୨୫ ହଜାର ଜିପିଏସ୍‌ ଅକାମୀ : ସକ୍ରିୟ ହେଲେଣି ୧୦ହାଇୱେ ଗ୍ୟାଙ୍ଗ୍‌!

ଏଯାଏଁ ବସିଲାନି ଟ୍ରକ୍‌ ସ˚ଘ-ପୁଲିସ୍‌ ବୈଠକ

କଟକ : ରାତି ୧୨ ବାଜିଲେ ଅସୁରକ୍ଷିତ ହୋଇପଡ଼ୁଛି ୧୬ ନ˚ ଜାତୀୟ ରାଜପଥ। ପ୍ରମୁଖ ୧୦ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ରାଜପଥରେ ଉତ୍ପାତ କରୁଛନ୍ତି। ଅନ୍ୟପକ୍ଷରେ, ସ୍ବୀକୃତିପ୍ରାପ୍ତ ଯେଉଁ ଜିପିଏସ୍‌ ଲାଗିଛି, ସେଗୁଡ଼ିକ ମଧ୍ୟରୁ ହାରାହାରି ୨୫ ହଜାର ଗାଡ଼ି ଜିପିଏସ୍‌ କାମ କରୁନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଓଡ଼ିଶାରେ କଟକ ଟାଙ୍ଗୀ-ଭଦ୍ରକ, ଖୋର୍ଧା-ନୟାଗଡ଼, ରମ୍ଭା-ଖଲ୍ଲୀକୋଟ, ଖୋର୍ଧା-ବାଲୁଗାଁ, କଟକ ଗୋପାଳପୁର-ଫୁଲନଖରା, କଟକ-ଭୁବନେଶ୍ବର ଫ୍ଲାଇଓଭର ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଅଧିକ ସକ୍ରିୟ ରହୁଥିବା ଦେଖିବାକୁ ମିଳିଛି। ସେହିପରି ରାଜଗାଙ୍ଗପୁର ଏବ˚ କୁତ୍ରା ପୁଲିସ ଷ୍ଟେସନ ଅଧିନର କ˚ସାବାହାଲ, ରାମ ବାହାଲ, ରାଣୀବନ୍ଧ, ଜମାପାଲି, ଝାରବେଡ଼ ଇତ୍ୟାଦି ଅଞ୍ଚଳରେ ବି ସେମାନେ ଆତଙ୍କ ସୃଷ୍ଟି କରୁଛନ୍ତି। ଏହି ରାସ୍ତାରେ ମୁଖ୍ୟତଃ ରାତି ୧୨ଟାରୁ ୩ଟା ଭିତରରେ ଡକାୟତି ହେଉଛି। ପ୍ରାୟ ୯୦ ପ୍ରତିଶତ ଡକାୟତ ଅପରାଧରେ ବାଇକ ବ୍ୟବହାର କରୁଥିବା ବେଳେ ଅବଶିଷ୍ଟ ବୋଲେରୋ କିମ୍ବା କାର‌୍‌ ବ୍ୟବହାର କରୁଛନ୍ତି। ଓଡ଼ିଶାର ଜଗତସି˚ହପୁର, ନୟାଗଡ଼, ଗଞ୍ଜାମ, ଆଠଗଡ଼, ନିଆଳି ଏବ˚ କେନ୍ଦ୍ରାପଡ଼ାରେ ଏହି ହାଇୱେ ଗ୍ୟାଙ୍ଗ ଥିବା ବେଳେ ରାଜ୍ୟ ବାହାରେ ଉତ୍ତରପ୍ରଦେଶ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ତ ଗ୍ୟାଙ୍ଗ ଏଠାକୁ ଆସୁଥିବା କୁହାଯାଉଛି। ପ୍ରାୟତଃ ୫ଜଣିଆ ଗ୍ରୁପ ଡକାୟତି କରିବାକୁ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏହି ଗ୍ୟାଙ୍ଗ ଗଲା ଜୁନ ୨୩ ତାରିଖ ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ଜାମପାଲି ଏବ˚ କୁନମୁରୁ ଦେଇ ଯାଇଥିବା ୧୦ନ˚ ଜାତୀୟ ରାଜପଥର ଏକ ପେଟ୍ରୋଲ ପମ୍ପ ନିକଟରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଥିଲା। ଓଡ଼ିଶାରେ ଏଭଳି ବିଭିନ୍ନ ସମୟରେ ହତ୍ୟାକାଣ୍ତ ଓ ଲୁଟ୍‌ ଘଟଣା ସାମ୍‌ନାକୁ ଆସୁଛି। ମୁଖ୍ୟତଃ ମାଲ୍‌ ପରିବହନ କରୁଥିବା ଟ୍ରକ୍‌ ଏବ˚ ଟ୍ୟାଙ୍କର‌୍‌କୁ ଡକାୟତ ଟାର୍ଗେଟ କରୁଥିବାରୁ ଗାଡ଼ି ମାଲିକ ଓ କର୍ମଚାରୀଙ୍କ ଭିତରେ ଆତଙ୍କ ସୃଷ୍ଟି ହେଲାଣି। ଏମାନେ ବିଳମ୍ବିତ ରାତିରେ ମାଲ୍‌ ନେବାକୁ ବି ଭୟ କଲେଣି।

୨୦୧୫, ମେ ୨୩ ତାରିଖରେ ପୁଲିସ ବିଭାଗ ପକ୍ଷରୁ ରାଜପଥ ଡକାୟତଙ୍କୁ ଦମନ ପାଇଁ ଏସ୍‌ପି/ଡିସିପିଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା କି, ରାଜରାସ୍ତାରେ ଡକାୟତଙ୍କ ଦମନ ପାଇଁ ରାସ୍ତା ପାର୍ଶ୍ବରେ ଥିବା ସମସ୍ତ ଥାନା ଆଇଆଇସି/ଓଆଇସି ଘଟଣା ଘଟିବା ପ‌ରେ ସଂଗେ ସଂଗେ ମାମଲା ରୁଜୁ କରି‌େବ। ନିଜ ଥାନା ପରିସର ନ ହୋଇଥିଲେ ସୁଦ୍ଧା ଉକ୍ତ ମାମଲାକୁ ଘଟଣା ଘଟିଥିବା ସମ୍ପୃକ୍ତ ଥାନାକୁ ପୁଲିସ ସ୍ଥାନାନ୍ତର କରିବାରେ ସହଯୋଗ କରିବ। ରାଜପଥ ପାର୍ଶ୍ବ ଢାବା ଏବ˚ ବାର‌୍‌ରେ ଡକାୟତମାନେ ଆଡ୍ଡା ଜମାଉଥିବାରୁ ଏଗୁଡ଼ିକ ନିୟମିତ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପଟେ ଏସ୍‌ପି/ଡିସିପିମାନେ ଟ୍ରକ୍‌ ଏବ˚ ଟ୍ୟାଙ୍କର‌୍‌ ମାଲିକ ସ˚ଘ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରି ସମସ୍ୟା ସମାଧାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ କୌଣସି ନିୟମ କାର୍ଯ୍ୟକାରୀ ହେଉନାହିଁ। ଟ୍ରକ୍‌ରେ ଆର‌୍‌ଟିଓଙ୍କ ସ୍ବୀକୃତିପ୍ରାପ୍ତ ସିସି କ୍ୟାମେରା ଏବ˚ ଜିପିଏସ୍‌ ଲଗାଇବାକୁ କୁହାଯାଇଥିଲା। ରାଜ୍ୟରେ ପ୍ରାୟ ୫୦ ହଜାର ଟ୍ରକ୍‌ରେ ସରକାରୀ ସ୍ବୀକୃତିପ୍ରାପ୍ତ ଯେଉଁ ଜିପିଏସ୍‌ ଲାଗିଛି, ସେଗୁଡ଼ିକ ମଧ୍ୟରୁ ହାରାହାରି ୨୫ ହଜାର ଗାଡ଼ି ଜିପିଏସ୍‌ କାମ କରୁନଥିବା ଅଭିଯୋଗ ହୋଇଛି।

ରାଜ୍ୟ ଟ୍ରକ୍‌ ମାଲିକ ମହାସ˚ଘର ସାଧାରଣ ସମ୍ପାଦକ ରବି ଶତପଥୀ ଅଭିଯୋଗ କରିଛନ୍ତି, ପୁଲିସର ରାଜପଥ ପାଟ୍ରୋଲି˚ ଆଦୌ ହେଉନାହିଁ। ରାଜପଥ ଡକାୟତଙ୍କୁ ଦମନ ପାଇଁ ଟ୍ରକ ମାଲିକ ସ˚ଘ ସହିତ ପୁଲିସ ଯେଉଁ ବୈଠକ କରିବାକୁ ଯୋଜନା ଥିଲା, ଏଯାଏ କୌଣସି ଜିଲ୍ଲାରେ ହୋଇନାହିଁ। ଡକାୟତି ସ˚କ୍ରାନ୍ତ ଏତଲା ଦେଲେ ରୁଜୁ କରିବାରେ ପୁଲିସ ସମୟ ଗଡ଼ାଉଛି। ଅପରାଧୀ ଖସିବାରେ ସହଜ ହେଉଛି। ଖଣିଜ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଗୁଡ଼ିକରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଯେଉଁ ଜିପିଏସ୍‌ ଲଗାଯାଉଛି, ପ୍ରାୟ ୨୫ ହଜାର ଗାଡ଼ିରେ ଜିପିଏସ୍‌ କାମ କରୁନଥିବା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋଟିଏ ପଟେ ଜିପିଏସ୍‌ ନଲଗାଇଲେ ଖଣି ଗାଡ଼ିରେ ମାଲ୍‌ ଲୋଡି˚ ହେଉନି, ଅନ୍ୟପଟେ ଜିପିଏସ୍‌ କାମ କରୁନଥିବାରୁ ଅଭିଯୋଗ କଲେ କେହି ଶୁଣୁନାହାନ୍ତି ବୋଲି ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର