ଭୁବନେଶ୍ୱର: ସାରା ଦେଶରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷା ଏଣିକି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ହେବ। ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଏହି ପରୀକ୍ଷା କରୁଥିଲା। ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ବର୍ଷକୁ ଦୁଇଥର ହେବାକୁ ଥିବା ବେଳେ ମେଡିକାଲ ପାଠ୍ୟକ୍ରମ ପାଇଁ ହେଉଥିବା ‘ନିଟ୍’ ବର୍ଷକୁ ଥରେ କରାଯିବ। ଏନେଇ ଏନ୍ଟିଏ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ଜାନୁଆରି ୬ରୁ ୨୦ ଯାଏ ଜେଇଇ ମେନ୍-୧ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ସେପ୍ଟେମ୍ବର ୧ରୁ ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଡିସେମ୍ବର ୧୭ରୁ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିହେବ। ଜାନୁଆରି ୩୧ରେ ରେଜଲ୍ଟ ବାହାରିବ। ସେହିପରି ଏପ୍ରିଲ ୬ରୁ ୨୦ ପର୍ଯ୍ୟନ୍ତ ଜେଇଇ ମେନ୍-୨ ଅନୁଷ୍ଠିତ ହେବ। ଏଥିପାଇଁ ଫେବ୍ରୁଆରି ୮ରୁ ମାର୍ଚ୍ଚ ୭ ମଧ୍ୟରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୩୦ରେ ପରୀକ୍ଷା ଫଳ ବାହାରିବ। ଉଭୟ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହେଉଥିବା ନିଟ୍ ବର୍ଷକୁ ଥରେ କରାଯିବ ଓ କେବଳ କାଗଜ କଲମରେ ହେବ। ୨୦୧୯ ମେ’ ୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଲାଗି ନଭେମ୍ବର ୧ରୁ ୩୦ ମଧ୍ୟରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଜୁନ୍ ୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଗତବର୍ଷ ପରି ଏଥର ମଧ୍ୟ ସମାନ ଭାଷା ଓ ନମ୍ବରର ପରୀକ୍ଷା କରାଯିବ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ଏଥର ସାରା ଦେଶରେ ଟେଷ୍ଟ ପ୍ରାକ୍ଟିସ୍ ସେଣ୍ଟର(ଟିପିସି) ପ୍ରତିଷ୍ଠା କରାଯିବ। ୨,୬୯୭ଟି ସ୍କୁଲ ଓ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସେଣ୍ଟର ହେବ। ସେପ୍ଟେମ୍ବର ୧ରୁ ପ୍ରତି ଶନିବାର ଓ ରବିବାର ଛାତ୍ରଛାତ୍ରୀ ସେଠାରେ ପ୍ରାକ୍ଟିସ୍ କରିପାରିବେ। ଯେକୌଣସି ଛାତ୍ରଛାତ୍ରୀ ସେଠାରେ ବିନା କୌଣସି ଫି’ରେ ପ୍ରାକ୍ଟିସ୍ କରିିବେ। ନିକଟସ୍ଥ ଟିପିସି ଚୟନ ପାଇଁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଉଛି। ଅନ୍ୟପକ୍ଷରେ ଡିସେମ୍ବର ୯ରୁ ୨୩ ପର୍ଯ୍ୟନ୍ତ ୟୁଜିସି ନେଟ୍ ଅନୁଷ୍ଠିତ ହେବ। ଏଥିପାଇଁ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ନାମ ପଞ୍ଜୀକରଣ କରିହେବ। ଜାନୁଆରି ୧୦ରେ ଫଳ ପ୍ରକାଶ ପାଇବ। ସେହିପରି ସିମାଟ୍ ଓ ଜିପାଟ୍ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି। ଜାନୁଆରି ୨୮ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ନଭେମ୍ବର ୧ରୁ ୩୦ ତାରିଖ ମଧ୍ୟରେ ପଞ୍ଜୀକରଣ କରାଯିବ। ଫେବ୍ରୁଆରି ୧୦ରେ ଫଳ ପ୍ରକାଶ ପାଇବ। ୟୁଜିସି ନେଟ୍, ସିମାଟ୍ ଓ ଜିପାଟ୍ ପରୀକ୍ଷା କମ୍ପ୍ୟୁଟର ବେସଡ୍ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।