ପୋଲସରାରେ ସିରିଜ୍‌ ବୋମାମାଡ଼ : ସ୍ୱାସ୍ଥ୍ୟକର୍ମୀ ସମେତ ୨ ଗୁରୁତର

ପୋଲସରା : କାଳୀପୂଜା ପାଇଁ ପୋଲସରା ସହର ଚଳଚଞ୍ଚଳ ଥିବା ବେଳେ ଶନିବାର ରାତିରେ ସହରରେ ଆତଙ୍କ ଖେଳାଇଛନ୍ତି ଦୁବୃର୍ତ୍ତ। ରାତି ପ୍ରାୟ ୮ଟା ୨୦ ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ସହରର ଏକାଧିକ ସ୍ଥାନରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ବୋମାମାଡ଼ରେ ପୋଲସରା ମେଡିକାଲ ସ୍ବାସ୍ଥ୍ୟକର୍ମୀ ଅନୀଲ ମଲ୍ଲିକଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି। ଅନୀଲଙ୍କ ଡାହାଣ ଆଖିରେ ଆଘାତ ଲାଗିଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବୁଢାମ୍ବ ନିକଟରେ ୧୦୮ ଆମ୍ବୁଲାନସ୍‌ ଅଚଳ ହୋଇ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବୋମାମାଡ଼ରେ ଆହତ ଶଙ୍କର କ୍ଷତାକ୍ତ ଅବସ୍ଥାରେ ଦୁର୍ବୃତ୍ତଙ୍କ ପିଛା କରିଥିଲେ ହେଁ ପତ୍ତା ପାଇନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକ୍‌ରେ ଦୁଇ ଜଣ ଯୁବକ ଆସି ପ୍ରଥମେ ବଜାର ସାହି ଛକଠାରେ ବୋମାମାଡ଼ କରିଥିଲେ। ଏହାପରେ ସେମାନେ ବାଲିଘାଇ ଛକ ଓ ରାଣୀପଡ଼ା ଛକରେ ବୋମାମାଡ଼ କରି ଆତଙ୍କ ଖେଳାଇଥିଲେ। ଯୁବକ ଦ୍ବୟ ବାଇକ୍‌ରେ ବସି ସହର ମଧ୍ୟରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ବୋମାମାଡ଼ କରି ଚାଲି ଦୀପାବଳି ପୂର୍ବରୁ ପୋଲସରା ସହରରେ ଭୟର ବାତାବରଣ ସୃଷ୍ଟି କରିଥିଲେ। ବଜାର ସାହି ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରେ ପ୍ରଥମ ବୋମା ପଡ଼ିଥିଲା। ସେ ସମୟ‌ରେ ସେଠାରେ ଏକ ଦୋକାନରେ ପୋଲସରା ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀ ଅନୀଲ ମଲ୍ଲିକ(୩୯) ବସିଥିବା ବେ‌ଳେ ବୋମାର ଟୁକୁଡ଼ା ଯାଇ ତାଙ୍କ ଡାହାଣ ଆଖିରେ ବାଜିଥିଲା। ଗୁରୁତର ଆହତ ଅନୀଲଙ୍କୁ ନେଉଥିବା ଆମ୍ବୁଲାନସ୍‌ ଅଚଳ ହେବାରୁ କବିସୂର୍ଯ୍ୟନଗରରୁ ୧୦୮ ମଗାଯାଇ ବ୍ରହ୍ମପୁର ପଠା ଯାଇଥିଲା। ଶଙ୍କର ବେହେରା ନାମକ ଯୁବକ ମଧ୍ୟ ବୋମାମାଡ଼ରେ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ନିମାଇଁ ଚରଣ ସେଠୀ ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଫୁଟିଥିବା ବୋମାର ଟୁକୁଡ଼ା ଜବତ କରିଛନ୍ତି।

ସମ୍ବନ୍ଧିତ ଖବର