ସରିଲା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର : ଜାନୁଆରି ୨୯ରୁ ଆରମ୍ଭ ହୋଇଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୨ ଲକ୍ଷ ୬୭ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେଇଛନ୍ତି। କଳା ବିଭାଗରେ ସର୍ବାଧିକ ଏକ ଲକ୍ଷ ୪୪ ହଜାର ପିଲା ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୯୬ ହଜାର ଏବଂ ବାଣିଜ୍ୟରେ ପ୍ରାୟ ୨୬ ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରିକ୍ଷା ଦେଇଛନ୍ତି। ଫେବ୍ରୁଆରି ୯ରୁ ୧୩ ତାରିଖ ପର୍ଯ୍ୟନ୍ତ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ମାର୍କ ଫଏଲ୍‌, ଉତ୍ତର ଖାତା, ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଯୁକ୍ତ୨ ଥିଓରି ପରୀକ୍ଷା ଲାଗି ଆଉ ମାତ୍ର ୨୫ ଦିନ ଥିବାରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ପରିଷଦ। ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରର ଭିତ୍ତିଭୂମି ଯାଞ୍ଚ ଆରମ୍ଭ ହୋଇଛି। ଯେଉଁଠି ଆବଶ୍ୟକ ଭିତ୍ତିଭୂମି ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ପରୀକ୍ଷା ପୂର୍ବରୁ ଭିତ୍ତିଭୂମି ସଜାଡ଼ିବାକୁ ବି ତାଗିଦ୍‌ କରାଯାଇଛି। ଯେଉଁମାନେ ପରୀକ୍ଷା ପୂର୍ବରୁ ଭିତ୍ତିଭୂମି ଠିକ୍‌ ନ କରନ୍ତି ତେବେ ସେଠାରେ ପରୀକ୍ଷା କେନ୍ଦ୍ରକୁ ବାତିଲ୍‌ କରାଯାଇପାରେ। ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ ଲାଗି ସ୍କ୍ଵାଡ୍‌ ଗଠିତ ହୋଇଛି। ପରିଷଦର ଉପସଚିବଙ୍କ ସମେତ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଅଧିକାରୀମାନେ ବିଭିନ୍ନ କେନ୍ଦ୍ରକୁ ଗସ୍ତ କରି ଯାଞ୍ଚ କରୁଛନ୍ତି। ଯେଉଁ କେନ୍ଦ୍ରରେ କପି ହେଉଥିବା ନେଇ ପୂର୍ବରୁ ଅଭିଯୋଗ ଆସିଛି ତାହାକୁ ପ୍ରାଥମିକତା ଦିଆଯାଇ ଯାଞ୍ଚ କରାଯାଇଛି। ୨୦୨ଟି ହବ୍‌ରେ ସିସିଟିଭି, ସୁରକ୍ଷା ପ୍ରତିି ଧ୍ୟାନ ଦିଆଯାଉଛି। ଅଧିକାରୀମାନେ ପରୀକ୍ଷା କେନ୍ଦ୍ରର ସୁପରିନ୍‌ଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପରାମର୍ଶ ଦେଉଛନ୍ତି। ଫେବ୍ରୁଆରି ଶେଷ ସୁଦ୍ଧା ପରୀକ୍ଷା ପରିଚାଳନା ହବ୍‌କୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର