ମୟୂରଭଞ୍ଜକୁ ଆସିଲା ପ୍ରଥମ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍, ଭଞ୍ଜପୁର ଷ୍ଟେସନରେ ଓହ୍ଲାଇଲେ ୨୮୪ ଯାତ୍ରୀ

ମୟୂରଭଞ୍ଜର ୨୧୮ ଓ ସୁନ୍ଦରଗଡ଼ର ୬୬, ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା

ବାରିପଦା: ମୟୂରଭଞ୍ଜକୁ ଆସିଲା ପ୍ରଥମ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍। ଜିଲ୍ଲାର ସଦରମହକୁମା ବାରିପଦାର ଭଞ୍ଜପୁର ଷ୍ଟେସନ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ୨୪ଟି ବଗି ବିଶିଷ୍ଟ ଏକ ସ୍ୱତନ୍ତ୍ର ଟ୍ରେନ୍ ଅପରାହ୍ନ ପ୍ରାୟ ୪.୫୬ ମିନିଟ୍ରେ ପହଞ୍ଚିଥିଲା। ୦୬୧୮୦ ନମ୍ବର ବିଶିଷ୍ଟ ଏହି ସ୍ୱତନ୍ତ୍ର ଟ୍ରେନ ତାମିଲନାଡୁର ତିରୁନେଲଭେଲିରୁ ବାହାରିଥିଲା। ଏହି ଷ୍ଟେସନରେ ଭଞ୍ଜପୁର ଷ୍ଟେସନରେ ମୋଟ ୨୮୪ ଯାତ୍ରୀ ଓହ୍ଲାଇଥିଲେ। ଏମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୨୧୮ ଜଣ ପ୍ରବାସୀ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ୬୬ଜଣ ଯାତ୍ରୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ୍ ଓ ବାରିପଦା ପୌରାଞ୍ଚଳକୁ ବାଦ ଦେଇ ଅନ୍ୟ ୨୫ଟି ବ୍ଲକକୁ ୨୧୮ ପ୍ରବାସୀ ମହିଳା ଓ ପୁରୁଷ ଆସିଥିଲେ। କୁଳିଅଣା ବ୍ଲକକୁ ସର୍ବାଧିକ ୬୯ ଜଣ ଆସିଥିବାବେଳେ କପ୍ତିପଦା, ରାସଗୋବିନ୍ଦପୁର, ତିରିଂ ଆଦି ବ୍ଲକକୁ ଜଣେ ଲେଖାଏଁ ଶ୍ରମିକ ରହିଥିବା ଜଣାପଡ଼ିଛି । ଏହି ପ୍ରବାସୀମାନେ ଭଞ୍ଜପୁର ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହା ପରେ ଷ୍ଟେସନ୍ ପରିସରରେ ଖୋଲାଯାଇଥିବା ୨୪ଟି ପଞ୍ଜିକରଣ କେନ୍ଦ୍ରରେ ପ୍ରବାସୀମାନଙ୍କର ନାମ ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହା ପରେ ସେମାନଙ୍କର ଖାଦ୍ୟ ପାନୀୟ ଆଦିର ବ୍ୟବସ୍ଥା କରାଯାଇ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଅଞ୍ଚଳର ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା।

ସ୍ୱତନ୍ତ୍ର ଟ୍ରେନ୍ରେ ଆସିଥିବା ଯାତ୍ରୀମାନଙ୍କ ସୁରକ୍ଷା ସହିତ କୋଭିଡ-୧୯ ସଂକ୍ରମଣର ସମ୍ଭାବନା , ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ନିଜ ନିଜ ଅଞ୍ଚଳର ସଂଗରୋଧ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତରିତ କରାଯିବା, ଆଇନଶୃଙ୍ଖଳା ପରିସ୍ଥିତି ଆଦିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହି ଷ୍ଟେସନ୍ର ୫୦୦ମିଟର ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ ୧୪୪ ଧାରା ପ୍ରୟୋଗ କରିଥିଲେ । ଆଜି ପୂର୍ବାହ୍ନ ୮ରୁ ବାରିପଦା ସହରର ଭଞ୍ଜପୁର ରେଳ ଷ୍ଟେସନଠାରୁ ୫ ଶହ ମିଟର ପରିସୀମା ମଧ୍ୟରେ ଏବଂ ଭଞ୍ଜପୁର ଛକରୁ ମୁର୍ଗାବାଡ଼ି ଛକ ପର୍ଯ୍ୟନ୍ତ ଏହି ୧୪୪ ଧାରାକୁ ଜାରି କରାଯାଇଥିଲା ।

ଏହି ଅବସରରେ ଷ୍ଟେସନରେ ସମସ୍ତ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିବା ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି. ପରମାରଙ୍କ ମିଳିତ ତତ୍ତ୍ୱାବଧାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ରେଳ ବିଭାଗର କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ଆଦିଙ୍କୁ ନେଇ ଏକ ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଥିଲା। ଏହି ସ୍ବତନ୍ତ୍ର ଟ୍ରେନ୍ ୨୪ ତାରିଖ ରାତି ପ୍ରାୟ ୧୧ଟାରେ ତାମିଲନାଡୁର ତିରୁନେଲଭେଲିରୁ ବାହାରି ମଦୁରାଇ, ତିରୁଚିରାପଲ୍ଲୀ, ଭେଲୁପୁରମ୍, ଚେନ୍ନାଇ, ବୁଡୁର୍, ବିଜୟୱାଡା, ଦୁବାରା, ଖୋର୍ଧାରୋଡ, ଯାଜପୁରରୋଡ, ଭଦ୍ରକ, ବାଲେଶ୍ବର ହୋଇ ବାରିପଦାର ଭଞ୍ଜପୁର ଷ୍ଟେସନରେ ପହଞ୍ଚିଥିଲା। ଏହି ଟ୍ରେନ୍ରେ ମୋଟ ୧୭ଶହ ଯାତ୍ରୀ ଆସିଥିଲେ। ଖୋର୍ଧାରୋଡ ଷ୍ଟେସନରେ ପ୍ରବାସୀମାନେ ଓହ୍ଲାଇବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର