ୟୁ ମାଝିଙ୍କ ପୁଅ ସତ୍ୟ ପ୍ରକାଶ ମାଝି(୨୧), ଜଗତସିଂହପୁରର ଲକ୍ଷ୍ମୀକାନ୍ତ ପରିଡ଼ା ଓ ସୁକିନ୍ଦା ଥାନା ଅନ୍ତର୍ଗତ ରାଙ୍କିଆ ପୋଡ଼ାଓରାର ସାଲୁକା ସଏ।

ଘଟଣାସ୍ଥଳଠୁ ମାତ୍ର ୨୫୦ ମିଟର ଦୂରରେ ଥିବା ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଟାଷ୍ଟିଲ ସୁକିନ୍ଦ‌ା ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ଲକ୍ଷ୍ମୀକାନ୍ତ ପରିଡ଼ା, ବଳରାମ ମହାନ୍ତ ଓ ଛତିଶ ମହାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜାଣି ସେମାନଙ୍କୁ କଳିଙ୍ଗନଗର ମେଡିକା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ କେନ୍ଦ୍ରକରି ମନ୍ଦିର ପରିସର ଓ ଟାଟା ହସ୍ପିଟାଲ୍‌‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଟାଟାଷ୍ଟିଲ ମେନ୍‌ଗେଟ୍‌ ଓ ହସ୍ପିଟାଲ୍‌ ଗେଟ୍‌ରେ କମ୍ପାନି ନିରାପତ୍ତା ବିଭାଗ ପକ୍ଷରୁ କଟକଣା ଲାଗୁ କରାଯାଇଥିଲା।

କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଓ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ସଂଧ୍ୟାରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ହସ୍ପିଟାଲରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହ ମୃତକଙ୍କ ପରିବାରକୁ ସାନ୍ତ୍ବନା ଦେଇଥିଲେ। ଅଘଟଣ ପାଇଁ ଆଜି ଶ୍ରୀଧାମ ଜିଉମାନଙ୍କ ଘୋଷଯାତ୍ରା ବାତିଲ କରାଯାଇଛି।

ବାଣପୁର: ରଥ ଚକ ତଳେ ଜୀବନ ଗଲା

ବାଣପୁର : ବାଣପୁର ଶ୍ରୀ ଚରଣ ଚକାଦେବଙ୍କ ରଥ ଟଣାବେଳେ ଘଟିଛି ଅଘଟଣ। ଆଠ ବର୍ଷର ଜଣେ ବାଳକ ରଥ ଚକା ତଳେ ଚାପି ହୋଇ ପ୍ରାଣ ହରାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ରଥଯାତ୍ରା ଅବସରରେ ଐତିହାସିକ ପଲଟଣ ପଡିଆରେ ରଥାରୂଢ ଶ୍ରୀ ଚରଣ ଚକାଦେବଙ୍କ ରଥକୁ ଭକ୍ତମାନେ ଗୁଣ୍ତିଚା ମନ୍ଦିରକୁ ଟାଣି ନେଉଥିଲେ। ତେବେ ବହୁ ସଂଖ୍ୟାରେ ଲୋକ ସେଠାରେ ଏକତ୍ରିତ ହୋଇଥିବାରୁ ଠେଲାପେଲା ହୋଇଥିଲା। ଏଥିରେ ସ୍ଥାନୀୟ ଚିଆଁଙ୍କ ସାହିର ଯୋଗେନ୍ଦ୍ର ପାତ୍ରଙ୍କ ଆଠ ବର୍ଷର ପୁଅ ସୁନିଲ ପାତ୍ର ଓରଫ ପାଣ୍ତିଆ ରଥ ତଳେ ପଡ଼ିଯାଇଥିଲା। ପରେ ପରେ ରଥ ଚକଟି ତାଙ୍କ ଉପରେ ମାଡ଼ି ଯିବାରୁ ସୁନିଲ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ବାଲୁଗାଁଠାରେ ପାଣ୍ତିଆଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରିବାର ପକ୍ଷରୁ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ସୁନିଲକୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟାରେ ସୁନିଲଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବାଣପୁର ଥାନା ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର