କଂଗ୍ରେସ ମୂଳପୋଛ, ଲାଭରେ ବିଜେପି : ବିଜେଡି ପାଇଁ ସତର୍କଘଣ୍ଟି

ପୁରୀ : ସରିଲା ୨୦୧୯ ନିର୍ବାଚନ ମହାଯୁଦ୍ଧ। ସବୁ ଫଳାଫଳ ବି ପ୍ରକାଶ ପାଇ ସାରିଛି। ପୁରୀ ଜିଲ୍ଲାରେ ଲୋକଙ୍କଠାରୁ ଦୂରେଇ ଯାଇଥିବା କଂଗ୍ରେସ ଏକପ୍ରକ‌ାର ମୂଳପୋଛ ହୋଇଯାଇଛି। ବିଜେପି କିନ୍ତୁ ବେଶ ଅଭିବୃଦ୍ଧି କରିଛି। ବିଜେଡି ପାଇଁ ବି ସହଜ ସ୍ଥିତି ଆଉ ନାହିଁ। ବିଜେଡିର ଦୁଇ ବଡ଼ ମୁଣ୍ଡ ଗଡ଼ାଇ ଦେଇଛନ୍ତି ମତଦାତା। ବିଜେଡି ନେତାଙ୍କର ମନମାନିକୁ ନେଇ ଏକ ପ୍ରକାର ଚେତାବନୀ ଦେଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

ପୁରୀ ବିଜେଡିର ଗଡ଼ ଥିଲା। ଲଗାତର ଭାବେ ବିଜେଡି କବ୍ଜାରେ ରହୁଥିଲା ସମଗ୍ର ଜିଲ୍ଲା। କାଁ ଭାଁ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଉଥିବା ବେଳେ ବାକି ସବୁ ଆସନ ବିଜେଡି ଜିତୁଥିଲା। ମାତ୍ର ଏଥର ବଦଳି ଯାଇଛି ଚିତ୍ର। ବିଜେଡି ହାତରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ଆସନ ଛଢ଼ାଇ ନେଇଛି ବିଜେପି। ବିଜେପି ଜିଲ୍ଲାରେ କେବଳ ଦୁଇଟି ଆସନ ନେଇନାହିଁ, ବିଜେଡିକୁ ସବୁଠି ମୁହଁତୋଡ଼ ଜବାବ୍ ବି ଦେଇଛି। ବିଜେଡି-ବିଜେପି ଲଢ଼େଇ ଲାଗିଥିବା ବେଳେ କଂଗ୍ରେସ ତାର ସ୍ଥିତି ହଜାଇ ଦେଇଛି।

ପୁରୀ ବିଧାନସଭା ଆସନକୁ ଦୀର୍ଘ ୨୫ବର୍ଷ ଧରି ମହେଶ୍ବର ମହାନ୍ତି କବ୍ଜା କରି ରଖିଥିଲେ। ତାଙ୍କୁ ଅପରାଜେୟ ବୋଲି କୁହାଯାଉଥିଲା। ମାତ୍ର ଏଥର ସବୁ ବଦଳି ଗଲା। ମହେଶ୍ବରଙ୍କ ଗଡ଼କୁ ଭାଙ୍ଗି ଦେଲେ ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ(ନିଲୁ)। ବିଜେଡି କର୍ମୀଙ୍କୁ ବ୍ୟବହାର କରି ସେ ମହେଶ୍ବରଙ୍କୁ ତାଙ୍କରି ଗଡ଼ରେ ମାତ୍ ଦେଲେ। ୨୦୧୪ରେ ମହେଶ୍ବର ୫୩.୪୪% ମତଦାତାଙ୍କ ସମର୍ଥନ ପାଇଥିଲେ। ମାତ୍ର ଏଥର ତାଙ୍କ ସମର୍ଥକଙ୍କ ସଂଖ୍ୟା ୬.୭୩% କମିଗଲା।

ଏହି ନିର୍ବାଚନରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। କଂଗ୍ରେସର ଅରୋପ୍ରସାଦ ମିଶ୍ର ମାତ୍ର ୧.୮୮% ମତଦାତାଙ୍କ ସମର୍ଥନ ପାଇଛନ୍ତି। ଯାହା ୨୦୧୪ ତୁଳନାରେ ୨୧.୬୪% କମ୍। ଉଭୟ କଂଗ୍ରେସ ଓ ବିଜେଡିଠାରୁ ଭୋଟର ମୁହଁ ମୋଡ଼ି ବିଜେପିକୁ ସମର୍ଥନ କରିଛନ୍ତି। ମହେଶ୍ବରଙ୍କ ବିରୋଧରେ ହାୱା ଥିବା ବେଳେ ପୂର୍ବରୁ ଉପଯୁକ୍ତ ପାର୍ଥୀ ମିଳୁନଥିଲେ। ଏଥର ଜୟନ୍ତ ମହେଶ୍ବରଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ବିଜେପିର ସମର୍ଥନ ତା‌ଙ୍କ ପ୍ରତି ଆସ୍ଥା ବଢ଼ାଇଥିଲା। ସବୁଠାରୁ ବଡ଼ କଥା ହେଲା ଏଥର ବିଜେଡି ଓ କଂଗ୍ରେସଠାରୁ ୨୮.୩୪% ଭୋଟର ବିଜେପି ଆଡ଼କୁ ଢ଼ଳିଛନ୍ତି। ଏଥିସହ ବିଜେପିକୁ ଏଥର ୩୭.୦୫% ଅଧିକ ଭୋଟର ଭୋଟ ଦେଇ ବିଜୟୀ କରାଇଛନ୍ତି।

ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବି ବିଜେଡିକୁ ଲାଗିଛି ଶକ୍ତ ଧକ୍କା। ବିଜେଡିର ଭୋଟ ହାର ସାମାନ୍ୟ କମିଛି। ତେବେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ପରିବାର କଂଗ୍ରେସ ଛାଡ଼ିବା ପରେ ଏଠାରେ କଂଗ୍ରେସ ଏକ ପ୍ରକାର ଶୂନ୍ ହୋଇଯାଇଛି। କଂଗ୍ରେସରୁ ମୁହଁମୋଡ଼ି ଲୋକେ ବିଜେପିକୁ ଆପଣେଇଛନ୍ତି। ବିଜେଡିର ସଞ୍ଜୟ ଦାସବର୍ମାଙ୍କ ଭୋଟ ସଂଖ୍ୟା ୦.୪୫% କମିଥିବା ବେଳେ କଂଗ୍ରେସର ୪୬.୪୪% ସମର୍ଥକ ଦଳଠୁ ମୁହଁ ମୋଡ଼ିଛନ୍ତି। ବିଜେପିକୁ ୨୦୧୪ରେ ମାତ୍ର ୨.୦୩% ମତଦାତାଙ୍କ ସମର୍ଥନ ମିଳିଥିବା ବେଳେ ଏଥର ୪୬.୧୯% ଅଧିକ ମତଦାତାଙ୍କ ସମର୍ଥନ ମିଳିଛି। ଫଳରେ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟୀ ହୋଇଛନ୍ତି।

କାକଟପୁର ଆସନକୁ ବିଜେଡି ଦଖଲରେ ରଖିଥିଲେ ମଧ୍ୟ ମତଦାତାଙ୍କ ସମର୍ଥନ ହ୍ରାସ ପାଇଛି। ୨୦୧୪ରେ ବିଜେଡିକୁ ୫୭.୪୨% ମତଦାତାଙ୍କ ସମର୍ଥନ ମିଳିଥିବା ବେଳେ ଏଥର ମିଳିଛି ୫୩.୬୮% ଭୋଟ। ଅର୍ଥାତ୍ ବିଜେଡିଠାରୁ ୩.୭୪% ମତଦାତା ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ୨୦୧୪ ତୁଳନାରେ ଏଥର ୪.୨୪% କମ୍ ଲୋକ କଂଗ୍ରେସକୁ ସମର୍ଥନ ଦେଇଛନ୍ତି। ତେବେ ବିଜେପି ତାର ସମର୍ଥକଙ୍କ ସଂଖ୍ୟାକୁ ୧୦.୨୬% ବଢ଼ାଇ ପାରିଛି।

ନିମାପଡ଼ାରେ ଉଭୟ ବିଜେଡି ଓ ବିଜେପି ତାଙ୍କ ସମର୍ଥନ ହାର ରକ୍ଷା କରିପାରି ନାହାନ୍ତି। ସମୀର ରଞ୍ଜନ ଦାଶଙ୍କ ଭୋଟ ହାର ୨.୮୩% କମିଥିବା ବେଳେ ପ୍ରଭାତୀ ପରିଡ଼ାଙ୍କ ପ୍ରତି ଭୋଟ ହାର ୨.୩୭% କମିଛି। ତେବେ ଏଠି କଂଗ୍ରେସ ପ୍ରତି ଏଥର ପୂର୍ବ ନିର୍ବାଚନ ତୁଳନାରେ ଅଧିକ ୫.୬୮% ମତଦାତାଙ୍କ ସମର୍ଥନ ମିଳିଛି।

ସତ୍ୟବାଦୀରେ ବିଜେଡି ପ୍ରତି ସମର୍ଥନ ବଢ଼ିଥିଲେ ମଧ୍ୟ ବିଜେପିକୁ ଆହୁରି ଅଧିକ ମତଦାତାଙ୍କ ସମର୍ଥନ ମିଳିଛି। ବିଜେଡିକୁ ୨୦୧୪ରେ ୩୨.୬୧% ମତଦାତା ସମର୍ଥନ କରିଥିବା ବେଳେ ଏଥର ଏହା ୫୧.୪୫%କୁ ବୃଦ୍ଧି ପାଇଛି। ଅର୍ଥାତ୍ ୧୮.୮୪% ବୃଦ୍ଧି ପାଇଛି। ସେହି ସ୍ଥାନରେ ବିଜେପି ପ୍ରତି ୩୬.୨୧% ଅଧିକ ସମର୍ଥନ ମିଳିଛି। ୨୦୧୪ରେ ବିଜେପିକୁ ମାତ୍ର ୩.୮୬% ଭୋଟ ମିଳିଥିଲା। ହେଲେ ଏଥର ୪୦.୦୭% ମତଦାତା ତାଙ୍କର ସମର୍ଥନ ବିଜେପିକୁ ଦେଇଛନ୍ତି। ହେଲେ କଂଗ୍ରେସ ପ୍ରତି ସତ୍ୟବାଦୀ ଲୋକେ ମୁହଁ ମୋଡ଼ିଛନ୍ତି। ୨୦୧୪ରେ କଂଗ୍ରେସକୁ ୧୮.୦୫% ମତଦାତାଙ୍କ ସମର୍ଥନ ମିଳିଥିଲା। ମାତ୍ର ଏଥର ଏହା ୧୦.୮୫% ହ୍ରାସ ପାଇ ୭.୨%କୁ ଖସି ଆସିଛି।

ପିପିଲିରେ ବି ବିଜେଡି ପ୍ରତି ସମର୍ଥନ କମିଛି। ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ବିଜେଡି ପ୍ରତି ଜନସମର୍ଥନ କମିଛି। ୨୦୧୪ ତୁଳନାରେ ଏଥର ୦.୯୧% କମ୍ ମତଦାତା ବିଜେଡିକୁ ସମର୍ଥନ କରିଛନ୍ତି। ଯଦିଓ ବିଜେପି ପ୍ରତି ମତଦାତାଙ୍କ ସମର୍ଥନ ବଢ଼ିଛି କଂଗ୍ରେସ ପ୍ରତି ମତଦାତା ମୁହଁ ମୋଡ଼ି ଦେଇଛନ୍ତି। କଂଗ୍ରେସ ୨୦୧୪ରେ ୩୦.୬୬% ଭୋଟ ପାଇଥିଲା। ଏଥର ମାତ୍ର ୫.୬୩% ମତଦାତା କଂଗ୍ରେସ ସହ ରହିଛନ୍ତି। ତେବେ ୨୦୧୪ରେ ବିଜେପି ମାତ୍ର ୪.୭୮% ମତଦାତାଙ୍କ ସମର୍ଥନ ପାଇଥିଲା। ହେଲେ ଏଥର ୪୧.୬୨% ବା ୧୦ଗୁଣ ସମର୍ଥନ ବଢ଼ାଇ ପାରିଛି।

ବିଜେଡିର ସମର୍ଥକ ସବୁଠି ହ୍ରାସ ପାଉଥିବାରୁ ଦଳ ଏହାର ସମୀକ୍ଷା କରିବା ସହ ପ୍ରାର୍ଥୀ ପରିବର୍ତ୍ତନକୁ ପ୍ରାଧାନ୍ୟ ଦେବା କଥା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର