ତାମନପାଲୀ ପରେ ଏବେ କାଟନପାଲୀ, ଅଜଣା ରୋଗରେ ୨୫ଶିଶୁ ଅସୁସ୍ଥ

କାଲିମେଳା ଡାକ୍ତରଖାନାରେ ଚାଲିଛି ଚିକିତ୍ସା

ମାଲକାନଗିରି/କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ପୁଣି ୨୫ଜଣ ଶିଶୁ ଅସୁସ୍ଥ ହୋଇଛନ୍ତି। ରୋଗ ଚିହ୍ନଟ ହୋଇପାରି ନଥିବା ବେଳେ ସେମାନଙ୍କୁ ଥଣ୍ଡାଜ୍ବର ସହ କାଶ ହେଉଛି। ଏପରିକି କିଛି ଶିଶୁ ବାରମ୍ବାର ବାନ୍ତି କରୁଛନ୍ତି। ଏତେ ସଂଖ୍ୟାରେ ଶିଶୁ ଅସୁସ୍ଥ ହେବା ଘଟଣା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଥିବା ବେଳେ ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ କାଟନପାଲୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅସୁସ୍ଥ ଶିଶୁଙ୍କ ପ୍ରାଥମିକ ଚିକିତ୍ସା ଏମଭି-୭୯ ଡାକ୍ତରଖାନାରେ କରାଯିବା ପରେ ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଗତ ସପ୍ତାହରେ ଏହି ବ୍ଲକ ଅନ୍ତର୍ଗତ ତାମନପାଲୀ ଗାଁର ୬ଜଣ ଶିଶୁ ବ୍ରାଙ୍କୋ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ବହୁ ସଂଖ୍ୟାରେ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣା ଜାପାନୀ ଜ୍ବରକୁ ମନେ ପକାଇ ଦେଇଥିବା ବେଳେ ଆତଙ୍କ ସୃଷ୍ଟି ହୋଇଥିଲା। କୋରାପୁଟରୁ ବିଶେଷଜ୍ଞ ଡାକ୍ତରୀ ଦଳ ପହଞ୍ଚି ପ୍ରତିଷେଧକ ବ୍ୟବସ୍ଥା କରିବାରୁ ରୋଗ ନିୟନ୍ତ୍ରଣକୁ ଆସିଥିଲା। ସପ୍ତାହେ ପରେ ପୁଣି କାଟନପାଲୀ ଗାଁରେ ସମାନ ଚିତ୍ର ଦେଖିବାକୁ ମିଳିଛି। ୩ମାସରୁ ୬ବର୍ଷ ମଧ୍ୟରେ ୨୫ଜଣ ଶିଶୁ ଗତ ଦୁଇରୁ ତିନି ଦିନ ମଧ୍ୟରେ ଅସୁସ୍ଥ ହୋଇଛନ୍ତି। ଆଜି ସକାଳେ ସେହି ଗ୍ରାମର ଆଶା କର୍ମୀ ସୁନିତା କାଟାମ ଶିଶୁମାନେ ଅସୁସ୍ଥ ଥିବା ଖବର ପାଇଥିଲେ। କାଳ ବିଳମ୍ବ ନକରି ସେ ସମସ୍ତ ଶିଶୁଙ୍କୁ ମେଡିକାଲ ନେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେବା ସହ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଏମଭି-୭୯ ପ୍ରାଥମିକ ଚିକିତ୍ସାଳୟରୁ ଆମ୍ବୁଲାନ୍ସ ଆସିବା ପରେ ସମସ୍ତ ଆକ୍ରାନ୍ତ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ସଂପର୍କରେ ସିଡିଏମଓ ଅବଗତ ହେବା ପରେ ତୁରନ୍ତ କାଲିମେଳା ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ। ୨୨ଜଣ ଶିଶୁଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭିର୍ତ୍ତି କରାଯାଇଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଏସ.ଏସ ପାତ୍ର ପହଞ୍ଚି ଅସୁସ୍ଥ ଶିଶୁଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ରୋଗ ଚିହ୍ନଟ ପାଇଁ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଅସୁସ୍ଥ ଶିଶୁଙ୍କ ମଧ୍ୟରୁ କିଛି ଜଣଙ୍କୁ ଚର୍ମରୋଗ ହୋଇଥିବା ଜଣାପଡ଼ିଛି।

ସ୍ଥିତି ଯଦି ବା ଏ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଛି; ତଥାପି ଅଭିଭାବକମାନେ ଚିନ୍ତାରେ ରହିଛନ୍ତି। ପାଗ ବଦଳୁଥିବାରୁ ଶିଶୁମାନେ ଅସୁସ୍ଥ ହେଉଥିବା ନେଇ ସେମାନଙ୍କୁ ସଚେତନ କରାଯାଉଛି। ଭୟଭୀତ ନ ହୋଇ ସହଯୋଗ କରିବାକୁ ବି କୁହାଯାଉଛି। ଯଦି କୌଣସି ଶିଶୁ ମେଡିକାଲ ଆସିପାରି ନାହିଁ, ତେବେ ତୁରନ୍ତ ନେଇ ଆସିବାକୁ ବି ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର