ସୁବର୍ଣ୍ଣପୁର ବେଳାଭୂମିରେ ଅଘଟଣ : ସମୁଦ୍ରରେ ବୁଡ଼ିଗଲେ ୨ ସାଙ୍ଗ, ଅଳ୍ପକେ ବର୍ତିଲେ ୬, ନିଖୋଜଙ୍କ ପତ୍ତା ମିଳୁନି

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ତାଳସାରୀ ନିକଟସ୍ଥ ସୁବର୍ଣ୍ଣପୁର ବେଳାଭୂମିକୁ ବୁଲିବାକୁ ଯାଇଥିବା କିଛି ଯୁବକ ଆଜି ବଡ଼ଧରଣର ଅଘଟଣର ସାମ୍ନା କରିଛନ୍ତି। ସାଙ୍ଗ ହୋଇ ସମୁଦ୍ରରେ ଗାଧୋଉଥିବାବେଳେ ଏହି ଯୁବକମାନଙ୍କ ୨ ଜଣ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ୬ ଜଣ ଅଳ୍ପକେ ବର୍ତି ଯାଇଛନ୍ତି। ନିଖୋଜ ଯୁବକ ଦ୍ୱୟ ହେଲେ ଜଳେଶ୍ୱରପୁର ଗ୍ରାମର ଦୁର୍ଗାଶଙ୍କର ଜେନା (୨୧) ଏବଂ ଦୀଘା ଥାନା ଅନ୍ତର୍ଗତ ଗୋବରା ଗାଁର ବାପା ପାତ୍ର (୧୭)। ତାଳସାରୀ ମେରାଇନ ପୁଲିସ ସେମାନଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏଯାଏ ପତ୍ତା ମିଳି ନ ଥିବାରୁ ସେମାନେ ସମୁଦ୍ରରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ; ଆଜି ସକାଳ ୧୦ଟା ବେଳେ ଦୁର୍ଗାଶଙ୍କର ଓ ବାପା ସେମାନଙ୍କର ଅନ୍ୟ ୬ ସାଙ୍ଗ ଭୋଗରାଇ ଥାନା ଅନ୍ତର୍ଗତ ସାନତେଘରୀ ଗ୍ରାମର ମନୋରଞ୍ଜନ ସାହୁ (୨୬), ଜୟରାମପୁର ଗ୍ରାମର ହରିପଦ ରାଉତ (୨୬), ଦେହୁର୍ଦ୍ଦା ଉତପଦା ଗ୍ରାମର ଦିଲ୍ଲୀପ ଦାସ (୨୫), ପଦ୍ମଲୋଚନ ମହାନ୍ତି (୨୬), କରୁଣାକର ଗିରି (୨୯), ପୂର୍ବ ମେଦିନୀପୁର ମୁକୁନ୍ଦପୁର ଗାଁର ଆନନ୍ଦ ଦାସ (୨୫) ସାଙ୍ଗ ହୋଇ ତାଳସାରୀ ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ସେଠାରେ ଥିବା ଏକ ହୋଟେଲ୍‌ରେ ସେମାନେ ଖାଦ୍ୟ ପାଇଁ ଅର୍ଡର ଦେଇ ତାଳସାରୀ ନିକଟ ସୁବର୍ଣ୍ଣପୁର ବେଳାଭୂମିକୁ ଚାଲି ଯାଇଥିଲେ। ସେଠାରେ ସେମାନେ ସାଙ୍ଗ ହୋଇ ସମୁଦ୍ରରେ ଗାଧୋଇଥିଲେ। ତେବେ ହଠାତ୍‌ ସମୁଦ୍ରରେ ଏକ ବଡ଼ ଲହଡ଼ି ଆସି ସମସ୍ତଙ୍କୁ ଦୂରକୁ ଭସାଇ ନେଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ପହଁରି ପହଁରି ବହୁ କଷ୍ଟରେ କୂଳକୁ ଫେରିଆସିବାରେ ସଫଳ ହୋଇଥିବା ବେଳେ ବାପା ଓ ଦୁର୍ଗାଶଙ୍କର ଭାସିଯାଇ ନିଖୋଜ ହୋଇଯାଇଥିଲେ। ଏ ଖବର ପ୍ରଚାରିତ ହୋଇଯିବା ପରେ ତାଳସାରି ମେରାଇନ୍‌ ପୁଲିସ ଏକ ବୋଟ୍‌ ଯୋଗେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲା। ହେଲେ ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନଥିବା ଜଣାପଡ଼ିଛି। ଫଳରେ ଉଭୟଙ୍କ ପରିବାର ଓ ଆତ୍ମୀୟସ୍ୱଜନ ନାନା ଆଶଙ୍କାରେ ରହିଛନ୍ତି।

ସମ୍ବନ୍ଧିତ ଖବର