ଫଟୋ ଉଠାଇବା କାଳ ହେଲା : ଭାସିଗଲେ ଦୁଇ ଛାତ୍ର

କଟକ : ସାଙ୍ଗରେ ନେଇଥିଲେ କ୍ୟାମେରା ଆଉ ଚଷମା। ମହାନଦୀ ପାଣିରେ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ଫେସବୁକ୍‌ରେ ଛାଡ଼ିବା ଯୋଜନା କରିଥିଲେ ତିନି ସାଙ୍ଗ। ହେଲେ ଅସାବଧାନତାରୁ ପାଣିରେ ଭାସିଗଲେ ଦୁଇ ଜଣ। ଅଳ୍ପକେ ବର୍ତ୍ତିଗଲା ଜଣେ। ଆଜି ସକାଳେ କଟକ ସିଡିଏ ଫେଜ୍‌-୨ ଥାନା ଅନ୍ତର୍ଗତ ମହାନଦୀର ଧବଳେଶ୍ୱର ଘାଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଭାସି ଯାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ପ୍ରଥମ ବର୍ଷ ଛାତ୍ର ଶୁଭଙ୍କର ପଣ୍ଡା, ରଘୁନାଥଜୀଉ କଲେଜ୍‌ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ର ରିତେଶ ପ୍ରଧାନ ଓ ରେଭେନ୍ସା କଲଜିଏଟ୍‌ ସ୍କୁଲ ଦଶମ ଶ୍ରେଣୀ ଛାତ୍ର ପ୍ରୀତମ ସେଠୀ ଆଜି ସକାଳ ପ୍ରାୟ ୮ଟା ପାଖାପାଖି ସମୟରେ ଧବଳେଶ୍ୱର ଘାଟରେ ପହଞ୍ଚି ଥିଲେ। ମହାନଦୀ କୂଳରେ ବିଭିନ୍ନ ଷ୍ଟାଇଲରେ ଫଟୋ ଉଠାଇବେ ଓ ଏହାକୁ ସାଙ୍ଗ ମାନଙ୍କୁ ଦେଖାଇବା ସହ ଫେସବୁକ୍‌ରେ ପୋଷ୍ଟ କରିବା ଥିଲା ସେମାନଙ୍କର ଯୋଜନା। ସକାଳ ୭ଟା ସୁଧା ସମସ୍ତେ ଘରୁ ବାହାରି ଆସିଥିଲେ। କଲେଜ ଓ ଟିଉସନ୍‌କୁ ଯାଉଛୁ କହି ସମସ୍ତେ ଘରୁ ବାହାରିଥିଲେ। ଫଟୋ ଉଠାଇବାକୁ ଶୁଭଙ୍କର ସାଙ୍ଗରେ କ୍ୟାମେରା ଓ ୩ଟି ଚଷମା ଆଣିଥିଲା। ଯାହାକୁ ପୁଲିସ ଘଟଣା ସ୍ଥଳରୁ ଉଦ୍ଧାର କରିଛି।

ନଦୀକୂଳରେ ଫଟୋ ଉଠାଉଥିବା ବେଳେ ଘାଟ କୂଳରେ ଥିବା କେତେକ ଲୋକ ତିନି ସାଙ୍ଗଙ୍କୁ ନଦୀ ଭିତରକୁ ନ ଯିବା ପାଇଁ ବାରଣ କରିଥିଲେ। ନଦୀରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଘାଟ ନିକଟରେ ଥିବା ସାଇକେଲ ଷ୍ଟାଣ୍ଡ ଜଗୁଆଳି ମଧ୍ୟ ସେମାନଙ୍କୁ ପାଟି କରିଥିଲେ। ଜଗୁଆଳିଙ୍କ ବାରଣ ପରେ ସେମାନେ ସେଠାରୁ ଚାଲି ଯାଇଥିଲେ। ଘାଟ ନିକଟରେ ଥିବା ଏକ ଦୋକାନରୁ ପୁଡିଆ ଓ ବାରମଜା କିଣି କିଛି ସମୟପରେ ପୁଣି ଫେରି ଥିଲେ ଘାଟକୁ। ସେହି ସମୟରେ ଘାଟରେ କେହି ନଥିବା ସୁଯୋଗ ନେଇ ପ୍ରୀତମ ନଦୀରେ ଗାଧୋଇବ ବୋଲି କହି ପ୍ରଥମେ ନଦୀ ଭିତରକୁ ଯାଇଥିଲା। ପ୍ରୀତମକୁ ଦେଖି ଶୁଭଙ୍କର ମଧ୍ୟ ପାଣି ଭିତରକୁ ଗଧୋଇବାକୁ ଯାଇଥିଲା। ଉପରେ ରହି ରିତେଶ ସେମାନଙ୍କ ଗାଧୋଇବା ଫଟୋ ଉଠାଉଥିଲା। ନଈରେ ସୁଅ ଥିବାରୁ ପ୍ରଥମେ ଶୁଭଙ୍କରର ଗୋଡ଼ ଖସି ଯାଇଥିଲା ଓ ସେ ପାଣି ଭିତରେ ବୁଡିଯାଇଥିଲା। ତାକୁୁ ବଞ୍ଚାଇବାକୁ ପ୍ରୀତମ ଯାଇଥିବା ବେଳେ ଶୁଭଙ୍କର ବିକଳରେ ପ୍ରୀତମର ବେକକୁ ଧରି ନେଇଥିଲା। ଫଳରେ ଦୁଇ ଜଣ ପାଣିରେ ବୁଡି ଯାଇଥିଲେ।

ରିତେଶ ସେହି ସମୟରେ ପାଣିକୁ ଡେଇଁ ପ୍ରୀତମର ହାତକୁ ଟାଣିବାକୁ ଉଦ୍ୟମ କରିଥିଲା। ମାତ୍ର ସେମାନଙ୍କୁ ଟାଣି ପାରିନଥିଲା। ବିଫଳ ହେବାରୁ ରିତେଶ କୂଳକୁ ଆସି ପାଟି କରି ଲୋକଙ୍କୁ ଡାକ ପକାଇଥିଲା। ଆଖପାଖରେ ଥିବା ଲୋକେ ଡାକ ଶୁଣି ପହଞ୍ଜିବା ବେଳେକୁ ଶୁଭଙ୍କର ଓ ପ୍ରୀତମ ପାଣି ଭିତରେ ବୁଡି ଯାଇଥିଲେ। ଖବର ପାଇ ଫେଜ୍‌-୨ ଥାନା ପୁଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ। ଦିନ ପ୍ରାୟ ଦୁଇଟା ବେଳେ ଶୁଭଙ୍କରର ମୃତଦେହ ମିଳିଥିଲା। ମାତ୍ର ପ୍ରୀତମଙ୍କ କୌଣସି ପତ୍ତା ମିଳିନଥିଲା। ଆସନ୍ତାକାଲି ମଧ୍ୟ ଓଡ୍ରାଫ ଟିମ ପ୍ରୀତମଙ୍କୁ ଖୋଜିବା ଜାରିରଖିବ ବୋଲି ପୁଲିସ ସୂଚନା ଦେଇଛି। ଶୁଭଙ୍କରଙ୍କ ଘର ସିଡିଏ ସେକ୍ଟର ୮ରେ ହୋଇଥିବା ବେଳେ ବାପା ଡକ୍ଟର ଲକ୍ଷ୍ମୀ ନାରାୟଣ ପଣ୍ଡା ରଘୁନାଥଜୀଉ କଲେଜର ଅଧ୍ୟାପକ ଏବଂ ମା’ ଡକ୍ଟର ଅବନ୍ତୀକା କର ବାଙ୍କୀ କଲେଜରେ ଅଧ୍ୟାପିକା ଅଛନ୍ତି।

ସମ୍ବନ୍ଧିତ ଖବର