‘ଅମ୍ଫାନ’ ପ୍ରଭାବରେ କୂଳ ଲଂଘିଲା ସମୁଦ୍ର, ୩ ଶହ ଫୁଟ ବାଲିମେଦକୁ ଭସାଇ ନେଲା ଜୁଆର

୨ ହଜାର ଏକର ଚାଷଜମିରେ ମାଡ଼ିଗଲା ଲୁଣିପାଣି

ରାଜନଗର: ବାତ୍ୟା ପ୍ରଭାବରେ ବଂଗୋପସାଗର ରାଜନଗର ଅଂଚଳରେ ସମୁଦ୍ର କୂଳ ଲଙ୍ଘିଛି। ସମୁଦ୍ର କୂଳରେ ଥିବା ଶହ ଶହ ଝାଉଁଗଛକୁ ଉପାଡ଼ି ଭସାଇ ନେଇଥିବା ବେଳେ ଶହ ଶହ ବର୍ଷର ବାଲିମେଦକୁ ଧୋଇ ନେଇଛି। ପ୍ରାୟ ୩ଶହ ଫୁଟର ବାଲିମେଦକୁ ଭସାଇ ନେବା ସହ ଲୁଣା ଜୁଆର ଜନବସତିରେ ପ୍ରବେଶ କରିଛି। ୨ହଜାର ଏକର ଚାଷଜମିରେ ଲୁଣି ପାଣି ମାଡ଼ି ଯାଇଛି। ସାତଭାୟାବାସୀଙ୍କ ଜୀବିକା ଏକ ପ୍ରକାର ଉଜୁଡି ଯାଇଛି।

ବଂଗୋପସାଗର ଆଁ ମୁହଁରେ ଥିବା ସାତଭାୟାରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ସେଠାରେ ଥିବା ଜନବସତି ୧୦ କିମି ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଥିବାରୁ ଜୀବନହାନି ହୋଇ ନ ଥିଲେ ମଧ୍ୟ ସାତଭାୟାବାସୀଙ୍କ ଜୀବିକା ଉଜୁଡ଼ି ଯାଇଛି। ସାତଭାୟାରେ ଜନବସତି ନ ଥିବାରୁ ଓ ସେଠାକୁ ରାସ୍ତା ନ ଥିବାରୁ କ୍ଷୟକ୍ଷତି ସମ୍ପର୍କିତ ଖବର ମିଳି ପାରି ନ ଥିଲା। ଆମ ପ୍ରତିନିଧି ୧୦ କିମି ବାଟ ଚାଲି ଚାଲି ଯିବା ପରେ ସାତଭାୟାରେ ବାତ୍ୟା ସମୟରେ ବଂଗୋପସାଗରର ତାଣ୍ତବର ଚିତ୍ର ସାମ୍ନାକୁ ଆସିଛି। ସାତଭାୟା ଅଂଚଳକୁ ସୁରକ୍ଷା ଦେଉଥିବା ବାଲିମେଦକୁ ବଂଗୋପସାଗର ଜୁଆର ଭସାଇ ନେଇଛି। ପୂର୍ବରୁ ମା’ ପଂଚୁବହାରୀଙ୍କ ମନ୍ଦିର ପାଖରେ ବାଲିମେଦକୁ ଭସାଇ ନେଇଥିବା ବେଳେ ‘ଅମ୍ଫାନ’ ବାତ୍ୟାରେ କାଦୁଆନାସୀ ନିକଟରେ ପ୍ରାୟ ୩ଶହ ଫୁଟରୁ ଅଧିକ ଲମ୍ବର ବାଲିମେଦକୁ ସମୁଦ୍ର ଜୁଆର ତା ଗର୍ଭକୁ ନେଇଯାଇଛି। ସେଠାରେ ସମୁଦ୍ର ଓ ଭେଡା ସମାନ ହୋଇଯାଇଛି। ସେହି ସ୍ଥାନଦେଇ ସମୁଦ୍ର ଜୁଆର ଜନବସତି ଓ ଭେଡା ମଧ୍ୟକୁ ପ୍ରବେଶ କରିଛି। କେବଳ ସମୁଦ୍ର ଜୁଆର ନୁହେଁ, ବାଉଁଶଗଡ଼ ନଦୀର ଜୁଆର ମଗରକନ୍ଦା ଲୁଣା ଘେରିବନ୍ଧ ଡେଇଁ ଭେଡା ମଧ୍ୟକୁ ପ୍ରବେଶ କରିଛି।

ଦୁଇପଟରୁ ଲୁଣା ଜୁଆର ପାଣି ଜନବସତି ଓ ଭେଡ଼ାକୁ ପ୍ରବେଶ କରିବାରୁ ପ୍ରାୟ ୨ହଜାର ଏକରରୁ ଅଧିକ ଚାଷଜମିରେ ଲୁଣିପାଣି ମାଡ଼ି ଯାଇଛି। ରବିନ୍ଦ୍ରପଲ୍ଲୀ ମୌଜାର ୧୦୦ ଏକର, ବରାହୀପୁର ଓ ସାତଭାୟାର ୫ଶହ ଏକର, ଦାନ୍ତିଆପଦାର ୨ଶହ ଏକର, ୧୬ନଂ ଘେରୀର ୫ଶହ ଏକର, ଅଡାସଲ ଓ ମଗରକନ୍ଦାର ୫ଶହ ଏକର ଏବଂ କାଦୁଆନାସୀର ୧୫୦ଏକର ଚାଷଜମିରେ ଲୁଣିପାଣି ମାଡ଼ି ଯାଇଛି। ଏହାବାଦ୍‌ ବଂଗୋପସାଗର ଉଚ୍ଚ ଜୁଆର ବାଲିମେଦରେ ଥିବା ପ୍ରାୟ ୫ଶହରୁ ଅଧିକ ଝାଉଁ ଗଛକୁ ଉପାଡ଼ି ଭାଙ୍ଗିଛି। ସାତଭାୟାବାସୀଙ୍କୁ ବଗପାଟିଆରେ କେବଳ ଘର ଡିହ ଦିଆଯାଇ ଥଇଥାନ କରାଯାଇଛି। ସାତଭାୟାବାସୀଙ୍କ ଜୀବିକା ବାଉଁଶଗଡ ନଦୀ ସେପଟରୁ ସାତଭାୟା ସମୁଦ୍ର ଯାଏ ରହିଛି। ଲଗାତାର ସମୁଦ୍ର ଜୁଆର ଯୋଗୁଁ ଦାନ୍ତିଆପଦା, ରବିନ୍ଦ୍ରପଲ୍ଲୀ, ସାତଭାୟା ମୌଜାରେ ଥିବା ଚାଷଜମିରେ ଦୀର୍ଘବର୍ଷ ହେଲା ଚାଷ ହୋଇପାରୁ ନ ଥିଲା। ମାତ୍ର ୧୬ ନମ୍ବର, ଅଡାସଲ, ମଗରକନ୍ଦା ମୌଜାରେ ଧାନଚାଷ ହେଉଥିଲା। ମାତ୍ର ବାତ୍ୟା ‘ଅମ୍ଫାନ୍‌ ପ୍ରଭାବରେ ୨ହଜାର ଏକର ଜମିରେ ଲୁଣି ପାଣି ମାଡ଼ିଯିବା ପରେ ଏ ବର୍ଷ ଆଉ ଚାଷ ହୋଇପାରିବ ନାହିଁ ବୋଲି ପ୍ରଭାକର ବେହେରା, ଜଗବନ୍ଧୁ ବେହାର ପ୍ରମୁଖ କହିଛନ୍ତି। ବାତ୍ୟା ପ୍ରଭାବରେ କାଦୁଆନାସୀରେ ସୃଷ୍ଟି ହୋଇଥିବା ୩ଶହ ଫୁଟର ଘାଇ ଦେଇ ଗତ ୩ଦିନ ହେଲା ପ୍ରତିଦିନ ସମୁଦ୍ରର ଜୁଆର ପାଣି ଭେଡା ଭିତରକୁ ପ୍ରବେଶ କରୁଛି ଓ ବାହାରୁଛି।

ଏହାଛଡ଼ା ସାତଭାୟାର ସୁରକ୍ଷା ପାଇଁ ଥିବା ମଗରକନ୍ଦା ଲୁଣା ଘେରିବନ୍ଧରେ ଦୀର୍ଘ ୨୦ ବର୍ଷ ଭିତରେ ମାଟି ମୁଠାଏ ପଡିନି। ଘେରିବନ୍ଧ ଡେଇଁ ଜୁଆରପାଣି ଚାଷଜମିରେ ପଶୁଛି। ପ୍ରଶାସନ ସାତଭାୟାବାସୀଙ୍କୁ ଥଇଥାନ କରିଦେଇ ଦାୟିତ୍ବ ସାରିଦେଇଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସାତଭାୟାରେ ପହଞ୍ଚି ନାହାଁନ୍ତି।

ସମ୍ବନ୍ଧିତ ଖବର