ନୂଆ ବର୍ଷରେ ‘ସୁପର ମୁନ୍‌’ ଓ ନୀଳ-ଲାଲ ଚନ୍ଦ୍ର

ପୂର୍ଣ୍ଣ ଚନ୍ଦ୍ରଠାରୁ ଦେଖାଯିବ ୭ପ୍ରତିଶତ ବଡ଼ ଓ ୨୫ ପ୍ରତିଶତ ଉଜ୍ଜଳ

ଭୁବନେଶ୍ୱର : ଆସନ୍ତାବର୍ଷ ଜାନୁଆରି ୨ ତାରିଖ ଓ ୩୧ତାରିଖ ସଂଧ୍ୟାରେ ପୂର୍ବ ଆକାଶରେ ବଡ଼ ଓ ଉଜ୍ଜ୍ୱଳ ପୂର୍ଣ୍ଣ ଚନ୍ଦ୍ର ଦେଖାଯିବ। ଏହି ସମୟରେ ଚନ୍ଦ୍ର ସାଧାରଣ ଦିନମାନଙ୍କରେ ଦେଖା ଯାଉଥିବା ଚନ୍ଦ୍ରଠାରୁ ୭ପ୍ରତିଶତ ବଡ଼ ଦେଖାଯିବା ସହିତ ୨୫ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ। ଏହି ଦିନ ପୃଥିବୀଠାରୁ ଚନ୍ଦ୍ର ୩ଲକ୍ଷ ୫୬ହଜାର ୫ଶହ ୬୫ କି.ମି ଦୂରତାରେ ରହିବ ଓ ସେହିଦିନ ପୂର୍ଣ୍ଣମୀ ଯୋଗୁଁ ଚନ୍ଦ୍ର ବଡ଼ ଦେଖାଯିବ। ରାଜ୍ୟର ସବୁ ଅଞ୍ଚଳରୁ ଏହାକୁ ଖାଲି ଆଖିରେ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପକ୍ଷରୁ ସୂଚନା ମିଳିଛି।

ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ମଙ୍ଗଳବାର ରାତିରେ ଦୃଶ୍ୟମାନ ହେବାକୁ ଥିବା ଏହି ମହାଜାଗତିକ ଘଟଣା ହେଉଛି ଆସନ୍ତାବର୍ଷର ପ୍ରଥମ ସୁପରମୁନ୍‌ ଓ ଚଳିତ ୩-ସୁପରମୁନ ସିରିଜ୍‌ର ଦ୍ୱିତୀୟ। ଏହି ସିରିଜର ‘ସୁପରମୁନ୍‌’ ଗତ ଡିସେମ୍ବର ୩ତାରିଖ ରାତିରେ ଦେଖିବାକୁ ମିଳିଥିଲା। ଏହାର ଶେଷଟି ଆସନ୍ତା ଜାନୁଆରି ୩୧ତାରିଖ ସଂଧ୍ୟାରେ ଦେଖାଯିବ। ଆସନ୍ତାବର୍ଷ ଜାନୁଆରି ମାସରେ ୩ ଓ ୩୧ ତାରିଖରେ ଦୁଇଟି ପୂର୍ଣ୍ଣମୀ ପଡ଼ୁଛି। ଲୋକକଥା ଅନୁଯାୟୀ ୩୧ତାରିଖରେ ପଡ଼ୁଥିବା ଦ୍ୱିତୀୟ ପୂର୍ଣ୍ଣମୀକୁ ବ୍ଲୁ ମୁନ୍‌ ବା ନୀଳ ଜହ୍ନ କୁହାଯାଉଛି। ସେହିଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଦୃଶ୍ୟ ହେଉଥିବା ଅଞ୍ଚଳରେ ଚନ୍ଦ୍ରଟି ଲାଲ ରଂଗର ଦେଖାଯିବ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ‘ସୁପରମୁନ୍‌’ ସମୟରେ ଚନ୍ଦ୍ର ପ୍ରାୟ ୧୦ପ୍ରତିଶତରୁ ୧୪ପ୍ରତିଶତ ବଡ଼ ଓ ୨୫ପ୍ରତିଶତରୁ ୩୦ପ୍ରତିଶତ ଉଜ୍ଜ୍ୱଳ ଦେଖାଯାଇଥାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏଭଳି ଘଟଣା ଦେଖିବାକୁ ମିଳିଥାଏ। ଜାନୁଆରି ୩୧ତାରିଖ ସଂଧ୍ୟାରେ ଦେଖାଯିବାକୁ ଥିବା ସୁପରମୁନ ସମୟରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ ଓ ପୃଥିବୀର କିଛି ଅଞ୍ଚଳକୁ ଏହା ଦେଖାଯିବ। ଏହି ମଜାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ। ଏହାର କୌଣସି ପ୍ରଭାବ ଲୋକମାନଙ୍କ ଉପରେ କିମ୍ବା ପୃଥିବୀ ଉପରେ ପଡ଼ିବ ନାହିଁ। ପୃଥିବୀ ଓ ରାଜ୍ୟର ସବୁ ଅଞ୍ଚଳରୁ ଲୋକମାନେ ଏହାକୁ ଖାଲି ଆଖିରେ ଦେଖିପାରିବେ।

ସମ୍ବନ୍ଧିତ ଖବର