ଓଡ଼ିଶାରେ ଷ୍ଟାର୍ଟଅପ୍‌ ସଂଖ୍ୟା ୨୦୦ ଟପିଲା

୨୦୨୦ ସୁଦ୍ଧା ଏକ ହଜାରରେ ପହଞ୍ଚିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ୨୦୧୮ ଜାନୁଆରି ୩୦ରୁ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା ୫୦ଟି ଶିକ୍ଷାନୁଷ୍ଠାନର ୧୦ ହଜାର ଯୁବକ ଯୁବତୀଙ୍କ ନିକଟରେ ପହଞ୍ଚିଛି। ଏହି ସମୟରେ ୩୬୦୦ ନୂତନ ଚିନ୍ତାଧାର ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୨୫ଟି ୩ ଦିନିଆ ତ୍ୱରିତ କାର୍ଯ୍ୟକ୍ରମ(ଆସଲରେଟର ପୋଗ୍ରାମ) ପାଇଁ ଚୟନ ହୋଇଥିଲା। ବିଶେଷଜ୍ଞମାନେ ଆଉ ୭୫ଟି ପରିକଳ୍ପନାକୁ ଇନ୍‌କ୍ୟୁବେସନ ପାଇଁ ଚୟନ କରିଛନ୍ତି। ଏଥିରେ ଭୁବନେଶ୍ୱର ଆଇଆଇଟି, ଏସ୍‌ଟିପିଆଇ, କିଟ୍‌ ଓ ସେଞ୍ଜୁରିଆନ୍‌ ବିଶ୍ୱବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ରହିଛି। ଏମାନଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଥାପନ କରାଯାଇଥିବା ଇନ୍‌କ୍ୟୁବେସନ ସେଣ୍ଟରରେ ମାଗଣା ଇନ୍‌କ୍ୟୁବେସନ ସୁବିଧା ପ୍ରଦାନ କରାଯିବ। ଓଡ଼ିଶା ଷ୍ଟାର୍ଟଅପ୍‌ ନୀତିରେ କିଛିଟା ସଂଶୋଧନ ଅଣାଯାଇଛି। ଷ୍ଟାର୍ଟଅପ୍‌ ଓଡ଼ିଶାରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଷ୍ଟାର୍ଟଅପ୍‌ ପଞ୍ଜୀକୃତ ହୋଇସାରିଛି। ସେଥିମଧ୍ୟରୁ ୨୩ଟି ଷ୍ଟାର୍ଟଅପ୍‌ ଏବେ ସୁଦ୍ଧା ରାଜ୍ୟ ସରକାରଙ୍କଠାରୁ ଆର୍ଥିକ ସହାୟତା ହାସଲ କରୁଛନ୍ତି। ୨୦୨୦ ସୁଦ୍ଧା ଏକ ଓଡ଼ିଶାର ଷ୍ଟାର୍ଟଅପ୍‌ ସଂଖ୍ୟାକୁ ଏକ ହଜାରରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଷ୍ଟାଟ୍‌ଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅିତିଥି ଭାବେ ଯୋଗଦେଇ ଯାତ୍ରାରେ ଯୁବପିଢ଼ିମାନେ ଆଗ୍ରହ ଦେଖାଇଥିବା କହିଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନ୍ୟତମ ଅତିଥିଭାବେ ଯୋଗଦେଇ କହିଲେ, ଓଡ଼ିଶାର ଷ୍ଟାର୍ଟଅପ୍‌ ନୀତି ଦେଶରେ ଶ୍ରେଷ୍ଠ। କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ) ଓ ଅଦୃଶ୍ୟ ବାସ୍ତବତା(ଭଚ୍ୟୁଆଲ୍‌ ରିଆଲିଟି) ଉପରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଆଇଆଇଟିକୁ ୨.୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଷ୍ଟାର୍ଟଅପ୍‌ ଓ ଉଦୀୟମାନ ଉଦ୍ୟୋଗୀଙ୍କୁ ଓଡ଼ିଶା ସର୍ବାଧିକ ସୁବିଧା ଓ ସହାୟତା ଯୋଗାଇ ଦେଉଛି। ସେଥିପାଇଁ ଓଡ଼ିଶାରେ ଷ୍ଟାଟ୍‌ଅପ୍‌ ସଂଖ୍ୟା ୨୦୦ରୁ ଅଧିକ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ପ୍ରସାର ବିଭାଗର ଅତିରିକ୍ତ ସଚିବ ଅତୁଲ ଚର୍ତୁବେଦୀ ଯୋଗଦେଇ କହିଲେ ଓଡ଼ିଶାରେ ମାସକୁ ୨୦ଟି ଲେଖାଏ ଷ୍ଟାର୍ଟଅପ୍‌ ସୃଷ୍ଟି ହେଉଛନ୍ତି। ଏହି ହାର ଜାତୀୟସ୍ତରରେ ଯଥେଷ୍ଟ ଅଧିକ।

ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍‌.ଏନ୍‌. ଗୁପ୍ତା ସ୍ୱାଗତ ଭାଷଣ ଦେଇ କହିଲେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ଥାପନ କରାଯାଇଥିବା ଇନ୍‌କ୍ୟୁବେସନ ସେଣ୍ଟରଗୁଡ଼ିକୁ ରାଜ୍ୟ ସରକାର ମେଣ୍ଟରସିପ୍‌ ସହାୟତା, କାମ କରିବା ପାଇଁ ସ୍ଥାନ, ଲାବରେଟାରି ସୁବିଧା, ମାଗଣା ଇଣ୍ଟରନେଟ୍‌ ଓ ବିଦ୍ୟୁତ ଯୋଗାଇ ଦିଆଯାଉଛି। ଏହି ସବୁ ଇନ୍‌କ୍ୟୁବେସନ ସେଣ୍ଟରରେ ଥିବା ୧୫ ସଫଳ ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏ ସିଡ୍‌ ଅନୁଦାନ ପ୍ରଦାନ କରିବେ। ଏହି ଅର୍ଥରେ ସେମାନେ ନିଜର ଚିନ୍ତାଧାରକୁ ବ୍ୟବସାୟିକ ରୂପ ଦେଇପାରିବେ ବୋଲି କହିଥିଲେ। କିଟ୍‌ ଟିବିଆଇର ସିଇଓ ଡ. ମୃତ୍ୟୁଞ୍ଜୟ ସୁତାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଷ୍ଟାର୍ଟଅପ୍‌ ସଫଳତା ଲାଗି ବିଭିନ୍ନ ସଂସ୍ଥାକୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର