କାଲିମେଳା: ଦୁଇ ସଉତୁଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ବସିଥିଲା ଖାପ୍ ପଞ୍ଚାୟତ। ବିବାଦର ସମାଧାନ ହେବ କ’ଣ ବରଂ ସୃଷ୍ଟି ହୋଇଛି ଅଭାବନୀୟ ଘଟଣା। ଦୁଇ ସଉତୁଣୀଙ୍କ ସ୍ବାମୀ ବିଧାନ ମିର୍ଧାଙ୍କ ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। କାଲିମେଳା ଥାନା ଏମପିଭି-୩୩ ଗ୍ରାମର ଏହି ଘଟଣାଟି ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଧାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଗୁରୁତର ଥିବା ଅନ୍ୟ ୪ ଜଣ ଗ୍ରାମବାସୀଙ୍କୁ ମାଲକାନଗିରି ମେଡିକାଲଙ୍କୁ ପଠାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ କାଲିମେଳା ଥାନା ଏମପିଭି-୩୩ ଗ୍ରାମର ବିଧାନ ମିର୍ଧାଙ୍କ ଦୁଇ ଜଣ ପତ୍ନୀ ରହିଥିଲେ। ତେଣୁ ଦୁଇ ସଉତୁଣୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ଆଜି ଗ୍ରାମରେ ଏକ ବୈଠକ ବସି ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା। ଏହି ସମୟରେ ଦୁଇ ସଉତୁଣୀଙ୍କ ସ୍ବାମୀ ବିଧାନ ଉତ୍ତ୍ୟକ୍ତ ଅବସ୍ଥାରେ ଗୋଟିଏ ଛୁରି ନେଇ ବୈଠକରେ ପହଞ୍ଚିଥିଲା। କେହି କିଛି ବୁଝିବା ପୂର୍ବରୁ ଆତର୍କିତ ଭାବେ ଆକ୍ରମଣ କରିଥିଲା। ବିଧାନଙ୍କ ଏଭଳି ଭୟଙ୍କର ରୂପକୁ ଦେଖି ଅନ୍ୟମାନେ ଛତ୍ରଭଂଗ ଦେଇଥିବା ବେଳେ ଛୁରା ମାଡ଼ରେ ଆହତ ୬ ଜଣ ରକ୍ତାକ୍ତ ଅବସ୍ଥାରେ ତଳି ପଡି ଯାଇଥିଲେ। ଗ୍ରାମବାସୀ ଆହତଙ୍କୁ କାଲିମେଳା ଡାକ୍ତରଖାନାକୁ ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ମାଧବୀ ରାୟ (୪୮) ଓ ବିଶ୍ବନାଥ ରାୟ(୫୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ସଚିନ ମିସ୍ତ୍ରୀ, ସୁମିତ୍ରା ରାୟ, ଅଞ୍ଜୁ ସାନା, ବିନୋଦ ମଣ୍ଡଳଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ବିଧାନକୁ ଥାନାକୁ ଆଣି ପଚରାଉଚୁରା କରୁଛି।