ବ୍ୟବହାର କଲେନି ‘ପସ୍‌’ ମେସିନ୍‌, ବିଦା ହେଲେ ୨୩୨ ଡିଲର‌୍‌

ଆଉ ହବନି ଲାଇସେନ୍ସ ନବୀକରଣ, ବିଭିନ୍ନ ସ˚ସ୍ଥାକୁ ଦିଆଯିବ ପିଡିଏସ୍‌ ବଣ୍ଟନ ଦାୟିତ୍ବ

କେନ୍ଦ୍ରାପଡ଼ା : ପିଡିଏସ୍‌ ସାମଗ୍ରୀ କାରବାର ଅନଲାଇନ୍‌ରେ ନ କରିବା ମହଙ୍ଗା ପଡ଼ିଲା। ବାରମ୍ବାର ତାଗିଦ୍‌ ପରେ ବି ଖିଲାପ କରିବାରୁ ଯୋଗାଣ କମିସନର୍‌ କେନ୍ଦ୍ରାପଡ଼ା ଜିଲ୍ଲାର ୨୩୨ଡିଲର‌୍‌ଙ୍କୁ ବିଦା କରି ଦେଇଛନ୍ତି। ସେମାନଙ୍କ ଲାଇସେନ୍ସ ନବୀକରଣ ନ କରିବା ପାଇଁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପିଡିଏସ୍‌ ସାମଗ୍ରୀର ବାଟମାରଣା ରୋକିବା ପାଇଁ ସରକାର ଅନଲାଇନ୍‌ ବ୍ୟବସ୍ଥା ପ୍ରଚଳନ କରିଥିଲେ। ଏଥିପାଇଁ ରାସନ୍‌ ହିତାଧିକାରୀଙ୍କ ଆଧାର କାର୍ଡ ବାଧୢତାମୂଳକ କରିବା ସହ ପ୍ରତ୍ୟେକ ଡିଲର‌୍‌ଙ୍କୁ ଗୋଟିଏ ଲେଖାଏ ‘ପଏଣ୍ଟ୍‌ ଅଫ୍‌ ସେଲ୍‌ ବା ‘ପସ୍‌ ମେସିନ୍‌ ଦେଇଥିଲେ। ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏଭଳି କସରତ୍‌ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ପାଖାପାଖି ୧୫ଲକ୍ଷ ହିତାଧିକାରୀଙ୍କ ମଧୢରୁ ୯୯.୫୬ ପ୍ରତିଶତ ହିତାଧିକାରୀଙ୍କ ଆଧାର ଅନଲାଇନ୍‌ କାରବାର ପାଇଁ ସ˚ଯୋଗୀକରଣ କରାଯାଇଥିଲା। ମୋଟ୍‌ ୬୧୨ଡିଲର‌୍‌ଙ୍କୁ ‘ପସ୍‌’ ମେସିନ୍‌ ଜରିଆରେ ହିତାଧିକାରୀଙ୍କୁ ପିଡିଏସ୍‌ ଦେବା ପାଇଁ କୁହାଯାଇଥିଲା। ମାତ୍ର ବାରମ୍ବାର ତାଗିଦ୍‌ ପରେ ବି କେନ୍ଦ୍ରାପଡ଼ା ଜିଲ୍ଲାର ୨୩୨ ଡିଲର‌୍‌ ଅନଲାଇନ୍‌ କାରବାର ଉପରେ ଗୁରୁତ୍ବ ଦେଲେ ନାହିଁ। ହିତାଧିକାରୀଙ୍କୁ ପସ୍‌ ମେସିନ୍‌ ପରିବର୍ତ୍ତେ କାଗଜକଲମରେ ରେକର୍ଡ ରଖି ରାସନ୍‌ ଦେଉଥିଲେ। ସାରା ରାଜ୍ୟରେ କେତେକ ପଏଣ୍ଟ୍‌ରେ ଏଭଳି ଚିତ୍ର ଦେଖିବାକୁ ମିଳିବା ପରେ ଗତ ୧୨ତାରିଖରେ କମିସନର ବୀର ବିକ୍ରମ ଯାଦବ କେନ୍ଦ୍ରାପଡ଼ାର ୨୩୨ ସମେତ ରାଜ୍ୟର ୨୫୯୩ ଡିଲର‌୍‌ଙ୍କ ଲାଇସେନ୍‌ ନବୀକରଣ ବନ୍ଦ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ କହିଛନ୍ତି, ଗଲା ୭ ମାସ ହେବ ବିଭାଗ ପକ୍ଷରୁ ଏକାଧିକବାର ଉପରୋକ୍ତ ଡିଲରମାନଙ୍କୁ ତାଗିଦ୍‌ କରାଯାଇଥିଲା। ମାତ୍ର ସେମାନେ ଏଥିପ୍ରତି ଗୁରୁତ୍ବ ନ ଦେବାରୁ କାର୍ଯ୍ୟାନୁଷ୍ଠାନର ଶିକାର ହେଲେ।

ଅନ୍ୟପକ୍ଷରେ, କମିସନରଙ୍କ ଏପ୍ରକାର କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ ଡିଲର‌୍‌ଙ୍କ ମଧୢରେ ଭାଳେଣି ପଡ଼ିଯାଇଛି। ସେମାନେ ଏବେ ଅନଲାଇନ୍‌ କାରବାରକୁ ନେଇ ଅଧିକ ସତର୍କ ହେଇଯାଇଛନ୍ତି। ଏସବୁ ଭିତରେ କେଉଁ ବ୍ଲକ୍‌ରୁ କେତେ ଡିଲର‌୍‌ ନିୟମ ଖିଲାପ କରି ବିଦା ହୋଇଛନ୍ତି, ତାରି ଉପରେ ସଭିଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର