ନୂଆବର୍ଷ ସେଲିବ୍ରେସନ ରାତିର ଦୁଇଟି କଳା ମୁହୂର୍ତ୍ତ

ଭୁବନେଶ୍ୱର: ଉଜାଗର ରାତି ଥିଲା ସତ କିନ୍ତୁ ନୂଆବର୍ଷ ପାଳନର ତରିକା ଭିନ୍ନ ଥିଲା | କିଏ ନୂଆବର୍ଷ ସେଲିବ୍ରେସନ କରିବାରେ ବ୍ୟସ୍ତ ଥିଲେ ତ କିଏ ପୁଣି ରାତିଯାକ ଉଜାଗର ହୋଇ ବାର୍ତ୍ତା ପଠାଇଥିଲେ | ହେଲେ ନୂଆବର୍ଷକୁ ସ୍ୱାଗତ କରିବାର ରାତି କେବଳ ସେଲିବ୍ରେସନ ପାଇଁ ନଥିଲା | ବରଂ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବି ବାସହରାମାନେ ରାତି କାଟିଥିଲେ | ନୂଆ ବର୍ଷ ଆସିବାର ଉନ୍ମାଦନା ଏମାନଙ୍କ ପାଇଁ ବୋଧେ ଫରକ ପଡ଼ିନଥିଲା | ଜୀବନ ବଞ୍ଚିବା ହିଁ ଏହି ନିରାଶ୍ରୟଙ୍କ ପାଇଁ ସବୁ କିଛି ଥିଲା | ଆମେ ଆପଣଙ୍କୁ ରାଜ୍ୟର ଦୁଇଟି ସ୍ଥାନର ଚିତ୍ର ଦେଖାଇବୁ | ସାରା ଦୁନିଆ ନୂଆବର୍ଷ ସେଲିବ୍ରେସନ ମୁଡରେ ଥିବା ବେଳେ ଶୀତ ରାତିରେ କିଭଳି ଥିଲା ବେସାହାରାଙ୍କ ସ୍ଥିତି |

ସମ୍ବଲପୁର କୁଚିଣ୍ଡାରେ ମଣିଷ-କୁକୁର ଏକାଠି ଶୋଇଛନ୍ତି

ପ୍ରଥମରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା । କୁଚିଣ୍ଡା ମୁକ୍ତାକାଶ ଧର୍ମଶାଳାରେ ଖୋଲିଥିବା ଅସ୍ଥାୟୀ ଶିବିର ଖାଲି ପଡିଥିଲା । ଆଉ ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ ଉଭୟ ମଣିଷ–କୁକୁର । ଶୀତ ରାତିରେ ସତେ ଯେମିତି ଦୁହେଁ ଦୁହିଁଙ୍କୁ ବନ୍ଧୁ କରିନେଇଛନ୍ତି । ନିରାଶ୍ରୟଙ୍କ ବାସ୍ତବତା ଏଭଳି ଥିବା ବେଳେ ଅସ୍ଥାୟୀ ଶିବିର ଆରମ୍ଭ ଦିନ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ଶୋଇବାକୁ ନେଇ ଭିଡିଓ ଛାଡିଥିଲେ ଏନଏସି କର୍ମଚାରୀ । ହେଲେ ଗତକାଲି ରାତିରେ ସ୍ଥିତି କିଛି ଭିନ୍ନ କାହାଣୀ କହୁଥିଲା |

ଢେଙ୍କାନାଳରେ ବେସାହାରାଙ୍କ ଦୃଶ୍ୟ

ଦ୍ଵିତୀୟରେ ଢେଙ୍କାନାଳର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ | ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ନୂଆବର୍ଷ ପାଳନ ପାଇଁ ଉତ୍ସବ ଚାଲିଥିବା ବେଳେ ବାହାରେ ମାଳମାଳ ଗାଡି ରହିଛି । ପ୍ରଶାସନିକ ବାବୁ ନୂଆବର୍ଷ ପାଳନରେ ମାତି ଥିବା ବେଳେ ସହରର ରାସ୍ତା କଡରେ ଖୋଲା ଆକାଶ ତଳେ ଶୋଇଥିଲେ ବାସହୀନ ମଣିଷ ।

ଢେଙ୍କାନାଳରେ ବେସାହାରାଙ୍କ ଦୃଶ୍ୟ

ସବୁଠାରୁ ବଡ କଥା ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩୦ ମିଟର ଦୂର ଭିଆଇପି ରାସ୍ତା କଡରେ ନିରାଶ୍ରୟ ଲୋକ ଶୋଇଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ଶୀତର ମାତ୍ରା ବଢିବା ପରେ ନିରାଶ୍ରୟ ଲୋକଙ୍କୁ ଅସ୍ଥାୟୀ ଭାବେ ଆଶ୍ରୟସ୍ଥଳୀରେ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଢେଙ୍କାନାଳର ଚିତ୍ର ପୁରା ସରକାରୀ ବ୍ୟବସ୍ଥାକୁ ଉପେକ୍ଷା କରୁଛି କହିଲେ କିଛି ଭୁଲ ହେବ ନାହିଁ ।

ସମ୍ବନ୍ଧିତ ଖବର