ଭୁବନେଶ୍ୱର: ସବୁଜ ମହାନଦୀ ମିସନ୍ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ୨୦୧୮-୧୯ ବର୍ଷରେ ମହାନଦୀର ଦୁଇ କୂଳରେ ଦୁଇ କୋଟି ଗଛ ଲଗାଯିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମହାନଦୀର ଭୂତଳ ଜଳର ସଂରକ୍ଷଣ ଓ ସଞ୍ଚାରଣକୁ ଦୃଷ୍ଟିରେ ରଖି ବ୍ୟାପକ ବୃକ୍ଷରୋପଣ କରାଯିବ। ଏହା ସହ ଇବ୍ ଓ ତେଲ୍ ନଦୀ କୂଳରେ ଗଛ ଲଗାଯିବ। ରାଜ୍ୟର ସମସ୍ତ ବଡ଼ ବଡ଼ ନଦୀ କୂଳରେ ମଧ୍ୟ ବ୍ୟାପକ ବ୍ୟକ୍ଷରୋପଣ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହାନଦୀର ଦୁଇ କୂଳରେ ଥିବା ସରକାରୀ ଓ ବେସରକାରୀ ସ୍ଥାନଗୁଡ଼ିକରେ ଏହି ବୃକ୍ଷରୋପଣ କରାଯିବ। ମହାନଦୀ କୂଳରେ ଜଙ୍ଗଲ ଜମିକୁ ବାଦ୍ ଦେଲେ ୭୫.୭୬୦ ହେକ୍ଟର୍ ସରକାରୀ ଜମି ଓ ୪୭,୪୭୦ ହେକ୍ଟର୍ ବେସରକାରୀ ଜମି ରହିଛି। ଏଠାରେ ମୁଖ୍ୟତଃ ଆମ୍ବ, ପଣସ ଓ ଜାମୁ ଆଦି ଗଛ ଲଗାଯିବ। ଏଥି ପାଇଁ ପଞ୍ଚାତୟ ଓ ବ୍ଲକ୍ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ କମିଟି ଗଠନ କରାଯିବ। ଏହା ବାଦ୍ ମହାନଦୀ ଉପକୂଳରେ ଥିବା ଜଙ୍ଗଲରେ ଜଳ ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ବ୍ୟାପକ ଭାବେ ଗ୍ରହଣ କରାଯିବ।
ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଉନ୍ନୟନ କମିସନର୍ ଆର୍ ବାଲକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।