୨୦୧୯-୨୦ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ : ଘାରିଲାଣି ଅର୍ଥ ଚିନ୍ତା

ଆୟ ବଢ଼ାଇବାକୁ ଚାପ, ୧୫ ସୁଦ୍ଧା ପ୍ରସ୍ତାବ ଦେବାକୁ ସବୁ ସଚିବଙ୍କୁ ନିର୍ଦେଶ, ପେେବ୍ରୁଆରି ଦ୍ବିତୀୟ ସପ୍ତାହରେ ଆସିପାରେ କାମଚଳା ବଜେଟ୍

ଭୁବନେଶ୍ବର : ନିଜସ୍ବ ରାଜସ୍ବ ୧୨.୫% ବୃଦ୍ଧି ପାଇବା ଦରକାର। ଏଥିପାଇଁ ବିଭାଗମାନେ କି କି ପଦକ୍ଷେପ ନେଇଛନ୍ତି ସେ ନେଇ ଜଣାନ୍ତୁ। ବକେୟା ଆଦାୟ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଆବଶ୍ୟକ। ତିନି ବା ତତୋଧିକ ବର୍ଷ ହେଲାଣି ସଂଶୋଧିତ ହୋଇନଥିବା ୟୁଜର୍ସ ଫି’ ବୃଦ୍ଧି ଦିଗରେ ମଧ୍ୟ ନିର୍ଦିଷ୍ଟ ପ୍ରସ୍ତାବ ଆସିବା ଉଚିତ୍। କେବଳ ସେତିକି ନୁହେଁ, ଅଦାଲତରେ ପଡ଼ି ରହିଥିବା ମାମଲାର ତୁରନ୍ତ ସମାଧାନ ପାଇଁ ବାଟ କାଢ଼।

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଅର୍ଥ ବିଭାଗ ଏଭଳି ଢଙ୍ଗରେ ସବୁ ବିଭାଗକୁ ତାଗିଦ୍ କରିଛନ୍ତି। ପରୋକ୍ଷରେ ସୂଚାଇ ଦେଇଛନ୍ତି, ୨୦୧୯ରେ ସାଧାରଣ ନିର୍ବାଚନ ରହିଛି, ଏଣୁ ସ୍ବାଭାବିକ ଭାବେ ସରକାର କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେଇପାରନ୍ତି, ଯେଉଁଥି ପାଇଁ ଆସନ୍ତା ଆର୍ଥିକ ବର୍ଷରେ ବ୍ୟୟବରାଦ ବଢ଼ିପାରେ। କିନ୍ତୁ ଏହାକୁ ସେତେବେଳେ କାର୍ଯ୍ୟକାରୀ କରାଯାଇପାରିବ, ଯେତେବେଳେ ରାଜସ୍ବ ବୃଦ୍ଧି ଘଟିବ। ଏଣୁ ବିଭାଗମାେନ ଡିସେମ୍ବର ୧୫ ସୁଦ୍ଧା ନିଜ ନିଜର ପ୍ରସ୍ତାବ ଦେବା ସହିତ ରାଜସ୍ବ ବୃଦ୍ଧି ଲାଗି ନିର୍ଦିଷ୍ଟ କି ଯୋଜନା ରଖିଛନ୍ତି, ସେ ସଂକ୍ରାନ୍ତରେ ଜଣାଇବା ଲାଗି ବିଭିନ୍ନ ବିଭାଗକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟ ସୀମା ପରେ ‌ଯେଉଁ ପ୍ରସ୍ତାବ ଆସିବ ତାହାକୁ ଗ୍ରହଣ କରାଯିବ ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ସାଧାରଣ ନିର୍ବାଚନ ରହିଛି। ଏଣୁ ସରକାର ଚିରାଚରିତ ଢଙ୍ଗରେ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କଲେ ବି ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ଆବଶ୍ୟକ ଖର୍ଚ୍ଚ ଲାଗି କାମଚଳା ବଜେଟ୍ ଆଣିବେ। ଆସନ୍ତା ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ବଜେଟ୍ ଆସିବ ବୋଲି ବିଚାର କରି ଅର୍ଥ ବିଭାଗ ପ୍ରସ୍ତୁତି ଆରମ୍ଭ କରି ଦେଲେଣି।

ଶନିବାର ସନ୍ଧ୍ୟାରେ ନୂଆ ଅର୍ଥ ସଚିବ ଭାବେ ଅଶୋକ କୁମାର ମୀନା ଦାୟିତ୍ବ ଗ୍ରହଣ କରିଛନ୍ତି। ସ୍ବାଭାବିକ ଭାବେ ଶ୍ରୀ ମୀନାଙ୍କ ଉପରେ ଦୁଇଟି କାରଣରୁ ଚାପ ରହିଛି। ପ୍ରଥମତଃ ଫେବ୍ରୁଆରି ମାସରେ ବଜେଟ୍ ଉପସ୍ଥାପନ ହେବ। ଦ୍ବିତୀୟତଃ, ଆସନ୍ତା ଜାନୁଆରି ୮ ତାରିଖ ବେଳକୁ ପଞ୍ଚଦଶ ଅର୍ଥ ଆୟୋଗ ରାଜ୍ୟର ଆର୍ଥିକ ସ୍ଥିତି ପରଖିବା ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସରକାରଙ୍କ ପକ୍ଷରୁ ଆୟୋଗଙ୍କୁ ସ୍ମାରକପତ୍ର ଦିଆଯିବ।

ବଜେଟ୍ ପାଇଁ ବିଭାଗ ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି, ତାକୁ ନିେରଖି ଦେଖିଲେ ସୂଚନା ମିଳୁଛି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ପାଇଁ ଗତବର୍ଷ ତୁଳନାରେ ଅଧିକ ବ୍ୟୟବରାଦ କରାଯିବ। ହେଲେ ଯେଉଁ ସବୁ ଯୋଜନା ବା କାର୍ଯ୍ୟକ୍ରମରୁ ବିଶେଷ କିଛି ଲାଭ ମିଳୁନାହିଁ, ସେଗୁଡ଼ିକୁ ବନ୍ଦ କରାଯିବାକୁ ବିଚାର କରାଯାଉଛି।

ନିଜସ୍ବ ରାଜସ୍ବ ବୃଦ୍ଧି ଉପରେ ଅର୍ଥ ବିଭାଗ ଗୁରୁତ୍ବ ଦେବା ସହିତ ଆସନ୍ତା ବର୍ଷ ଖଣି ରୟାଲ୍‌ଟିରୁ ୧୦% ଅଧିକ ରାଜସ୍ବ ମିଳିବ ବୋଲି ଆକଳନ କରୁଛନ୍ତି। ସେହିଭଳି ଜଙ୍ଗଲ ରାଜସ୍ବ ଆଦାୟ ମଧ୍ୟ ୧୦% ବଢ଼ିବ ବୋଲି ଲକ୍ଷ୍ୟ ରଖାଯାଉଛି। ବିଗତ ବର୍ଷଗୁଡ଼ିକରେ ସୁଧ, ଲାଭାଂଶ ଓ ୟୁଜର୍ସ ଫି’ ଆଦାୟ ଆଶାନୁରୂପ ହୋଇନଥିବାରୁ ଏସବୁ କ୍ଷେତ୍ରରୁ କିଭଳି ଅଧିକ ରାଜସ୍ବ ଆଦାୟ ହେବ ସେଥିପ୍ରତି ଅର୍ଥ ବିଭାଗ ଏବେଠାରୁ ଚାପ ପକାଇଲାଣି।

ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ସାତ ମାସରେ ବିଭିନ୍ନ ବିଭାଗର ଖର୍ଚ୍ଚ ହାରକୁ ଦେଖି ନୂତନ ଆର୍ଥିକ ବର୍ଷ ଲାଗି ଅର୍ଥ ବରାଦ କରାଯାଇପାରେ। କାରଣ, ଅଧିକାଂଶ ବିଭାଗ ବଢ଼ାଚଢ଼ା ପ୍ରସ୍ତାବ ରଖି ଅର୍ଥ ନେଉଥିଲେ ହେଁ ଖର୍ଚ୍ଚ କରୁନାହାନ୍ତି। ଏକଥା ବି ଦେଖାଯାଉଛି, ଅତିରିକ୍ତ ବଜେଟରେ ଯେତିକି ଅର୍ଥ ବରାଦ ହେଉଛି, ସେତିକି ଅର୍ଥ ଖର୍ଚ୍ଚ କରିବା ଲାଗି ବିଭାଗମାନେ ସମର୍ଥ ହେଉନାହାନ୍ତି ଓ ଏହା ଶେଷ ମୁହୂର୍ତରେ ସରେଣ୍ଡର ହେଉଛି। ଏହାଦ୍ବାରା କିଛି ଆବଶ୍ୟକ କ୍ଷେତ୍ରରେ ଅର୍ଥ ବରାଦ କରାଯାଇପାରୁନାହିଁ ଏବଂ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଣୁ ଆସନ୍ତାବର୍ଷ ବଜେଟ ପ୍ରସ୍ତୁତି ବେଳେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବ।

ଅର୍ଥ ବିଭାଗ ସୂଚାଇଛି ଯେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩%ରେ ରଖିବାକୁ ବଜେଟ୍‌ରେ ବ୍ୟବସ୍ଥା କରାଯିବ। ତେବେ ଋଣ ମାମଲାରେ ସରକାର ଏନ୍ଏସ୍‌ଏସ୍‌ଏଫ୍‌ ଉପରେ ଅଧିକ ନିର୍ଭରଶୀଳ ରହିବେ ନାହିଁ। କମ୍ ସୁଧରେ ନାବାର୍ଡ, ଏନ୍‌ଟିଆଇଏଫ୍‌, ବାହ୍ୟ ଏଜେନ୍ସି, ଜିପିଏଫ୍ ଓ ଖୋଲା ବଜାରରୁ ଋଣ କରିବା ପ୍ରତି ଅଧିକ ଧ୍ୟାନ ଦେବେ।

୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ମୂଳ ବଜେଟରେ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ବରାଦ କରିଥିଲେ। ଅତିରିକ୍ତ ବଜେଟରେ ଆଉ ୧୨ ହଜାର ୭୯୦ କୋଟି ଟଙ୍କା ଅଟକଳ କରାଯାଇଥିଲା। ୨୦୧୯-୨୦ ବଜେଟ୍ ୧ଲକ୍ଷ ୪୦ ହଜାର କୋଟି ଟଙ୍କା ଛୁଇଁବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।

ସମ୍ବନ୍ଧିତ ଖବର