ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ସରିଲା ନାମାଙ୍କନ ପତ୍ର ଦାଖଲର ସମୟସୀମା

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ସମୟସୀମା ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । କିଏ ଦଳୀୟ ଟିକେଟରୁ ତ ପୁଣି କିଏ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରାର୍ଥୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଧାନସଭା ଆସନ ପାଇଁ ୨୦୭ ଓ ଲୋକସଭା ଆସନ ପାଇଁ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ଆଉ ଏହାସହ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୨୮ଟି ବିଧାନସଭା ଆସନ ପାଇଁ ମୋଟ ୨୪୫ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ ୪ ଗୋଟି ଲୋକସଭା ଆସନ ପାଇଁ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ତେବେ ଆସନ୍ତା ୨୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମୈଦାନରେ କେତେଜଣ ପ୍ରାର୍ଥୀ ରହିବେ ତାହା ସ୍ପଷ୍ଟ ହୋଇଯିବ ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଏବେ ପର୍ଯ୍ୟନ୍ତ ମୋଟ ୯୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୫ ଗୋଟି ଲୋକସଭା ଆସନ ପାଇଁ ୨୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପାଇଁ ଆସନ୍ତା ୨୬ ଶେଷ ତାରିଖ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ।

ସମ୍ବନ୍ଧିତ ଖବର