ମହାନଗର ନିଗମଙ୍କୁ ୨୨୦ କୋଟିର ରାଜସ୍ୱ ଟାର୍ଗେଟ୍‌

ଆତ୍ମନିର୍ଭରଶୀଳ ହେବାକୁ ସେମାନଙ୍କୁ ପରାମର୍ଶ

ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ସହରାଞ୍ଚଳର ନାଗରିକମାନଙ୍କୁ ସେବା ଯୋଗାଇଦେବା ହେଉଛି ପୌର ସଂସ୍ଥାଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ପୌର ସଂସ୍ଥାଗୁଡ଼ିକ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ମହାନଗର ନିଗମମାନଙ୍କୁ ସମୁଦାୟ ରାଜସ୍ୱ ଆଦାୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏ ନେଇ ସେହି ସଂସ୍ଥାମାନଙ୍କୁ ଚଳିତ ବର୍ଷ ହୋଲ୍‌ଡିଂ ଟିକସ ସହିତ ମୋଟ ୨୨୦ କୋଟିର ରାଜସ୍ୱ ଆଦାୟ ପାଇଁ ଟାର୍ଗେଟ୍‌ ଦିଆଯାଇଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସୂଚନାନୁସାରେ ରାଜ୍ୟର ୫ଟି ମହାନଗର ନିଗମ ଯଥା: ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ନିଗମମାନେ ଗତ ଆର୍ଥିକ ବର୍ଷରେ ୫୭ କୋଟିର ହୋଲ୍‌ଡି ଟିକସ ମିଶାଇ ମୋଟ ୧୩୪ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲେ। ଚଳିତ ବର୍ଷ ହୋଲ୍‌ଡିଂ ଟିକସ ବାବଦରେ ୯୭ କୋଟି ସହିତ ମୋଟ ୨୨୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଟାର୍ଗେଟ୍‌ ସ୍ଥିର କରାଯାଇଛି।

ବୈଠକରେ ପ୍ରତ୍ୟେକ ନିଗମର ଆର୍ଥିକ ଦକ୍ଷତା ସହିତ କାର୍ଯ୍ୟାବଳୀର ସମୀକ୍ଷା କରାଯାଇଥିଲା। ନାଗରିକମାନଙ୍କୁ ସଠିକ୍‌ ସମୟରେ ସେବା ଯୋଗାଣ ସହିତ ରାଜସ୍ୱ ଆଦାୟ ହାର ବୃଦ୍ଧି କରିବାକୁ ମୁଖ୍ୟ ସଚିବ ଉପସ୍ଥିତ ନିଗମ କମିସନରମାନଙ୍କୁ ନିର୍ଦେଶ ଦେଇଥିଲେ। ରାଜସ୍ୱ ଆଦାୟ ବୃଦ୍ଧି କରି ନିଗମ ନିଜକୁ ଆତ୍ମନିର୍ଭରଶୀଳ କରିବାକୁ ସେ ପରାମର୍ଶ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ନିଗମମାନଙ୍କରେ କାର୍ଯ୍ୟକାରୀ ହେଉଥିବାରୁ ସେମାନେ ନିଜ ନିଜ ବ୍ୟବସ୍ଥାକୁ ଆଧୁନିକୀକରଣ କରିବା ସହିତ ନିଜ ନିଜ ସହରକୁ ଆଧୁନିକ ସହରରେ ପରିଣତ କରିବା ପାଇଁ କୁହାଯାଇଥିଲା।

ବୈଠକ ଆରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ ନିଗମମାନଙ୍କର ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ୍‌ ନାୟକ।

ସମ୍ବନ୍ଧିତ ଖବର