ଯୁକ୍ତ୨ ସେଲ୍ଫ ଫାଇନାନ୍ସିଂ କଲେଜରେ ଭିତ୍ତିଭୂମି ଅଭାବ : ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ଯାଞ୍ଚ

୪ଟି ଜୋନ୍‌ ଲାଗି ଗଠନ ହେଲା ୫ ଟିମ୍‌

ଭୁବନେଶ୍ୱର : ଜାନୁଆରି ୨୫ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ହାତରେ ଆଉ ମାତ୍ର ୭ ଦିନ ଥିବା ବେଳେ ଏ ପର୍ଯ୍ୟନ୍ତ କେତେକ ସେଲ୍ଫ ଫାଇନାନ୍ସିଂ କଲେଜ ସେମାନଙ୍କ ଭିତ୍ତିଭୂମି ପ୍ରସ୍ତୁତ କରିନାହାନ୍ତି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ୨୦ରୁ ଅଧିକ ଅଭିଯୋଗ ଆସିବା ପରେ ଚଢ଼ଉ ପାଇଁ ସଜବାଜ ଆରମ୍ଭ କରିଛି ପରିଷଦ। ପରିଷଦ ପକ୍ଷରୁ ୫ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ଦୁଇ ଜଣ ଲେଖାଏ ସଦସ୍ୟ ରହିଛନ୍ତି। ଟିମ୍‌ ପ୍ରତିଦିନ ଅତି କମ୍‌ରେ ୪ରୁ ୫ଟି କଲେଜ ବୁଲି ଯାଞ୍ଚ କରିବେ। ଯଦି କୌଣସି କଲେଜର ଭିତ୍ତିଭୂମି ଠିକ୍‌ ନ ଥିବ ସେଠାରେ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ଉକ୍ତ କଲେଜର ଛାତ୍ରଛାତ୍ରୀ ନିକଟସ୍ଥ ଯୁକ୍ତ୨ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଦେବେ। ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଜଣାପଡ଼ିଛି।

ଗତବର୍ଷଗୁଡ଼ିକ ପରି ଏଥର ମଧ୍ୟ ପରିଷଦ କର୍ତୃପକ୍ଷଙ୍କ ଆଖିରେ ଧୂଳି ଦେଇ କେତେକ ସେଲ୍ଫ ଫାଇନାନ୍ସିଂ କଲେଜ ଖସି ଯିବାକୁ ଯୋଜନା କରିଛନ୍ତି। ପରୀକ୍ଷା ପୂର୍ବରୁ ଭିତ୍ତିଭୂମି ତଥ୍ୟ ଦେବାକୁ ଗତ କିଛି ବର୍ଷ ହେଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଲେଜଗୁଡ଼ିକୁ ବାରମ୍ବାର ଚିଠି ଲେଖାଯାଉଛି। କିନ୍ତୁ କେହି ମାନୁନାହାନ୍ତି। ପର୍ଯାପ୍ତ ଭିତ୍ତିଭୂମି ନ ଥିଲେ ମଧ୍ୟ ତଥ୍ୟ ଲୁଚାଉଛନ୍ତି। ରାଜ୍ୟରେ ଥିବା ୧୫୪୮ଟି ଯୁକ୍ତ୨ କଲେଜ ମଧ୍ୟରୁ ପ୍ରାୟ ୧୮୦ ସେଲ୍ଫ ଫାଇନାନ୍ସିଂ କଲେଜର ଭିତ୍ତିଭୂମି ଠିକ୍‌ ନାହିଁ। ସେଠାରେ ପ୍ରାକ୍ଟିକାଲ ପରୀକ୍ଷା କରାଇବା ସମ୍ଭବପର ନୁହେଁ। କେଉଁଠି ଲାବରେଟ୍ରୋରି ଭଲ ନାହିଁ ତ ଆଉ କାହାର ପରୀକ୍ଷା କରିବା ଲାଗି ରୁମ୍‌ର ଅଭାବ ରହିଛି। କେତେକ ଘରୋଇ କଲେଜରେ ବି ସମାନ ଅବସ୍ଥା। ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ପରିଷଦର ଦୃଷ୍ଟି ଆକର୍ଷଣ କରିବା ପରେ ଚଢ଼ଉ କରିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର