ଦ୍ଵିତୀୟ ସମନ୍ଵୟ କମିଟି ବୈଠକ : ରଥଯାତ୍ରାରେ ୧୮୫ଟି ନୂଆ ଟ୍ରେନ୍‌

ଦାନ ସୂତ୍ରରେ ମିଳିବ ୧୬୭୦ ମିଟର ରଥ କନା, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୧୩୫ ପ୍ଲାଟୁନ୍‌ ଫୋର୍ସ

ପୁରୀ : ଚଳିତବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସନ୍ତା ଜୁଲାଇ ୧୪ ତାରିଖରୁ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଏହି ସମୟରେ ଦେଶ ବିଦେଶରୁ ପ୍ରାୟ ୨୦ରୁ ୩୦ ଲକ୍ଷ ଭକ୍ତଙ୍କ ସମାଗମ ପୁରୀରେ ହେବ।

ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ସହରର ପରିମଳ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବା ପାଇଁ ସ୍ଥିର ହୋଇଛି। ଏହି ସମସ୍ତ ପ୍ରସଙ୍ଗ ଗତ ଏପ୍ରିଲ ୫ ତାରିଖ ଦିନ ଅନୁଷ୍ଠିତ ପ୍ରଥମ ସମନ୍ଵୟ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ଵିତୀୟ ସମନ୍ଵୟ କମିଟି ବୈଠକ ସ୍ଥାନୀୟ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ନଗରପାଳ ଜୟନ୍ତ ଷଡ଼ଙ୍ଗୀ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସପି ଡା. ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ଦାସ, ଅତିରିକ୍ତ ଜିଲ୍ଲାପାଳ ବିଭୁତିଭୂଷଣ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଏଠାରେ ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ଯୋଗାଣ ଓ ରଥକନା ସଂଗ୍ରହ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ ଶ୍ରୀ ଦାସ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରଥକନା ଦାନ ସୂତ୍ରରେ ମିଳିବ।

ଅହମ୍ମଦାବାଦର ଜି. ଭଗତ ୧୬୭୦ ମିଟର କନା ଯୋଗାଇଦେବେ। ସେହିପରି କତା ନିଗମ ରଥ ଦଉଡ଼ି ଯୋଗାଇଦେବ ବୋଲି ସେ ସୂଚନା ଦେବା ସହିତ ଝୁଣା, ଲାଗି ଲୁଗା, ବାସୁଙ୍ଗିପାଟ, ଚନ୍ଦନକାଠ ଓ ବିଜେ ଡୋରି ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ମଧୁରଜଳ ସଂରକ୍ଷିତ ଅଞ୍ଚଳରେ ଥିବା ବସ୍ତି ଉଚ୍ଛେଦକୁ ନେଇ ଏଠାରେ ଚର୍ଚ୍ଚା ହୋଇଥିଲା। ବସ୍ତିବାସିନ୍ଦାଙ୍କୁ ଥଇଥାନ ସମ୍ପର୍କରେ ଆଲୋଚନା ପରେ ସେମାନଙ୍କୁ ଏହି ଅଞ୍ଚଳରୁ ଉଚ୍ଛେଦ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅଞ୍ଚଳରୁ ମଧୁରଜଳ ସ୍ତର କମି ଯାଉଥିବା ନେଇ ଆଲୋଚନା ହେବା ସମୟରେ ଆଗାମୀ ଦିନରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ହରପ୍ରସାଦ ପଟ୍ଟନାୟକ ସୂଚନା ଦେବା ସମୟରେ ସମୁଦ୍ରକୂଳ ଅଞ୍ଚଳରେ ପୋଚା ମାଛ ବିକ୍ରି କରାଯାଉଥିବା ବେଳେ ସେଗୁଡ଼ିକ ଉପରେ କାହିଁକି ନିୟନ୍ତ୍ରଣ କରାଯାଉନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହା ଉପରେ ହସ୍ତକ୍ଷେପ କରି ରାଜସ୍ୱ ଆୟୁକ୍ତ କହିଲେ, ଆଜି ଠାରୁ ପ୍ରତ୍ୟେକ ଦିନ ଏହି ଅଞ୍ଚଳରେ ଚଢ଼ଉ କରାଯାଇ ପୋଚା ମାଛ ବିକ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥି ନେଇ ଜନସାଧାରଣ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

ସେହିପରି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଳିଆପଣ୍ଡା ଅଞ୍ଚଳରେ ବିଭିନ୍ନ ହୋଟେଲମାନଙ୍କରେ ବୋରୱେଲରେ ଖାରିପାଣି ଆସୁଥିବା ନେଇ ସୂଚନା ଦେଇଥିଲେ। ଏହି ଅଞ୍ଚଳରେ ପ୍ରାୟ ୫୯ଟି ହୋଟେଲ ବେଆଇନ ଭାବେ ଭୂତଳ ଜଳକୁ ବ୍ୟବହାର କରୁଥିବା ଜଣାପଡ଼ିଛି। ତେଣୁ ସେମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସହରାଞ୍ଚଳରେ କେତେକ ବ୍ୟବସାୟୀ ଭୂତଳ ଜଳକୁ ବ୍ୟବହାର କରି ବଟଲିଂ ପ୍ଲାଣ୍ଟ କରି ପାଣି ବିକ୍ରି କରୁଥିବା ସମ୍ପର୍କରେ ଅଭିଯୋଗ ହେବାରୁ ଏହି ପ୍ଲାଣ୍ଟଗୁଡ଼ିକୁ ବନ୍ଦ କରିଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେସୁ ପକ୍ଷରୁ ଚାରିଟି ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ରଥଯାତ୍ରା ସମୟରେ ପୁରୀର ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ କରାଯିବ ବୋଲି ସେସୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି। ପୁରୀରେ ମାତ୍ରାଧିକ ଅଟୋ ଚଳାଚଳ କରୁଥିବା ନେଇ ଅଭିଯୋଗ ହେବାରୁ ଆଗାମୀ ଦିନରେ ସେମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଚର୍ଚ୍ଚା ହୋଇଥିଲା। ରଥଯାତ୍ରା ସମୟରେ ପୁରୀକୁ ୧୮୫ଟି ନୂଆ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇ ଥିଲା। ଯାତ୍ରୀମାନଙ୍କ ସୁବିଧା ପାଇଁ ୪ଟି ଅତିରିକ୍ତ ଟିକଟ କାଉଣ୍ଟର ସୃଷ୍ଟି କରାଯାଉଛି। ଟ୍ରେନଗୁଡ଼ିକର ସମୟ ସାରଣୀ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ସାଇନେଜ ମାଧ୍ୟମରେ ସୂଚିତ କରାଯିବ । ସେହିପରି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ୨୫୦ ଜଣ ଆରପିଏଫ୍‌ ପୁଲିସ ଯାତ୍ରୀମାନଙ୍କର ସୁରକ୍ଷା ଦିଗରେ କାର୍ଯ୍ୟ କରିବେ।

ପୁରୀରେ ଯାତ୍ରୀମାନଙ୍କ ପାଇଁ ପ୍ରାୟ ୨୫ଟି ପାର୍କିଂ ଅଞ୍ଚଳ ସୃଷ୍ଟି କରାଯାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପ୍ରାୟ ୧୩୫ ପ୍ଲାଟୁନ୍‌ ପୁଲିସ ଫୋର୍ସ, ଏକ ହଜାର ଅଫିସର, ୨୫୦୦ ଜଣ ଗୃହରକ୍ଷୀ, ଆଣ୍ଟି ଟେରରିଷ୍ଟ ୱିଙ୍ଗ, ବୋମା ନିଷ୍କ୍ରିୟ ଟିମ୍‌, ଗୁଇନ୍ଦା ବିଭାଗ ଟିମ୍‌ ପ୍ରମୁଖ ରଥଯାତ୍ରା ସମୟରେ ନିୟୋଜିତ ହୋଇ ନିଜ ନିଜର କର୍ତ୍ତବ୍ୟ କରିବେ ବୋଲି ଏସପି ଡା. ଷଡ଼ଙ୍ଗୀ ସୂଚନା ଦେଇଥିଲେ। ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ସମୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରୁ ନାଳଗୁଡ଼ିକରୁ ଜାଗୃତି ସହଯୋଗରେ ପଙ୍କ ବାହାର କରାଯାଇଛି। ତେବେ ଆଉ ତିନି ଦିନ ପରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାକୁ ଥିବା ବେଳେ ଏପର୍ଯ୍ୟନ୍ତ ବଡ଼ଶଙ୍ଖ ଛକଠାରୁ ବାଙ୍କିମୁହାଣ ପର୍ଯ୍ୟନ୍ତ ନାଳରୁ ପଙ୍କ ସଫା ହୋଇନଥିବା ଜଣାପଡ଼ିଥିଲା। ତେଣୁ ଏନେଇ ବୈଠକରେ ରାଜସ୍ୱମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା କାଲିଠାରୁ ଯୁଦ୍ଧକାଳୀନ ପରିସ୍ଥିତିରେ ଏହାକୁ ସଫା କରାଯିବ ବୋଲି ଶ୍ରୀ ତରାଇ ପ୍ରତିଶୃତି ଦେଇଥିଲେ।

ସମ୍ବନ୍ଧିତ ଖବର