ମହାନଦୀରେ ୨୨ ସେତୁ, କେବଳ କଟକରେ ୮

‘ଆନିକଟ୍‌ ନିର୍ମାଣ ନ ହେଲେ ପାଣି ସଙ୍କଟ’

କଟକ: ମହାନଦୀରେ ତିଆରି ଚାଲିଛି ଗୋଟିଏ ପରେ ଗୋଟିଏ ସେତୁ। ସଡ଼କ ଭିତ୍ତିଭୂମିର ବିକାଶ ସହ ବିଭିନ୍ନ ଅଞ୍ଚଳ ଭିତରେ ଦୂରତା ହ୍ରାସ ଦିଗରେ ଏହା ସହାୟକ ହେଉଛି। ଗୋଟିଏ ପଟେ ଏଭଳି ଭିତ୍ତିଭୂମି ବିକାଶକୁ ସ୍ୱାଗତ କରାଯାଉଥିବା ବେଳେ ଅନ୍ୟପଟେ ମହାନଦୀରେ ଆନିକଟ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ନହେବା ଘଟଣା ଅନେକ ପରିବେଶବିତ୍‌ଙ୍କୁ ଚିନ୍ତିତ କରିଛି। ଅଶୀ ଦଶକରେ ନିର୍ମିତ କଟକର ଯୋବ୍ରା ଆନିକଟ ମହାନଦୀରେ ଶେଷ ଆନିକଟ ଭାବେ ବିବେଚିତ ହେଉଛି। ଫଳରେ ମହାନଦୀର ଜଳ ସଂରକ୍ଷଣ ଏବଂ ଜଳ ସେଚନ ବ୍ୟବସ୍ଥାର ବିକାଶ ହୋଇପାରୁ ନାହିଁ। ଆସନ୍ତା ୧୦ ବର୍ଷ ଭିତରେ ମହାନଦୀ ସଂପୂର୍ଣ୍ଣ ଶୁଷ୍କ ହେବା ସହ ଭୂତଳ ଜଳସ୍ତର ମଧ୍ୟ ଆଶାତୀତଭାବେ ହ୍ରାସ ପାଇ ମହାନଦୀ ବାଲିଶଯ୍ୟାରେ ପରିଣତ ହେବାର ଆଶଙ୍କା କରୁଛନ୍ତି ପରିବେଶବିତ୍‌।

ମିଳିଥିବା ତଥ୍ୟ ଅନୁଯାୟୀ ମହାନଦୀ ଉପରେ ସାରା ରାଜ୍ୟରେ ୨୨ଟି ସେତୁର ନିର୍ମାଣ ସରିଥିବାବେଳେ ୩ଟି ସେତୁ ଏବେ ନିର୍ମାଣାଧୀନ ଅଥବା ନିର୍ମାଣ ଅପେକ୍ଷାରେ ରହିଛି। ସେହି ୨୨ଟି ସେତୁ ମଧ୍ୟରୁ କେବଳ କଟକ ଜିଲ୍ଲାରେ ରହିଛି ୮ଟି ସେତୁ। ଜିଲ୍ଲାର ବାଙ୍କୀ ଅଞ୍ଚଳକୁ ମହାନଦୀର ପ୍ରବେଶପଥ କୁହାଯାଏ। ବାଙ୍କୀ-ବଡମ୍ବା, ନରସିଂହପୁର ଅଞ୍ଚଳ ମଧ୍ୟରେ ସିଧାସଳଖ ଯୋଗାଯୋଗର ମାଧ୍ୟମ ନଥିବାରୁ ପ୍ରାୟ ୭୦ କିଲୋମିଟର ବାଟ ଅଧିକ ବୁଲି ଗୋବିନ୍ଦପୁର, ମୁଣ୍ଡଳୀ ବ୍ରିଜ୍‌ ଦେଇ ଲୋକେ ଯାଉଥିଲେ ବଡ଼ମ୍ବା, ନରସିଂହପୁର ଅଞ୍ଚଳକୁ। କିନ୍ତୁ ଜାତମୁଣ୍ଡିଆ ସେତୁ ନିର୍ମାଣ ପରେ ବଡମ୍ବା-ନରସିଂହପୁର ଅଞ୍ଚଳ ମଧ୍ୟରେ ୫୦ କିଲେମିଟର ଦୂରତା ହ୍ରାସ ପାଇଲା। ସେହିଭଳି ଖଣ୍ଡପଡ଼ା ଅଞ୍ଚଳ ସହ ନରସିଂହପୁର ଅଞ୍ଚଳକୁ ଯୋଗାଯୋଗ ପାଇଁ ଜଳପଥ ଥିଲା ଏକମାତ୍ର ମାଧ୍ୟମ। କିନ୍ତୁ ସିଦ୍ଧମୂଳାଠାରେ ସେତୁ ନିର୍ମାଣ ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ୧୪୭ କିଲୋମିଟର ଦୂରତ୍ୱ କମିଥିଲା। କଟକ ଜିଲ୍ଲାରେ ଏବେ ମହାନଦୀରେ ରହିଛି ଜାତମୁଣ୍ଡିଆ, ମୁଣ୍ଡଳୀ (ଆନିକଟ), ଯୋବ୍ରା (ଆନିକଟ), ଜଗତପୁର-ଶିଖରପୁର ମଧ୍ୟରେ ଜାତୀୟ ରାଜପଥ ଉପରେ ୩ାଟି ସେତୁ ରହିଥିବା ବେଳେ କଟକ ଓ ନୂଆପାଟଣା ମଧ୍ୟରେ ଉଦ୍‌ଘାଟିତ ହୋଇଛି ଉତ୍କଳ ଗୌରବ ମଧୁସୂଦନ ସେତୁ। ଇତିମଧ୍ୟରେ ମହାନଦୀରେ ଗୋପୀନାଥପୁରରୁ-ବୈଦେଶ୍ୱର ସେତୁ ନିର୍ମାଣ ନିମନ୍ତେ କ୍ୟାବିନେଟ୍‌ ମଂଜୁରୀ ମିଳୁଛି। ୩ କିଲୋମିଟର ଲମ୍ବର ଏହି ସେତୁ ନିର୍ମାଣ ହେଲେ ସ୍ୱର୍ଣ୍ଣ -ତ୍ରିଭୁଜ କୁହାଯାଉଥିବା ସିଂହନାଥ-ବୈଦେଶ୍ୱର- ରାମନାଥକୁ ଏହି ସେତୁ ସଂଯୋଗ କରିବା ସହ ବାଙ୍କୀ-ବଡ଼ମ୍ବା ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ। ଏହି ସେତୁ ନିର୍ମାଣ ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ୧୧୦କୋଟି ଟଙ୍କା ବ୍ୟୟରେ ଡିଜାଇନ ପ୍ରସ୍ତୁତ ସରିଛି।

ଅନ୍ୟପଟେ ବିଶିଷ୍ଟ ପରିବେଶବିତ୍‌ ଡକ୍ଟର ଆଶୁତୋଷ ଦେବତାଙ୍କ କହିବା ଅନୁଯାୟୀ ସେତୁ ନିର୍ମାଣ ସ୍ୱାଗତଯୋଗ୍ୟ। କିନ୍ତୁ ଆନିକଟ ନିର୍ମାଣକୁ ବି ସେତିକି ଗୁରୁତ୍ୱ ଦିଆଯିବା ଆବଶ୍ୟକ। ନଚେତ ମହାନଦୀରେ ପାଣି ସଙ୍କଟ ଆଗକୁ ଗୁରୁତର ପରିସ୍ଥିତି ସୃଷ୍ଟି କରିବ। ଡକ୍ଟର ଦେବତା କହିବା ଅନୁଯାୟୀ ମହାନଦୀ କୂଳରେ ଏବେ ସବୁଜ ବଳୟ ସୃଷ୍ଟି ପାଇଁ ଯୋଜନା ରହିଛି। ଏହା ମହାନଦୀର ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହେବ। କିନ୍ତୁ ଏହି ଯୋଜନା ଯଦି ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ନହୁଏ ତେବେ ମହାନଦୀର ଜଳ ସମସ୍ୟା ଆଗକୁ ଉଦ୍‌ବେଗଜନକ ହେବ। ସେହିଭଳି ଜଳସଂପଦ ବିଭାଗର ଜଣେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ କହିବା ଅନୁଯାୟୀ ମହାନଦୀରେ ଆନିକଟ ନିର୍ମାଣ ସହ ବଫରିଙ୍ଗ ହେଉନଥିବାରୁ ଜଳସେଚନର କ୍ଷେତ୍ର ପ୍ରଭାବିତ ହେଉଛି। ଆଗାମୀ ଦିନରେ ଆନିକଟ ତିଆରି କରାନଗଲେ ମହାନଦୀ ଟ୍ରିବ୍ୟୁନାଲରୁ ଓଡ଼ିଶା ଫାଇଦା ପାଇବ ନାହିଁ ବୋଲି ସେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର