ଦୁର୍ଘଟଣାରେ ୨ମୃତ 

ଉତ୍ତେଜନା, ଏନ୍‌ଏଚ୍‌ ଅବରୋଧ

ଦାନଗଦୀ/ଡୁବୁରୀ : ଆଜି ରାତିରେ କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ-ଚଣ୍ଡିଖୋଲ ୫୩ ନମ୍ବର ଜାତୀୟ ରାଜପଥର ମିରିଗିଚରା ଛକ ନିକଟରେ ରାସ୍ତା ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି।  ଅନ୍ୟ ଜଣେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଦ୍ୱୟ ହେଲେ ଚନ୍ଦନ  ଗଇପାଇ (୪୨) ଓ କେଦାର ସାଇଁୟା (୪୦) । ଉଭୟଙ୍କ ଘର ମିରିଗିଚରାର ତଳ ରାୟା ଗାଁରେ ବୋଲି ଜଣାଯାଇଛି ।

ଅନ୍ୟ ଆହତ ବ୍ୟକ୍ତିଙ୍କ ସହ ଚନ୍ଦନ ଓ କେଦାର ଏକ ବଜାଜ୍‌ କାଲିବର୍‌ ବାଇକ୍‌ (ଓଆର-୦୨ଏସ୍‌-୭୫୯୯)ରେ କଳିଙ୍ଗନଗରରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଚାଲିଥିବା ମେଳାରେ ଯୋଗ ଦେବା ପାଇଁ ଆମ୍ବଗାଡିଆ ଆସୁଥିଲେ। ସେମାନେ ମୁଖ୍ୟ ରାସ୍ତାକୁ ଉଠୁଥିବା ସମୟରେ ବୀପରିତ ଦିଗରୁ ଆସୁଥିବା ଏକ ଟିପର୍‌ ବାଇକ୍‌ ଆରୋହୀଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ରାତି ୭ଟାରୁ ମିରିଗିଚରା ଛକ ନିକଟରେ ରାସ୍ତାରୋକ କରିଥିଲେ ।

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଁଞ୍ଚି ତନାଘନା କରିଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ଆମ୍ବୁଲାନ୍‌ସରେ ମୃତଦେହ ଦାନଗଦୀ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।  ଖବର ଲେଖା ହେବା ବେଳକୁ ରାସ୍ତାରୋକ ଜାରି ରହିଛି । କଳିଙ୍ଗନଗର ଥାନା ପୁଲିସ ଘଟଣାା ସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚଳାଇଛନ୍ତି । ଦ୍ରୁତଗତିରେ ଅତି ବେପରୁଆ ଗାଡିଚାଳନା ଦୁର୍ଘଟଣାର କାରଣ ବୋଲି କୁହାଯାଉଥିଲେ ହେଁ ଶୋଚନୀୟ ରାସ୍ତା ପାଇଁ ଦୁର୍ଘଟଣା ହେଲା ବୋଲି କୁହାଯାଉଛି । ମୃତ ବ୍ୟକ୍ତିଙ୍କ ପରିବାରକୁ ଉପଯକ୍ତ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରୋକ କରିଛନ୍ତି ।

ସମ୍ବନ୍ଧିତ ଖବର