ଜଗତସିଂହପୁରରୁ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ; ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା, ବସରେ ଏକାଠି ଫେରିଥିଲେ

ସୂଚନା ଦେଲେ ଜିଲ୍ଲାପାଳ

ଜଗତସିଂହପୁର: କିଛି ସମୟ ପୂର୍ବରୁ ଜଗତସିଂହପୁର ଜିଲ୍ଲା କରୋନା ମୁକ୍ତ ହୋଇଥିବା ନେଇ ଖବର ଆସିଥିବା ବେଳେ ଏବେ ପୁଣି ଜିଲ୍ଲାରେ ୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି | ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ | ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଥିବା ବେଳେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୬୧୫ରେ ପହଂଚିଛି |

ଜଗତସିଂହପୁର ଜିଲ୍ଲାପାଳଙ୍କ ଟୁଇଟ ଅନୁଯାୟୀ, ଜିଲ୍ଲାରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୨୦ଜଣଙ୍କ ମଧ୍ୟରୁ ୧୯ଜଣ ନାଉଗାଁର ଓ ଜଣେ କୁଜଙ୍ଗର ବାସିନ୍ଦା | ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା | ଏବେ ସେମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ୨୦ଜଣଙ୍କୁ କୋଭିଡ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ | ସମସ୍ତ ସଂକ୍ରମିତ ପଶ୍ଚିମବଙ୍ଗ ଫେରନ୍ତା ଓ ପଶ୍ଚିମବଙ୍ଗରୁ ଏକା ସଙ୍ଗରେ ବସରେ ଫେରିଥିଲେ ବୋଲି ସୂଚନା ରହିଛି।

ସୂଚନା ମୁତାବକ, ରାଜ୍ୟରେ ଆଜି ସକାଳେ ୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଥିଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି ଦେଲେ ଅବଶିଷ୍ଟ ୪୭ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଶେଷ ଜଣକ ଜେଲରେ ଥିବାର ସୂଚନା ମିଳିବା ସହ ସେ ପୁରୀର ବୋଲି ଜଣାଯାଇଥିଲା।

୪୮ ପଜିଟିଭ ଭିତରୁ ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଜିଲ୍ଲାରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ୨ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ କେନ୍ଦ୍ରାପଡ଼ାରୁ ୩ଜଣ, ପୁରୀରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ ଏବଂ ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର