୨୦ ଶିଶୁଙ୍କୁ ଚେଙ୍କ

ପରମ୍ପରା ନା ଅନ୍ଧବିଶ୍ୱାସ!

କାମାକ୍ଷାନଗର : ଚିକିତ୍ସା ବିଜ୍ଞାନରେ ଅନେକ ଅଗ୍ରଗତି ଘଟିଥିଲେ ମଧ୍ୟ ଆଦିବାସୀ ଅଞ୍ଚଳରେ ପରମ୍ପରା ନାଁ’ରେ କୋମଳମତି ଶିଶୁଙ୍କୁ ଚେଙ୍କ ଦିଆଯାଉଛି। ଯାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ ମଠକରଗୋଳା ପଞ୍ଚାୟତର ଥୋରିଆଛନ୍ଦା ଗାଁ’ରେ। ଏହି ଗାଁ’ରେ ମକର ସଂକ୍ରାନ୍ତି ପରଦିନ ଗ୍ରାମବାସୀ ସକାଳୁ ଚୁଲିରେ ନିଆଁ ଲଗାଇ ତତଲା ତମ୍ବା ଛଡ଼ରେ ନବଜନ୍ମିତ ଶିଶୁଙ୍କଠାରୁ ଆରମ୍ଭ କରି ୫ ବର୍ଷର ଶିଶୁଙ୍କୁ ଚେଙ୍କ ଦେଇଥାନ୍ତି। ମକର ପରଦିନ ଚେଙ୍କ ଦେଲେ ଶିଶୁମାନଙ୍କୁ କୌଣସି ରୋଗ ହୁଏନି, ଯଦିବା ହୁଏ ସେମାନେ ଆରୋଗ୍ୟ ଲାଭ କରନ୍ତି ବୋଲି ଗ୍ରାମବାସୀଙ୍କର ଦୃଢ଼ ବିଶ୍ୱାସ ରହିଛି। ଏହି ଅନ୍ଧବିଶ୍ୱାସର ବଶବର୍ତୀ ହୋଇ ଆଖପାଖ ଗାଁ’ରେ ଥିବା ବନ୍ଧୁବାନ୍ଧବମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ନେଇ ଏଠାକୁ ଚେଙ୍କ ଦେବା ପାଇଁ ଆସିଥାନ୍ତି। ଚଳିତ ବର୍ଷ ମଧ୍ୟ ମକର ସଂକ୍ରାନ୍ତି ପରଦିନ ଅର୍ଥାତ୍‌ ଆଜି ଥୋରିଆଛନ୍ଦା ଗ୍ରାମରେ ୨୦ରୁ ଉର୍ଧ୍ୱ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁ ଅସୁସ୍ଥ ଥିବା ଜଣାପଡ଼ିଛି।

ଏ ସଂପର୍କରେ ମଠକରଗୋଳା ପଞ୍ଚାୟତ ସରପଞ୍ଚ ସୁନେଲି ନାୟକଙ୍କୁ ପଚରାଯିବାରୁ ସେ ଏ ବିଷୟରେ କିଛି ଜାଣିନଥିବା କହିଥିଲେ। ‘ସମ୍ବାଦ’ ପ୍ରତିନିଧିଙ୍କଠାରୁ ଘଟଣା ସଂପର୍କରେ ଜାଣିବା ପରେ ସରପଞ୍ଚ ଶ୍ରୀମତୀ ନାୟକ ଉକ୍ତ ଗାଁ’କୁ ଯାଇ ଲୋକମାନଙ୍କୁ ଚେଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବେ ବୋଲି କହିଥିଲେ। କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଦିଗାମ୍ବର ସାହୁ କହିଛନ୍ତି ଯେ ଚେଙ୍କ ଚିକିତ୍ସା ଶିଶୁର ସ୍ୱାସ୍ଥ୍ୟ ପାଇଁ ଖାଲି କଷ୍ଟଦାୟକ ନୁହେଁ, ଅତ୍ୟନ୍ତ ମାରାତ୍ମକ ଓ ହାନିକାରକ। ଏଥିରେ ପ୍ରାଣଯିବାର ଶତପ୍ରତିଶତ ସମ୍ଭାବନା ରହିଛି। ଲୋକମାନଙ୍କୁ ଏ ପ୍ରକାର ଅନ୍ଧବିଶ୍ୱାସରୁ ନିବୃତ୍ତ କରିବା ପାଇଁ ଅପହଞ୍ଚ ଗାଁ’ଗୁଡ଼ିକରେ ସରକାର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଆବଶ୍ୟକ।

ଆଦିବାସୀ ଅଞ୍ଚଳରେ ଏ ନେଇ ସଚେତନ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ ଭୁପିନ୍ଦର ସିଂ ପୁନିଆ କହିଥିବା ବେଳେ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ବସନ୍ତ ପାଣିଗ୍ରାହୀ ଉକ୍ତ ଗାଁ’କୁ ତଦନ୍ତ ପାଇଁ ପୁଲିସ ଯାଇଥିବା କହିଥିଲେ। ପରେ ଭୁବନ ବିଡିଓ ବସନ୍ତ କୁମାର ମାଝି,ସିଡିପିଓ ପ୍ରମୋଦିନୀ ତ୍ରିପାଠୀ,ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ,ଏସଇଓ ନମିତା ମିଶ୍ର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣପ୍ରଭା ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଏଭଳି ଅନ୍ଧବିଶ୍ୱାସର ବଶବର୍ତୀ ନହେବାକୁ ପରାମର୍ଶ ଦେଇଥିଲେ । ଚେଙ୍କ ଦେଇଥିବା ଗୁଣିଆକୁ ଭୁବନ ପୁଲିସ ଥାନାରେ ଅଟକ ରଖିଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର