ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ହାଇସ୍କୁଲ ଶିକ୍ଷାଦାନ ପଦ୍ଧତିରେ ପୁନର୍ଗଠନ କରାଯାଇଛି। ଜନଜାତି ବହୁଳ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ମୟୂରଭଞ୍ଜ, ଗଜପତି, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ୨୬ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନିତ କରାଯାଇଥିଲା।

Advertisment

ଉଚ୍ଚଶିକ୍ଷା ଦିଗରେ ଏସ୍‌ଟି ଓ ଏସ୍‌ସି ବିଭାଗର ପଦକ୍ଷେପ
ପ୍ରଥମ ପର୍ଯ୍ୟାୟରେ ୭ ବିଷୟରେ ପାଠପଢ଼ା
ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ୧୫୪ ଜଣ ପିଜିଟି

ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇ ଗଜପତି, କନ୍ଧମାଳ, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାର ୨୧ଟି ହାଇସ୍କୁଲରେ ଯୁକ୍ତ୨ ବିଜ୍ଞାନ ବିଭାଗ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏଠାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ପ୍ରାଣୀ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଓଡ଼ିଆ ଓ ଇଂରାଜୀ ବିଷୟରେ ପାଠପଢ଼ା ହେବ। ଏଥିରେ ୨୩୦ ଜଣ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ)ଙ୍କୁ ନିଯୁକ୍ତି ଦେବା ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନଙ୍କୁ ଅନୁରୋଧ କରାଯାଇଥିଲା। ବର୍ତମାନ ସୁଦ୍ଧା ୧୫୪ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ସପ୍ତମ ବେତନ କମିସନର ସୁପାରିଶ ଅନୁଯାୟୀ ପିଜିଟି ଶିକ୍ଷକମାନେ ଦରମା ପାଇବେ। ଏହି ନବ ନିଯୁକ୍ତ ପିଜିଟିଙ୍କୁ ଖୁବ୍‌ଶୀଘ୍ର ଉକ୍ତ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ ବୋଲି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି।