ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

ଢେଙ୍କାନାଳ/ଭାପୁର : ସଦର ଥାନା ଓଉଖମା ଛକରେ ଆଜି ଅପରାହ୍ଣରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କର ପ୍ରାଣହାନି ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କାମଧେନୁକୋଟର ରାଘବ ରଣାଙ୍କ ପୁଅ ଶିବୁ ରଣା(୨୨), ରବିନାରାୟଣ ମହାନ୍ତିଙ୍କ ପୁଅ ରତ୍ନାକର ମହାନ୍ତି(୨୫) ଏବଂ ଅଜିତ୍ ବାରିକ (୨୦) ଏକ ମଟରସାଇକେଲ୍‌ରେ ନିଜ ଗାଁରୁ ଭାପୁର ଛକକୁ ଯାଉଥିଲେ। ଭାପୁର ଆଡ଼ୁ ଶଙ୍କରପୁର ଅଭିମୁଖେ ଯାଉଥିବା ଏକ ଅଜଣା ଗାଡ଼ି ତାଙ୍କ ମଟରସାଇକେଲ୍‌କୁ ଓଉଖମା ବ୍ରିଜ୍‌ଠାରେ ଧକ୍କା ଦେଇ ପଳାଇଥିଲା। ଫଳରେ ମଟରସାଇକେଲ୍‌ ଆରୋହୀ ୩ ଜଣଯାକ ଛିଟିକି ପଡିଥିଲେ । ଗରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଶିବୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅଜିତ ୍‌ଏବଂ ରତ୍ନାକରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାଟରେ ଅଜିତ୍‌ଙ୍କର ମୃତ୍ୟୁ ଘଟିଛି। ଏ ସଂପର୍କରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଭାପୁର ଫାଣ୍ଡି ଅଧିକାରୀ ପି.କେ. ପଢ଼ିହାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର