ଠିକା କ୍ୟାମ୍ପରେ ମାଓ ହମଲା : ୨ ଯବାନ ସହିଦ, ୬ଆହତ

ଠିକାକ୍ୟାମ୍ପ ସୁପରଭାଇଜର ଓ ଜଣେ ଶ୍ରମିକ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମାରେ ବଡ ଧରଣର ହମଲା କରିଛନ୍ତି ନକ୍ସଲ। ଶତାଧିକ ନକ୍ସଲ ଆତର୍କିତ ଭାବେ ଆକ୍ରମଣ କରି ଗୋଟିଏ ଠିକା କ୍ୟାମ୍ପରେ ଜଣେ ଶ୍ରମିକ ଓ ସୁପରଭାଇଜରଙ୍କୁ ହତ୍ୟା କରିଥିବା ବେଳେ ଖବର ପାଇ ପହଞ୍ଚିଥିବା ୨ଜଣ କୋବ୍ରା ଯବାନ ସହିଦ ହୋଇଛନ୍ତି। ସେହିପରି ୬ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ପୁଲିସ ପକ୍ଷରୁ ଆଖପାଖ ଅଞ୍ଚଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।

ପୁଲିସ ଆଇଜି ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ ସୁକମା ଜିଲ୍ଲାର ଭଜ୍ଜି ଓ ଚିନ୍ତାଗୁମ୍ଫା ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଛି। ଏହାକୁ ନକ୍ସଲ ବିରୋଧ କରି ଆସୁଥିଲେ। ଏପରିକି କାମ ବନ୍ଦ କରିବାକୁ ବାରମ୍ବାର ଠିକାଦାରଙ୍କୁ ଚେତାବନୀ ଦେଉଥିଲେ। ତଥାପି ଏହି କାମ ଜାରି ରହିଥିଲା। ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା। ତେବେ ଆଜି ଶତାଧିକ ନକ୍ସଲ ଠିକା କ୍ୟାମ୍ପରେ ପହଞ୍ଚିଥିଲେ। କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରମିକଙ୍କୁ ନିର୍ଧୁମ ମାଡ ମାରିଥିଲେ। ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ସମସ୍ତ ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ପରେ ଜଣେ ଶ୍ରମିକ ଓ କାର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜରଙ୍କୁ ନକ୍ସଲ ନିର୍ମମ ଭାବେ ହତ୍ୟା କରିଥିଲେ।

ଠିକା କ୍ୟାମ୍ପରେ ମାଓବାଦୀଙ୍କ ହମଲା ସଂପର୍କରେ ଖବର ପାଇ କୋବ୍ରା ଯବାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନକ୍ସଲ ଆଖିବୁଜା ଗୁଳି ଚଳାଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ଯବାନ ମଡକମ ହନ୍ଦା ଏବଂ ମୁକେଶ କଡତି ସହିଦ ହୋଇଯାଇଥିଲେ। ୬ରୁ ଊର୍ଧ୍ୱ ଯବାନ ଆହତ ହୋଇଥିବା ଜଣାପଡିଛି। ଆହତ ଯବାନଙ୍କୁ ଉଦ୍ଧାର କରି ରାୟପୁର ସ୍ଥାନାନ୍ତରିତ କରାଯାଇଛି। ଶତାଧିକ ନକ୍ସଲ ଏହି ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିବାରୁ ପୁଣି ଆଖପାଖ କ୍ୟାମ୍ପରୁ ବହୁ ସଂଖ୍ୟାରେ ଯବାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଥିଲା। ଯବାନ ଆସୁଥିବା ଖବର ପାଇ ନକ୍ସଲ ଘଟଣା ସ୍ଥଳ ଛାଡିଥିଲେ। ଶେଷ ଖବର ସୁଦ୍ଧା ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।

ସମ୍ବନ୍ଧିତ ଖବର