ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଉପରବସା ଫରେଷ୍ଟ ଗେଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏଥିରେ ଦୁଇଜଣ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି | ମିଳିଥିବା ସୂଚନା ମୁତାବକ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ନୂଆମଉଳଭଞ୍ଜ ଗ୍ରାମର ହରିବନ୍ଧୁ ପାତ୍ରଙ୍କ ପୁଅ ଶଙ୍କର ପାତ୍ର(୨୧) ଓ ନବୀନ ଗୌଡ଼ଙ୍କ ପୁଅ ଦୀପୁନ ଗୌଡ଼(୨୨) ଏକ ପଲସର ବାଇକ ଯୋଗେ ଦିଗପହଣ୍ଡିକୁ ଯାଉଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଜି ସକାଳ ୧୧ଟା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ଏମାନଙ୍କ ବାଇକ ଏକ ପରିତ୍ୟକ୍ତ କାନ୍ଥକୁ ଧକ୍କା ଦେଇଥିଲା | ଯାହାଫଳରେ ଦୁଇଜଣ ଦୁରକୁ ଛିଟିକି ପଡ଼ିଥିଲେ ଓ ଉଭୟଙ୍କର ମୃତ୍ୟୁ ହୋଇଯାଇଛି | ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା |
ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି | ପୁଲିସ ୨୬୬/୧୯ରେ ଏକ କେଶ କରି ଏବେ ତଦନ୍ତ କରୁଛି | ଦୁଇ ପୁଅଙ୍କୁ ହରାଇ ଉଭୟଙ୍କ ପରିବାରରେ ଏବେ ଶୋକର ଲହରୀ ଖେଳିଯାଇଛି |