ଆବଶ୍ୟକୀୟ ପରୀକ୍ଷାର୍ଥୀ ହେଲେନି : କମିଲା ଯୁକ୍ତ୨ ପରୀକ୍ଷା କେନ୍ଦ୍ର

ଏଥର ୫୬ଟି ମୂଲ୍ୟାୟନ ଜୋନ୍‌
୨୩ରୁ ‘ମୂଲ୍ୟାୟନ ପ୍ରକ୍ରିୟା ୨୦୧୮’ କର୍ମଶାଳା

ଭୁବନେଶ୍ୱର : କମିଲା ଯୁକ୍ତ୨ ପରୀକ୍ଷା କେନ୍ଦ୍ର। ପରୀକ୍ଷା ପରିଚାଳନା କମିଟିର ଦ୍ୱିତୀୟ ବୈଠକରେ ୧୧୧୦ଟି କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଏହି ସଂଖ୍ୟାକୁ ୧୧୦୪ରୁ ହ୍ରାସ କରାଯାଇଛି। ଆବଶ୍ୟକୀୟ ପରୀକ୍ଷାର୍ଥୀ ନ ଥିବାରୁ ୬ଟି କେନ୍ଦ୍ରକୁ ବାତିଲ୍‌ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଲାଗି ଗତବର୍ଷ ୧୧୦୭ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଥର ଗୋଟିଏ ଉପକେନ୍ଦ୍ର ସମେତ ଦୁଇଟି ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଥିଲା। ହେଲେ ଏବେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି କେନ୍ଦ୍ର ସଂଖ୍ୟା କମାଇ ଦିଆଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ ବାତିଲ୍‌ ହୋଇଥିବା ୬ଟି ପରୀକ୍ଷା କେନ୍ଦ୍ରରେ ଆବଶ୍ୟକୀୟ ପରୀକ୍ଷାର୍ଥୀ ହେଲେ ନାହିଁ। ନିୟମ ଅନୁଯାୟୀ ପରୀକ୍ଷା କେନ୍ଦ୍ର ହେବା ଲାଗି ଗୋଟିଏ କଲେଜରେ ଅତି କମ୍‌ରେ ୫୦ ଜଣ ପରୀକ୍ଷାର୍ଥୀ ରହିବା କଥା। କିନ୍ତୁ ବାତିଲ୍‌ ହୋଇଥିବା ୬ଟି ଯାକ କେନ୍ଦ୍ରରେ ଆବଶ୍ୟକୀୟ ପରୀକ୍ଷାର୍ଥୀ ନ ଥିଲେ। ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପରୀକ୍ଷା କେନ୍ଦ୍ର ସଂଖ୍ୟା ହ୍ରାସ କରାଯାଇଥିଲେ ମଧ୍ୟ ପରୀକ୍ଷା ପରିଚାଳନା ହବ୍‌ରେ କୌଣସି ପରିବର୍ତନ ହୋଇନି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ୨୦୨ଟି ହବ୍‌ ରହିବ। ସେଠାରେ ପ୍ରଶ୍ନପତ୍ର ଓ ଉତ୍ତର ଖାତା ରଖାଯିବ। ପରୀକ୍ଷା ଦିନ ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବାକୁ ନିଷ୍ପତ୍ତି ହୋଇଛି।

ଯୁକ୍ତ୨ ଥିଓରି ପରୀକ୍ଷା ଆରମ୍ଭ ହୋଇ ନ ଥିଲେ ମଧ୍ୟ ମୂଲ୍ୟାୟନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ପରିଷଦ। ମାର୍ଚ୍ଚ ୨୯ରେ ସମସ୍ତ ବିଭାଗର ଥିଓରି ପରୀକ୍ଷା ଶେଷ ହେବା କ୍ଷଣି ଏପ୍ରିଲ ପ୍ରଥମ ସପ୍ତାହରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷାର୍ଥୀଙ୍କ ଖାତା ଦେଖା ଲାଗି ଚଳିତବର୍ଷ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯିବ। ଖାତା ମୂଲ୍ୟାୟନ ଜୋନ୍‌ରେ ସୁପରଭାଇଜର, ଡେପୁଟି ସୁପରଭାଇଜର, ଜୋନ୍‌ ଅଫିସର ରହିବେ। ଏମାନଙ୍କ ସହ ମୂଲ୍ୟାୟନକାରୀ ସାମିଲ ହେବେ। ଖାତା ମୂଲ୍ୟାୟନ ପୂର୍ବରୁ ସୁପରଭାଇଜର, ଡେପୁଟି ସୁପରଭାଇଜର, ଜୋନ୍‌ ଅଫିସରଙ୍କ ତିନି ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି।

ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ପରିଷଦର ସମ୍ମିଳନୀ କକ୍ଷରେ ‘ମୂଲ୍ୟାୟନ ପ୍ରକ୍ରିୟା ୨୦୧୮’ ଶୀର୍ଷକ କର୍ମଶାଳା କରାଯିବ। ପ୍ରଥମ ଦିନରେ ୨୧ ମୂଲ୍ୟାୟନ କେନ୍ଦ୍ରର ଅଧ୍ୟାପକଙ୍କୁ ଡକାଯାଇଥିବା ବେଳେ ଦ୍ୱିତୀୟ ଦିନରେ ୨୦ ଓ ତୃତୀୟ ଦିନରେ ୧୫ଟି ମୂଲ୍ୟାୟନ କେନ୍ଦ୍ରର ଅଧ୍ୟାପକମାନେ ସାମିଲ ହେବେ। ସିଏଚ୍‌ଏସ୍‌ଇ ଉପସଚିବ ଏନେଇ ଆଜି ସମସ୍ତ ମୂଲ୍ୟାୟନ କେନ୍ଦ୍ରର ସୁପରଭାଇଜର୍‌ଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର