ହାଇଡ୍ରୋକାର୍ବନ ଶିଳ୍ପରେ ଓଡ଼ିଶା ଅଗ୍ରଣୀ ଭୂମିକା ନେବ: ଧର୍ମେନ୍ଦ୍ର

୨୨ତମ ରିଫାଇନିଂ ଓ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ସମ୍ମିଳନୀ ଉଦ୍‌ଘାଟିତ

୨୦୪୦ ସୁଦ୍ଧା ଦେଶର ଶକ୍ତି ଆବଶ୍ୟକତା ୫୦୦ ମିଲିୟନ୍‌ ଟନ୍‌ ଛୁଇଁବ
ଭାରତ ସମେତ ୧୨ଟି ଦେଶର ୧୦୦୦ ପ୍ରତିନିଧିଙ୍କ ଅଂଶଗ୍ରହଣ
୪୬ ବିଦେଶୀ କମ୍ପାନି ସମେତ ମୋଟ ୭୫ଟି କମ୍ପାନିଙ୍କ ଯୋଗଦାନ

ଭୁବନେଶ୍ୱର : ୧୫ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ କ୍ଷମତା ସମ୍ପନ୍ନ ପାରାଦ୍ୱୀପ ତୈଳ ବିଶୋଧନାଗାର ସହ ଓଡ଼ିଶା ହାଇଡ୍ରୋକାର୍ବନ ଶିଳ୍ପର ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେବାର ଅପାର ସମ୍ଭାବନା ରହିଛି। ଭାରତର ଅର୍ଥନୈତିକ ପ୍ରଗତି ସହ ତୈଳ ବିଶୋଧନ କ୍ଷମତା ବୃଦ୍ଧି ସମଗ୍ର ବିଶ୍ୱ ବଜାରର ଦୃଷ୍ଟି ଆକର୍ଷଣ କରିଛି। ବିଶୋଧନ କ୍ଷମତା ବୃଦ୍ଧି ସହ ବିଶୋଧନାଗାର ସହ ଜଡ଼ିତ ହାଇଡ୍ରୋକାର୍ବନ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପର ଦ୍ରୁତ ବିକାଶର ସମ୍ଭାବନା ରହିଛି। ଆଜି ଭୁବନେଶ୍ୱରରେ ଆୟୋଜିତ ୨୨ ତମ ରିଫାଇନିଂ ଓ ପେଟ୍ରୋକେମିକାଲ୍‌ସ ଟେକ୍ନୋଲୋଜି ସମ୍ମିଳନୀକୁ ଉଦ୍‌ଘାଟନ କରିବା ଅବସରରେ ଏପରି ମତ ଦେଇଛନ୍ତି କେନ୍ଦ୍ର ତୈଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆହୁରି କହିଲେ, ଭାରତରେ ଆଜି ଦିନରେ ୨୪୭ ମିଲିଅନ୍‌ ମେଟ୍ରିକ୍‌ ଟନ୍‌ ଅଶୋଧିତ ତୈଳ ବିଶୋଧନ କ୍ଷମତା ରହିଛି । ମାତ୍ର ଦେଶରେ ବଢୁଥିବା ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଏହି ଆବଶ୍ୟକତା ୨୦୪୦ ସୁଦ୍ଧା ୫ ଶହ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବିଶ୍ୱରେ ବିଦ୍ୟୁତ ପରିଚାଳିତ ଯାନବାହନ ଓ ଅନ୍ୟାନ୍ୟ ସୂତ୍ରରୁ ଶକ୍ତି ଆବଶ୍ୟକତା ପୂରଣ ହେବା ପରେ ମଧ୍ୟ ଦେଶରେ ୨୫୦ ରୁ ୩୦୦ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ବିଶୋଧନ କ୍ଷମତା ବଢାଇବା ପାଇଁ ଆବଶ୍ୟକତା ରହିଥିବା ପ୍ରକାଶ କରିଛନ୍ତି

କେନ୍ଦ୍ର ସରକାରଙ୍କର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବ ଭାରତର ବିକାଶ କ୍ଷେତ୍ରରେ କରୁଥିବା ନିଷ୍ଠାପର ଉଦ୍ୟମର ଫଳସ୍ୱରୂପ ଆଜି ଏହି କ୍ଷେତ୍ରରେ ଅର୍ଥନୈତିକ ପ୍ରଗତି ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ହାଇଡ୍ରୋକାର୍ବନ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପକୁ ନେଇ ଆସୁଥିବା ନୂତନ ଧାରା ସମ୍ପର୍କିତ ବିଷୟକୁ ନେଇ ଆଇଓସିଏଲ୍‌ ଓ ସେଣ୍ଟର୍‌ ଫର୍‌ ହାଇଟେକ୍ନୋଲୋଜି (ସିଏଚ୍‌ଟି) ପକ୍ଷରୁ ମିଳିତ ଭାବରେ ଆୟୋଜିତ ଏହି ସମ୍ମିଳନୀରେ ବେଲ୍‌ଜିଅମ୍‌, ଚାଇନା, ଫ୍ରାନ୍ସ, ଜାପାନ, ମାଲେସିଆ, ଋଷିଆ, ସିଙ୍ଗାପୁର, ୟୁଏଇ, ଇଂଲଣ୍ଡ, ଆମେରିକା ଓ ଶ୍ରୀଲଙ୍କା ଭଳି ୧୧ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୬୮ଜଣ ବିଦେଶୀ ପ୍ରତିନିଧି ରହିଛନ୍ତି। ୪୬ ବିଦେଶୀ କମ୍ପାନି ସମେତ ମୋଟ ୭୫ଟି କମ୍ପାନି ଏହି ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ବିଭିନ୍ନ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା ସହିତ ଯୁବଗୋଷ୍ଠୀଙ୍କ ନିମନ୍ତେ ନିଯୁକ୍ତ ସୁଯୋଗ ସୃଷ୍ଟି କରିବ ଓ ଉଦ୍ୟୋଗୀ ହେବା କ୍ଷେତ୍ରରେ ଭାରତରେ ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ସହ ବେସରକାରୀ ବିଶୋଧନାଗାରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶକ୍ତି ଆବଶ୍ୟକତା ସମଗ୍ର ବିଶ୍ୱରେ ବଢୁଥିବା ବେଳେ ଭାରତର ବିଶୋଧନ କ୍ଷେତ୍ରରେ କାମ କରୁଥିବା ବୈଷୟିକ ଜ୍ଞାନକୌଶଳଧାରୀମାନଙ୍କର ସମଗ୍ର ବିଶ୍ୱରେ ଚାହିଦା ବଢ଼ିଛି । ବିଶ୍ୱରେ ବିଭିନ୍ନ ଦେଶ ଗସ୍ତ କରିବା ସମୟରେ ଭାରତୀୟ ଜ୍ଞାନକୌଶଳଧାରୀମାନଙ୍କର ଯଥେଷ୍ଟ ଗୁରୁତ୍ୱ ଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଆଜି ଏଠାରେ ଅନୁଷ୍ଠିତ ଏହି ତିନିଦିନିଆ ରିଫାଇନିଂ ଓ ପେଟ୍ରୋ କେମିକାଲ୍‌ସ ସମ୍ମିଳନୀ ଦେଶର ତୈଳ ଶିଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ଓଡ଼ିଶାରେ ଗତ ୨ ବର୍ଷ ତଳେ ୧୫ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ କ୍ଷମତା ସମ୍ପନ୍ନ ପାରାଦ୍ୱୀପ ତୈଳ ବିଶୋଧନାଗାର ସହ ଜଡିତ ହାଇଡ୍ରୋକାର୍ବନ ଶିଳ୍ପର ବିକାଶ ଓଡ଼ିଶାର ଅର୍ଥନୀତିକୁ ମଜଭୁତ୍‌ କରିବା ସହ ଓଡ଼ିଆ ଯୁବକଙ୍କୁ ରୋଜଗାର ସୁଯୋଗ ଓ ସେମାନଙ୍କୁ ଉଦ୍ୟମ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ୨୦୪୦ ସୁଦ୍ଧା ବିଶୋଧନ ଦକ୍ଷତାରେ ଅଭିବୃଦ୍ଧି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ କରିଥିଲେ। ଏହି କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ କମ୍ପାନିମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ୨୦୧୫-୧୬ ଓ ୧୬-୧୭ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସରକାରୀ ଓ ବେସରକାରୀ କମ୍ପାନିଗୁଡ଼ିକୁ ଶକ୍ତି କ୍ଷେତ୍ର ଆଧାରିତ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଜାପାନର ରାଷ୍ଟ୍ରଦୂତ କେଞ୍ଜି ହିରାମାସୁ ଏହି ଅବସରରେ ଭାରତ-ଜାପାନ ମଧ୍ୟରେ ରହିଥିବା ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କ ସମ୍ବନ୍ଧରେ ମତ ଦେବା ସହିତ ଏଲ୍‌ଏନ୍‌ଜି କ୍ଷେତ୍ରରେ ଭାରତ ସହିତ ଜାପାନ ବୈଷୟିକ ସହଯୋଗ ସହିତ ନିବେଶ ପାଇଁ ସର୍ବଦା ପ୍ରସ୍ତୁତ ରହିଥିବା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ତୈଳ ସଚିବ କେ. ଡ଼ି ତ୍ରିପାଠୀ, କେନ୍ଦ୍ର ତୈଳ ମନ୍ତ୍ରଣାଳୟ ଯୁଗ୍ମସଚିବ (ବିଶୋଧନ) ସନ୍ଦୀପ ପୌଣ୍ଡ୍ରିକ୍‌, ଆଓସିଏଲ୍‌ ଅଧ୍ୟକ୍ଷ ସଞ୍ଜୀବ ସିଂ, ସିଏଚ୍‌ଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବ୍ରିଜେଶ କୁମାର ପ୍ରମୁଖ ଯୋଗଦେଇ ଏହି କ୍ଷେତ୍ରରେ ରହିଥିବା ଅପାର ସୁଯୋଗ ସମ୍ପର୍କରେ ମତ ଦେଇଥିଲେ। ଏହି ଅବସରରେ ଏହି କ୍ଷେତ୍ରର ବିକାଶ ଓ ଅଭିନବ ପଦ୍ଧତିର ନିର୍ଦ୍ଧାରଣ ନିମନ୍ତେ ବିଭିନ୍ନ ବୈଷୟିକ ଅଧିବେଶନମାନ ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର