ଆଜିଠୁ ଯୁକ୍ତ୨ ପରୀକ୍ଷା

ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌, କ୍ୟାମେରା ମନା
ପରୀକ୍ଷା ଦେବେ ୩ ଲକ୍ଷ ୬୫ ହଜାର ଛାତ୍ରଛାତ୍ରୀ
୧୧୦୪ ପରୀକ୍ଷା କେନ୍ଦ୍ର, ୨୦୨ ହବ୍‌
ଜାରି ହେଲା ହେଲପ୍‌ଲାଇନ୍‌ ନମ୍ବର(୨୩୦୩୮୦୩)

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ସୋମବାରଠାରୁ ଆରମ୍ଭ ହେଉଛି। ପ୍ରଥମ ଦିବସରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଥିବା ବେଳେ କଳା ବିଭାଗର ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଯୁକ୍ତ୨ ପରୀକ୍ଷା ସମୟରେ ଯେମିତି ସେଭଳି ନ ହୁଏ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଇଛି। ପରୀକ୍ଷା ପରିଚାଳନା ହବ୍‌ଠାରୁ ଆରମ୍ଭ କରି ପରୀକ୍ଷା ହଲ୍‌ ପର୍ଯ୍ୟନ୍ତ ସବୁଠି ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦେଇଛି ପରିଷଦ।

ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୩,୬୫,୮୨୬ ପରୀକ୍ଷାର୍ଥୀ ରହିଛନ୍ତି। କଳାରେ ସର୍ବାଧିକ ୨,୩୩,୯୭୮ ରହିଥିବା ବେଳେ ବିଜ୍ଞାନରେ ୯୬,୧୭୫, ବାଣିଜ୍ୟରେ ୨୭,୪୪୭, ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ୮୨୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୧୧୦୪ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍‌ ହୋଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରେ ୫ଟି ଉପ ପରୀକ୍ଷା କେନ୍ଦ୍ର ରହିଛି। ଭୁବନେଶ୍ୱରର କିସ୍‌, କିଟ୍‌, ଆଇଟିଇଆର, ନୀଳାଦ୍ରିବିହାର ସରସ୍ୱତୀ ଶିଶୁମନ୍ଦିର ଓ ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉପକେନ୍ଦ୍ର ହୋଇଛି। ଉପକେନ୍ଦ୍ରଗୁଡ଼ିକ ସିସିଟିଭି ନଜରରେ ରହିଛି। ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୩୨,୭୯୩ ପରୀକ୍ଷାର୍ଥୀ ରହିଛନ୍ତି। କଟକ ଓ ଗଞ୍ଜାମରେ ସର୍ବାଧିକ ୭୨ଟି ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୩୩ କଲେଜର ୨୭,୦୩୦ ଛାତ୍ରଛାତ୍ରୀ ୬୧ଟି କେନ୍ଦ୍ରରେ ପରୀକ୍ଷା ଦେବେ। ପରୀକ୍ଷା ସମ୍ପର୍କିତ ସୂଚନା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ପରିଷଦ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର (୦୬୭୪-୨୩୦୩୮୦୩) ମଧ୍ୟ ଜାରି ହୋଇଛି।

ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ଏହାର ଏକ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ସକାଳ ୭ଟାରୁ ୯ଟା ମଧ୍ୟରେ ପରୀକ୍ଷା ପରିଚାଳନା ହବ୍‌ରୁ ପ୍ରଶ୍ନପତ୍ର ପୁଲିସ ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ସମୟରେ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କ ସମେତ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ, ଜିଲ୍ଲା ପ୍ରଶାସନର ପ୍ରତିନିଧି, ହବ୍‌ ଅବଜରଭର, ପରୀକ୍ଷକ ଉପସ୍ଥିତ ରହିବେ। ସେମାନେ ଦସ୍ତଖତ ମାରିବା ପରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲିବ। ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ହଲ୍‌କୁ ଯିବା ଲାଗି ପରୀକ୍ଷାର୍ଥୀଙ୍କୁ ଅନୁମତି ମିଳିବ। ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଲେ ତାଙ୍କ ପ୍ରଶ୍ନପତ୍ରକୁ ବନ୍ଦ ଲଫାପାରେ ପୂରାଇ ରଖାଯିବ। କେନ୍ଦ୍ର ଭିତରକୁ ମୋବାଇଲ୍‌ ଓ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ସୁପରିନ୍‌ଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିବିଶେଷ ମୋବାଇଲ୍‌ ନେଇ କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କେନ୍ଦ୍ର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ।

କପି ରୋକିବା ଲାଗି କେନ୍ଦ୍ରର ମୁଖ୍ୟ ଫାଟକ ନିକଟରେ ପରୀକ୍ଷାର୍ଥୀଙ୍କ ଶରୀରକୁ ଭଲ ଭାବେ ଯାଞ୍ଚ କରାଯିବ। କେବଳ ଅଧ୍ୟାପିକା ହିଁ ଛାତ୍ରୀଙ୍କ ଯାଞ୍ଚ କରିବେ। ପରୀକ୍ଷା କେନ୍ଦ୍ର ନିକଟରେ ଯେପରି ପରୀକ୍ଷାର୍ଥୀଙ୍କ ଅଭିଭାବକ ଏକାଠି ନ ହୁଅନ୍ତି ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି। ଦରକାର ପଡ଼ିଲେ ପରୀକ୍ଷା କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ପରୀକ୍ଷା କେନ୍ଦ୍ରର କୌଣସି ଅଧ୍ୟାପକ ଓ କର୍ମଚାରୀ କପି ଯୋଗାଣରେ ସମ୍ପୃକ୍ତ ଥିବା ନଜରକୁ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଉପରେ କଡ଼ା ନଜର ରଖିବାକୁ ସୁପରିନ୍‌ଟେଣ୍ଡେଣ୍ଟମାନଙ୍କୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ପରିଷଦ କାର୍ଯ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଞ୍ଚିଛି। ମାର୍ଚ୍ଚ ତୃତୀୟ ସପ୍ତାହରେ ପ୍ରଶ୍ନପତ୍ର ପ୍ୟାକେଟ୍‌କୁ ହବ୍‌ଗୁଡ଼ିକୁ ପଠାଯିବ।

ସମ୍ବନ୍ଧିତ ଖବର