୨ ଜଣ ଲୋକାୟୁକ୍ତ ସଦସ୍ୟଙ୍କ ନାମ ଉପରେ ଚୟନ କମିଟିର ମୋହର

ଭୁବନେଶ୍ବର: ଏପ୍ରିଲ ୮ ତାରିଖରୁ ସାରା ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଲୋକାୟୁକ୍ତ ଚୟନ କମିଟି ବୈଠକରେ ଦୁଇ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ଜଣେ ଜୁଡିସିଆରି ଓ ଅନ୍ୟ ଜଣକ ଅଣ-ଜୁଡିସିଆରି ସଦସ୍ୟଙ୍କ ନାମ ଉପରେ ଚୟନ କମିଟି ମୋହର ଲଗାଇଛି। ଏହି ନାମକୁ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ମିଳିଲା ପରେ ବିଜ୍ଞପ୍ତି ଜାରି ହେବ। ବୈଠକ ପରେ ଚୟନ କମିଟି ସଦସ୍ୟ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇ କହିଛନ୍ତି, ମୋଟ ୫ ଜଣ ସଦସ୍ୟ ବିଶିଷ୍ଟ ଓଡ଼ିଶା ଲୋକାୟୁକ୍ତ ବ୍ୟବସ୍ଥାରେ ୨ ଜଣଙ୍କ ନିଯୁକ୍ତି ପରେ ଖୁବଶୀଘ୍ର ଆଉ ୩ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ। ପ୍ରକାଶଥାଉକି, ରାଜ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ଅଜିତ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଆସନ୍ତା ଏପ୍ରିଲ ୮ ତାରିଖରେ ରାଜ୍ୟ ଲୋକାୟୁକ୍ତ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ମଙ୍ଗଳବାର ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ଲୋକାୟୁକ୍ତ ଚୟନ କମିଟି ବୈଠକରେ ଅନ୍ୟ ସଦସ୍ୟ ଥିବା ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ ଜାଭେରୀ ଓ ସଦସ୍ୟ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର