ଜାଗୁଳାଇ ପୀଠରେ ପଣାପିଇ ୨୬ ଅସୁସ୍ଥ

ଶୋଇଥିବା ବେଳେ ଭାଡ଼ି ଖସି ପଡ଼ିବାରୁ ଦମ୍ପତି ମୃତ

ଭଣ୍ତାରିପୋଖରୀ/ଭଣ୍ତାରିପୋଖରୀ-୧, : ଲକଡାଉନ୍‌ ଯୋଗୁ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଅଞ୍ଚଳରେ ମହାବିଷୁବ ସ˚କ୍ରାନ୍ତି ଓ ହନୁମାନ ଜୟନ୍ତୀ ଫିକା ପଡିଯାଇଛି। କେବଳ ପାରମ୍ପରିକ ପୂଜାକୁ ଛାଡିଦେଲେ ପ୍ରମୁଖ ଦେବାଦେବୀ ପୀଠଗୁଡିକ ଜନଶୂନ୍ୟ ରହିଥିଲା। ତେବେ, ଏହାରି ଭିତରେ ସରସଦା ପଞ୍ଚାୟତ ପିରିପୁର ଗାଁରେ ଏକ ଅଘଟଣ ଘଟିଛି। ପଣା ପିଇ ୨୬ ଜଣ ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ବିଷୁବ ସ˚କ୍ରାନ୍ତି ଉପଲକ୍ଷେ ଗ୍ରାମର ବୁଢୀ ଜାଗୁଳାଇଙ୍କ ପୀଠରେ ଆଜି ପାରମ୍ପରିକ ପୂଜା ପରେ ପୀଠକୁ ବନ୍ଦ କରି ଦିଆଯାଇଥିଲା। ଗାଁର କିଛି ପିଲା, ମଧ୍ୟବୟସ୍କ ଓ ଯୁବତୀ ଠାକୁରାଣୀ ପୀଠରୁ ଅନତି ଦୂରରେ ପଣା ତିଆରି କରି ପିଇଥିଲେ। କିଛି ସମୟ ପରେ ପଣା ପିଇଥିବା ସମସ୍ତ ବ୍ୟକ୍ତି ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଭଣ୍ତାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ତରଫରୁ ଗାଁ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

ଶୋଇଥିବା ବେଳେ ଭାଡ଼ି ଖସି ପଡ଼ିବାରୁ ଦମ୍ପତି ମୃତ
ରା.ଉଦୟଗିରି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ କେରେଡାଙ୍ଗ ପଞ୍ଚାୟତ ତେରେମେଣ୍ତା ଗ୍ରାମରେ ଗତକାଲି ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବା ବେଳେ ଉପରେ ଥିବା ଘରର ଭାଡ଼ି ଖସି ପଡ଼ିବାରୁ ଘଟଣାସ୍ଥଳରେ ଶ୍ରୀପଇ ଶବର(୫୫) ଓ ତାଙ୍କ ପତ୍ନୀ ମାଳତୀ ଶବର(୪୮)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ସ୍ବାମୀ ଓ ସ୍ତ୍ରୀ ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ୧୨ଟା ସମୟରେ ଧାନ, ମାଣ୍ଡିଆ ଗଚ୍ଛିତ ରଖା ଯାଇଥିବା ଭାଡ଼ିଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା।

ଖବର ପାଇ ରା.ଉଦୟଗିରି ଥାନା ଅଧିକାରୀ ମମତା କୁମାରୀ ନାୟକ ଓ ଏସ୍‌ଆଇ ବିଶ୍ବଜିତ ଜେନା ଘଟଣାସ୍ଥଳରେ ପହଞ୍ଚି ସରଜମିନ୍‌ ତଦନ୍ତ କରିଥିଲେ। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ପୁଲିସ ଅପମୃତ୍ୟୁ ମାମଲା ରୁ୍ଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର