ନେତୃତ୍ବର ଭାଗିଦାର ଚାହିଁଲେ ଭୋଟର୍‌, ଚେହେରା ତୁଳନାରେ ଚିହ୍ନ ଭାରି

ବରଗଡ଼ : ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ଫଳାଫଳ ସମସ୍ତଙ୍କୁ ଦ୍ବନ୍ଦ୍ବ ଭିତରେ ରଖିଥିଲା। ନିର୍ବାଚନ ପୂର୍ବରୁ ଜିଲ୍ଲାରେ ଗୁଡ଼ାଏ ସର୍ବେକ୍ଷଣ ସରିଥିଲା। କିନ୍ତୁ କେହି ଭୋଟର୍‌ଙ୍କ ମାନସିକତାକୁ ଠିକ୍‌ ଭାବେ ପଢ଼ି ପାରିନଥିଲେ। ଚିହ୍ନ ଏବଂ ଚେହେରା ଭିତରେ ଭୋଟର୍‌ ଛନ୍ଦି ହୋଇଥିବା କୁହାଯାଉଥିଲା। ଅସଲରେ ଭୋଟର୍‌ ଚେହେରାକୁ ଛାଡ଼ି ଚିହ୍ନକୁ ଗୁରୁତ୍ବ ଦେବେ ବୋଲି ମନସ୍ଥ କରି ସାରିଥିଲେ। ଭୋଟର୍‌ ନେତୃତ୍ବର ଭାଗିଦାରୀ ହେବାକୁ ଚାହିଁଥିଲେ। ଅର୍ଥାତ୍‌ କେନ୍ଦ୍ର ଏବଂ ରାଜ୍ୟ ସରକାର ଗଠନରେ ସେମାନଙ୍କ ଭୋଟ୍‌ ଦାନ କରିଥିଲେ। ଯାହା ନିର୍ବାଚନ ଫଳାଫଳ ପରେ ଜଳଜଳ ହୋଇ ଦିଶୁଛି। ଜିଲ୍ଲାର ଫଳାଫଳ ଅନୁସାରେ ବଳିଷ୍ଠ ନେତୃତ୍ବକୁ ଭୋଟର୍‌ ଅଗ୍ରାଧିକାର ଦେଇଛନ୍ତି। ତେଣୁ ବିଜେପୁର ଆସନ‌େର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୧୦୬୦୪ ଭୋଟର୍‌ ପସନ୍ଦ କରିଛନ୍ତି। ରାଜ୍ୟରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବଙ୍କୁ ଭୋଟର୍‌ ସମର୍ଥନ ଜଣାଇଥିବା ସ୍ପଷ୍ଟ ହୋଇଛି। ମୋଦୀ ଲହର କଥା କୁହାଯାଉଥିଲେ ହେଁ ତାହା ବିଧାନସଭା ଫଳାଫଳରେ କାଟୁ କରିନାହିଁ। ସେହି ବିଜେପୁରରେ ହିଁ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୫୩,୪୮୨ ଭୋଟ୍‌ ମିଳିଛି। ଏଠାରେ କଂଗ୍ରେସର ରିପୁନାଥ ସେଠ୍‌ଙ୍କୁ ମାତ୍ର ୧୪,୩୪୪ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କରି ଆସନରେ ୫୭,୧୨୨ ଭୋଟ୍‌ରେ ବୃହତ୍‌ ବିଜୟ ମିଳିଛି। ଯାହାକି ବିଜେପୁର ଆସନରେ ସର୍ବକାଳୀନ ରେକର୍ଡ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରଗଡ଼ ଜିଲ୍ଲାରୁ ନେତୃତ୍ବ ଦଳ ପାଇଁ ଶୁଭଙ୍କର ହୋଇଛି। ଲୋକସଭା କ୍ଷେତ୍ରର ସମସ୍ତ ୭ଟି ବିଧାନସଭା ଆସନ ଦଳ କରାୟତ କରିଛି। ଯଦ୍ବାରା ପଦ୍ମପୁର ଆସନରେ ବି ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତଙ୍କୁ ପରାଜୟ ଭୋଗିବାକୁ ପଡ଼ିଛି। ଶ୍ରୀ ପୁରୋହିତଙ୍କୁ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ୫,୭୩୪ ଭୋଟ୍‌ରେ ପରାସ୍ତ କରିଛନ୍ତି। କଂଗ୍ରେସର ସତ୍ୟ ଭୂଷଣ ସାହୁ ୩୨,୭୮୭ଭୋଟ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଭଟଲି ଆସନରେ ହେଭିୱେଟ୍‌ ନେତା ସୁଶାନ୍ତ ସିଂଙ୍କୁ ବିଜେପିର ଯୁବନେତା ଇରାଶିଷ ଆଚାର୍ଯ୍ୟଙ୍କ ଠାରୁ କଡ଼ା ଟକ୍କର ମିଳିଛି। ଶ୍ରୀ ସିଂଙ୍କୁ ପାଖାପାଖି ୫୦ହଜାର ଭୋଟ୍‌ ବ୍ୟବଧାନରେ ବିଜୟ ମିଳିବ ବୋଲି ପୂର୍ବାନୁମାନ ଥିଲା। କିନ୍ତୁ ଶ୍ରୀ ସିଂ ୯୮,୬୬୬ ଭୋଟ୍‌ ପାଇଥିଲେ। ଇରାଶିଷ ୨୩,୨୩୨ ଭୋଟ୍‌ରେ ପରାସ୍ତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ମାତ୍ର ୮,୩୭୫ ଭୋଟ୍‌ରେ ସୀମିତ ରହିଥିଲେ। ଅତାବିରା ଆସନରେ ବିଜେଡିରୁ ମନ୍ତ୍ରୀ ସ୍ନେହାଂଗିନୀ ଛୁରିଆ ସହଜ ବିଜୟ ପାଇଛନ୍ତି। ଏଠାରେ ତାଙ୍କ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ନିହାର ରଂଜନ ମହାନନ୍ଦ ୨୧,୫୧୧ ଭୋଟ୍‌ ପାଇ ତୃତୀୟ ସ୍ଥାନକୁ ଖସିଛନ୍ତି। ଶ୍ରୀମତୀ ଛୁରିଆ ୮୪,୦୧୦ ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀ ମିଲନ ସେଠ୍‌ ୬୧,୬୧୪ ଭୋଟ୍‌ ପାଇଛନ୍ତି। ବରଗଡ଼ରେ ବିଜେଡିର ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଂଗୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି। ଗଣତିର ପ୍ରଥମ ଭାଗରେ ଅଶ୍ବିନୀ ଅଗ୍ରଣୀ ଥିଲେ। କିନ୍ତୁ ପରେ ଦେବେଶ ପ୍ରତ୍ୟାବର୍ତନ କରି ମୋଟ୍‌ ୭୫,୧୩୩ ‌େଭାଟ୍‌ ପାଇଥିଲେ। ଅଶ୍ବିନୀ ୬୬,୬୮୧ ଭୋଟ୍‌ରେ ଅଟକି ଯାଇଥିଲେ।

ତେବେ ବରଗଡ଼ ଲୋକସଭା କ୍ଷେତ୍ରରେ ସମସ୍ତ ୭ଟି ଆସନ ବିଜେଡି ଅକ୍ତିଆର କରିଥିବାବେଳେ ଲୋକସଭା ଆସନ ହାତଛଡ଼ା କରିଛି। ପୂର୍ବରୁ କୌଣସି ସାଧାରଣ ନିର୍ବାଚନ ଜିଣିନଥିବା ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୬୩,୯୩୯ ଭୋଟ୍‌ରେ ତୁଂଗ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି। ସୁରେଶ ୫,୮୧,୨୪୫ ଭୋଟ୍‌ ଏବଂ ପ୍ରସନ୍ନ ୫,୧୭,୩୦୬ ଭୋଟ୍‌ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ଦେବତାଙ୍କୁ ୧,୦୯,୪୧୭ ଖଣ୍ଡ ଭୋଟ୍‌ ମିଳିଥିଲା। ଆଶ୍ଚର୍ଯ୍ୟର କଥା, ବରଗଡ଼ରେ ପୁତୁରା ଦେବେଶ ଅଧିକ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଏଠାରେ ପ୍ରସନ୍ନ ପଛେଇ ଯାଇଥିଲେ। ତାଙ୍କ ଶ୍ବଶୁର ଘର ବ୍ରଜରାଜନଗରରେ ମଧ୍ୟ ତାଙ୍କୁ ଅଗ୍ରଣୀ ମିଳିନଥିଲା। କେବଳ ବିଜେପୁର କ୍ଷେତ୍ର ବ୍ୟତୀତ ପ୍ରସନ୍ନ ଅନ୍ୟ ୬ଟି ବିଧାନସଭା କ୍ଷେତ୍ରରେ ପଛୁଆ ରହିଥିଲେ।

ସମ୍ବନ୍ଧିତ ଖବର