ଅଧ୍ୟାପକଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗର କଡ଼ା ଅଭିମୁଖ୍ୟ : ନାଲିଆଖି ପରେ ନିଲମ୍ବନ!

ଜଣେ ଅଧ୍ୟାପକଙ୍କୁ ନିଲମ୍ବନ କରିବାକୁ ନିର୍ଦେଶ

୧୬ରେ ରାଜଧାନୀରେ ଅଧ୍ୟାପକମାନଙ୍କ ମେଳି

ଭୁବନେଶ୍ୱର : ଯୁକ୍ତ୨ ଖାତା ମୂଲ୍ୟାୟନକୁ ଆସୁ ନ ଥିବା ଅଧ୍ୟାପକଙ୍କ ବିରୋଧରେ କଡ଼ା ଅଭିମୁଖ୍ୟ ଗ୍ରହଣ କଲେ ରାଜ୍ୟ ସରକାର। ଗତକାଲି ନିଲମ୍ବନର ନାଲି ଆଖି ଦେଖାଇବାର ୨୪ ଘଣ୍ଟା ନ ପୂରୁଣୁ ଆଜି ଢେଙ୍କାନାଳ ଜିଲ୍ଲା ସିମିନାଇସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ମାୟାଧର ସାହୁଙ୍କୁ ନିଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସମ୍ପୃକ୍ତ କଲେଜର ପରିଚାଳନା କମିଟିକୁ ଚିଠି ଲେଖାଯାଇଛି। ଉଚ୍ଚଶିକ୍ଷା ବିଭାଗର ଏଭଳି ଆଭିମୁଖ୍ୟ ପରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି। ଆସନ୍ତା ୧୬ ତାରିଖରେ ରାଜଧାନୀରେ ପୁଣିଥରେ ଅଧ୍ୟାପକଙ୍କ ମେଳି କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ଶିକ୍ଷକ, ଅଧ୍ୟାପକ, ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଚାଷୀ ସଂଘ, ମହିଳା ସଙ୍ଗଠନ, ଅଭିଭାବକ ସଂଘ ଓ ବୁଦ୍ଧିଜୀବୀର ନେତାମାନଙ୍କୁ ସାମିଲ କରାଯାଇ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି। ୧୭ ତାରିଖଠାରୁ ଆନ୍ଦୋଳନ ବିସ୍ଫୋରକ ରୂପ ନେବ ବୋଲି ମିଳିତ ମଞ୍ଚ ଚେତାବନୀ ଦେଇଛି।

ଉଚ୍ଚଶିକ୍ଷା ବିଭାଗ ନିର୍ଦେଶାଳୟ ପକ୍ଷରୁ ଆଞ୍ଚଳିକ ମହାବିଦ୍ୟାଳୟର ପରିଚାଳନା କମିଟି ନିକଟକୁ ପଠାଯାଇଥିବା ଚିଠିରେ କୁହାଯାଇଛି ଯେ ଯୁକ୍ତ୨ ଖାତା ମୂଲ୍ୟାୟନ ଲାଗି ଶ୍ରୀ ସାହୁଙ୍କୁ ଡକାଯାଇଥିଲା। ଖାତା ଦେଖିବା ଲାଗି କଲେଜ ଅଧ୍ୟକ୍ଷଙ୍କଠାରୁ ଅନୁମତିପତ୍ର ହାସଲ କରିଥିଲେ। ହେଲେ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରି ନାହାନ୍ତି। ଓଡ଼ିଶା ମୂଲ୍ୟାୟନ ପରିଚାଳନା ଆଇନ-୧୯୮୮ର ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ଯେଉଁ ଅଧ୍ୟାପକମାନେ ସ୍ୱାସ୍ଥ୍ୟଗତ କାରଣ ଦେଖାଇ ଖାତା ଦେଖିବାକୁ ଆସୁନାହାନ୍ତି ସେମାନେ ଜିଲ୍ଲା ମେଡିକାଲ ବୋର୍ଡରୁ ସାର୍ଟିଫିକେଟ୍‌ ଆଣି ଦାଖଲ କରିବାକୁ କୁହାଯାଇଛି। ସାର୍ଟିଫିକେଟ୍‌ ଦେବା କ୍ଷଣି ତାହାକୁ ତୁରନ୍ତ ଉଚ୍ଚଶିକ୍ଷା ନିର୍ଦେଶାଳୟକୁ ପଠାଇ ଦେବାକୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ଶିକ୍ଷକ ଓ ସରକାରଙ୍କ ଏଭଳି ଛକାପଞ୍ଝା ମଧ୍ୟରେ ଆଜି ବି ଖାତା ମୂଲ୍ୟାୟନ ସ୍ୱାଭାବିକ୍‌ ହୋଇପାରିନି। ଗତକାଲିର ଧମକ ପରେ ହାତଗଣତି କିଛି ଅଧ୍ୟାପକ ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟିଂ କରିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ମିଳିତ ମଞ୍ଚ କହିଛି ଏବେ ବି ମୂଲ୍ୟାୟନକାରୀଙ୍କ ସଂଖ୍ୟା ୪୦ ପ୍ରତିଶତ ଟପିନାହିଁ। ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ନିଲମ୍ବନ କରିପାରିବେ ନାହିଁ। ଏଥିପାଇଁ ସମୟ ଲାଗିବ। ପ୍ରଥମେ ଅଧ୍ୟାପକଙ୍କଠାରୁ କାରଣଦର୍ଶାଅ ରିପୋର୍ଟ ମାଗିବାକୁ ହେବ। ମାର୍ଚ୍ଚ ୩୦ ତାରିଖରେ ମନ୍ତ୍ରୀସ୍ତରୀୟ କମିଟି ମିଳିତ ମଞ୍ଚର ପ୍ରତିନିଧିଙ୍କ ସହିତ ଆଲୋଚନା କରି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିନାହାନ୍ତି। ଅର୍ଥମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ତୁରନ୍ତ ଇସ୍ତଫା ଦିଅନ୍ତୁ।

ସମ୍ବନ୍ଧିତ ଖବର