୧୩ ପରିବାରର ୨୮ବଖରା ଭସ୍ମୀଭୂତ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ବାରୋ ପଞ୍ଚାୟତ ଚବିଶପଡା ଗାଁରେ ଆଜି ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ପରିବାରର ୨୮ ବଖରା ଭସ୍ମୀଭୂତ ହୋଇଯାଇଛି। ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ସଂପୃକ୍ତ ପରିବାର ଗୁଡ଼ିକର ୬୦ରୁ ଅଧିକ ଲୋକ ବାସହରା ପାଲଟିଛନ୍ତି।

ସୂଚନା ଅନୁଯାୟୀ ମଧ୍ୟାହ୍ନରେ ପ୍ରଥମେ ସୁଦର୍ଶନ ରାଉତଙ୍କ ରୋଷେଇ ଘରୁ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିମିଷକ ମଧ୍ୟରେ ପଡୋଶୀ ଚମ୍ପାବତୀ ରାଉତ, ବଂଶୀଧର ରାଉତ, ରାଧାଶ୍ୟାମ ରାଉତ, ଘନଶ୍ୟାମ ରାଉତ, ବୁଦ୍ଧିରାମ ସାହୁ, ଅଜୟ ସାହୁ, ବାବୁ ସାହୁ, ସନାତନ ସାହୁ, ରାଜେଶ ସାହୁ, ଶାନ୍ତିଲତା ବିଶ୍ୱାଳ, ରାଧାରାଣି ବିଶ୍ୱାଳ, ଅଲେଖ ବିଶ୍ୱାଳଙ୍କ ଘରକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ସମ୍ପୃକ୍ତ ପରିବାରର ଧାନ, ଚାଉଳ, ଅଳଙ୍କାର, ନଗଦ ଟଙ୍କା, ଘରର ସମସ୍ତ ଆସବାବ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆଦି ପୋଡି ପାଉଁଶ ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ପ୍ରାୟ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ନିଆଁ ଲିଭାଉଥିବା ବେଳେ ଗାଁର ସଦାଶିବ ରାଉତ ପୋଡି ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ତିହିଡି, ଗଦି ଓ ଭଦ୍ରକରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲେ। ତେବେ ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତିହିଡି ପୁଲିସ ପହଞ୍ଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଅପରାହ୍ନରେ ତହସିଲ ପକ୍ଷରୁ ବିପନ୍ନମାନଙ୍କୁ ପଲିଥିନ୍‌ ପ୍ରଦାନ ଯୋଗାଇ ଦିଆଯାଇଛି। ଆସନ୍ତା କାଲି ତହସିଲଦାର ନିଜେ ତଦନ୍ତ କରିବେ ବୋଲି ସୂଚନା ମିଳିଛି। ସରପଞ୍ଚ ମାନସୀ ମଳିକ ଅଗ୍ନିବିପନ୍ନଙ୍କୁ ଭେଟି ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି। ପୂର୍ବତନ ସରପଞ୍ଚ ହରେକୃଷ୍ଣ ଜେନା, କାଁପଡା ସମିତିସଭ୍ୟ ଉଦ୍ଧବ ଚରଣ ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ବିଷ୍ଣୁ ମହାପାତ୍ର, ପାର୍ଥସାରଥି ମହାପାତ୍ର, ପୀତବାସ ମଳିକ ଓ ସ୍ଥାନୀୟ ମହାଦେବଡିହ ୱାର୍ଡର ବାସିନ୍ଦାମାନେ ବିପନ୍ନଙ୍କୁ ସହାୟତା କରିଛନ୍ତି।

ସମ୍ବନ୍ଧିତ ଖବର