ରାଜନୈତିକ ଶତ୍ରୁତାରୁ ଭାଟପଡ଼ାରେ ଗୋଷ୍ଠୀ ସଂଘର୍ଷ : ବୋମାମାଡ଼ରେ ଗାଁ ଦାଣ୍ଡ ଥରିଲା, ଉଭୟ ପକ୍ଷରୁ ୨୦ ଆହତ, ଗାଁରେ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ

ବ୍ରହ୍ମଗିରି : ପୁରୀ ସଦର ଥାନା ଭାଟପଡ଼ା ଗାଁ ଦାଣ୍ତରେ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଉଭୟ ପକ୍ଷ ପରସ୍ପର ଉପରେ ବୋମାମାଡ଼ କରିବାରୁ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ଆଜି ସକାଳେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ବୋମା ଓ ମାରଣାସ୍ତ୍ର ଧରି ପରସ୍ପରକୁ ମୁକାବିଲା କରିବାରୁ ଗାଁ ଦାଣ୍ଡ ରଣକ୍ଷେତ୍ରରେ ପରିଣତ ହେବା ସହ ବୋମା ମାଡ଼ରେ ଗାଁ ଦାଣ୍ତ ଥରି ଉଠିଥିଲା। ସୂଚନା ମୁତାବକ, ଭାଟପଡା ଗାଁରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗତ କିଛି ଦିନ ହେଲା ଛକାପଞ୍ଝା ଲାଗି ରହିଥିବା ବେଳେ ନିର୍ବାଚନ ପରେ ଏହି ବିବାଦ ଆହୁରି ତେଜିଥିଲା। ଖବର ପାଇ ଗତକାଲି ପୁରୀ ସଦର ଥାନା ପୁଲିସ ଗାଁରେ ପହ‌ଞ୍ଚି ଶାନ୍ତିଶୃଙ୍ଖଳା ପାଇଁ ନିବେଦନ କରି ଫେରିଥିଲା। କିନ୍ତୁ ପୁଲିସ କଥାକୁ କେହି ଖାତିର କରିନଥିଲେ। ଆଜି ସକାଳୁ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ପ୍ରବଳ ବୋମା ମାଡ଼ ସହିତ ୩ରୁ ୪ ରାଉଣ୍ତ ଗୁଳିମାଡ ମଧ୍ୟ ହୋଇଥିବା କୁହାଯାଉଛି। ଏଥିରେ ଗାଁର କୈଳାସ ପ୍ରଧାନ, ନିରଞ୍ଜନ ପ୍ରଧାନ, କେଶବ ପ୍ରଧାନ, ସାଧୁ ଚରଣ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଭୂଷଣ ଖୁଣ୍ଟିଆ, ସୁଧୀର ପ୍ରଧାନ, ଦିଲ୍ଲୀପ ପ୍ରଧାନ, କାମଦେବ ପ୍ରଧାନ, ଶାନ୍ତି ପ୍ରଧାନ, ହେମନ୍ତ ପ୍ରଧାନଙ୍କ ସମେତ ଉଭୟ ପକ୍ଷରୁ ୨୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ୪ ଜଣଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଗାଁରେ ପହ‌ଞ୍ଚିଛି। ଉେତ୍ତଜନାକୁ ଦୃଷ୍ଟିରେ ରଖି ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡିଛି। ରାଜନୈତିକ ଶତ୍ରୁତାକୁ ନେଇ ଏହି ସଂଘର୍ଷ ଘଟିଥିବା ଚର୍ଚା ହେଉଛି। ତେବେ ପୁଲିସ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ।

ସମ୍ବନ୍ଧିତ ଖବର