ମହିଳା ଓ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଖମାର : ପାଳଲହଡ଼ା ବ୍ଳକ୍‌ ଖମାର ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତାହାତୀ ଆତଙ୍କ ଖେଳାଇଛି। ଗତ ସୋମବାର ଦନ୍ତା ଜଣେ ଲୋକକୁ ମାରିଥିବା ବେଳେ ଆଜି ଦୁଇଜଣଙ୍କର ଜୀବନ ନେଇଛି।

ଖମାର ରେଞ୍ଜର୍‌ ସୁକେଶ ଚନ୍ଦ୍ର ଶତ୍ରୁଶଲ୍ୟଙ୍କ ସୂଚନା ଅନୁଯାୟୀ, ଆଜି ଭୋର ସାଢ଼େ ୪ଟା ବେଳେ ଶଙ୍ଖମୁର ଗାଁ ତଇଳା ସାହିର ଇନ୍ଦ୍ରମଣି ବେହେରାଙ୍କ ପତ୍ନୀ ଉଜ୍ୱଳ ବେହେରା (୩୫) ଘର ପଛକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇ ଯାଇଥିଲେ। ଉଜ୍ୱଳଙ୍କ ପେଟରେ ଦାନ୍ତ ଭୁସିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ସଂଧ୍ୟାରେ ବଡ଼ସଡ଼ା ପଞ୍ଚାୟତ ଢିପାସାହିର ପଳଉ ବୋଇତା (୬୮) ଘର ନିକଟ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ଉକ୍ତ ଦନ୍ତାହାତୀ ତାଙ୍କୁ ଦଳି ମାରି ଦେଇଥିଲା।

ଖମାର ଥାନାଧିକାରୀ ଚିତ୍ତରଂଜନ ବେହେରା ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବ୍ଲକ୍‌ ଅଧ୍ୟକ୍ଷ ମୁକେଶ କୁମାର ପାଳ, ଜିଲ୍ଲା ପରିଷଦ ସଭ୍ୟ ସରୋଜ କୁମାର ସାହୁ ଗାଁ’ରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ରେଡ଼କ୍ରସ୍‌ ପାଣ୍ଠିରୁ ସହାୟତା ପାଇଁ ଉଭୟ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମୃତ ଉଜ୍ୱଳଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୩୦ ହଜାର ଟଙ୍କାର ଚେକ୍‌ ଦିଆଯାଇଛି। ଅବଶିଷ୍ଟ ଅର୍ଥ ପରେ ପ୍ରଦାନ କରାଯିବ ବୋଲି ରେଞ୍ଜର୍‌ ଶ୍ରୀ ଶତ୍ରୁଶଲ୍ୟ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି, ଆତଙ୍କ ଖେଳାଇଥିବା ଏହି ଦନ୍ତା ଗତ ସୋମବାର ଦିନ ନିମିରିବେଡ଼ା ଗାଁର ଜୟକୃଷ୍ଣ ନାଏକଙ୍କ ପ୍ରାଣ ନେଇଥିଲା।

ସମ୍ବନ୍ଧିତ ଖବର