ମହାପ୍ରଭୁଙ୍କ ସେବାରେ ୨୯ ଦିନର ଶିଶୁ ଦଇତାପତି, ସର୍ବକନିଷ୍ଠ ଦଇତା ହେଲେ ‘ଅକ୍ଷୟ’

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ପୂଜା ସ୍ୱତନ୍ତ୍ର ଓ ଅନନ୍ୟ। କାହିଁ କେଉଁ ଆବହମାନକାଳରୁ ଶ୍ରୀମନ୍ଦିରରେ ଚାଲି ଆସୁଥିବା ମହାପ୍ରଭୁଙ୍କ ସେବା ସହିତ ସଂପୃକ୍ତ ଦଇତାପତିଙ୍କ ସେବା ମଧ୍ୟ ନିଆରା। ଦେବସ୍ନାନ ପୂର୍ଣ୍ଣିମାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଗୁପ୍ତ ସେବା କରିଥାନ୍ତି ଦଇତା ସେବକ। ପ୍ରଚଳିତ ପ୍ରଥା ଅନୁସାରେ, ଦଇତାପତି ପରିବାରର ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ନିଜକୁ ମହାପ୍ରଭୁଙ୍କ ସେବାରେ ସମର୍ପଣ କରିଥାନ୍ତି। ପ୍ରଥମ ଥର ପାଇଁ ଆଜି ଜଣେ ୨୯ ଦିନର ‘ଶିଶୁ ଦଇତା’ ଜ୍ୱର ପୀଡିତ ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିର ଅଣସର ପିଣ୍ଡିକୁ ଯିବା ଘଟଣା କୌତୁହଳ ସୃଷ୍ଟି କରିଛି। ବାପାଙ୍କ କୋଳରେ ‘ଶିଶୁ ଦଇତାପତି’ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ସେବାରେ ନିଜକୁ ସର୍ମପଣ କରି ଫେରିଛନ୍ତି।

ପୁରୀ ଦୋଳମଣ୍ଡପ ସାହି ଦଇତାଗଳିର ସଞ୍ଜୟ ଦାସ ମହାପାତ୍ରଙ୍କ ସାନପୁଅ ଅକ୍ଷୟ ଦାସମହାପାତ୍ର (୨୯ ଦିନ) ଆଜି ମହାପ୍ରଭୁଙ୍କ ସେବା କରି ସର୍ବକନିଷ୍ଠ ଦଇତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସଞ୍ଜୟ ତାଙ୍କ ଶିଶୁପୁତ୍ରକୁ ନେଇ ଆଜି ଅଣସର ପିଣ୍ଡିକୁ ଯାଇ ୧୦ ମିନିଟ୍‌ ପରେ ଫେରି ଆସିଥିଲେ। ସଞ୍ଜୟଙ୍କ ମତରେ, ଜଣେ ଦଇତା ଶିଶୁପୁତ୍ର ୨୧ ଦିନ ହେଲା ପରେ ସେ ମହାପ୍ରଭୁଙ୍କ ଛୁଇଁ ପାରିବ। ଠିକଣା ସମୟରେ ପୁଅର ଜନ୍ମ ହୋଇଥିବାରୁ ସେ ଏ ପ୍ରକାର ମହାର୍ଘ ସୁଯୋଗ ପାଇଛି। ଏବେ ମହାପ୍ରଭୁଙ୍କ ସେବା ପାଇଁ ଦଇତାମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ‘ଶିଶୁ ଦଇତା ଅକ୍ଷୟ’ଙ୍କୁ ଏହି ସୁଯୋଗ ମିଳିଥିବାରୁ ତାଙ୍କ ପରିବାର ଏଥିରେ ବେଶ ଖୁସି ବୋଲି କହିଛନ୍ତି। ଏହା ପୂର୍ବରୁ ଏତେ କମ ଦିନର କେହି ‘ଶିଶୁ ଦଇତା’ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇନଥିଲେ। ଏ ଦୃଷ୍ଟିରୁ ଅକ୍ଷୟ ସର୍ବକନିଷ୍ଠ ଦଇତା ହେବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର