ବଜ୍ରକାପ୍ତା ଚୋରାଚାଲାଣ : ଅଲ୍ଲୀ ସମେତ ୩ ଅଭିଯୁକ୍ତ ଜେଲ୍‌ ଗଲେ

୭ ଦିନ ରିମାଣ୍ଡ ଆବେଦନ କଲା ବନବିଭାଗ, ନରାଜ ପେଣ୍ଠସ୍ଥଳ, କଟକର ୧୦ ସାମିଲ

କଟକ : ବଜ୍ରକାପ୍ତା ଚୋରା ଚାଲାଣ ଘଟଣାର ଅନ୍ୟତମ ମୁଖ୍ୟ  କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀ, ତା’ର  ସହଯୋଗୀ ବାଙ୍କୀ ଥାନା ଗୟଳବାଙ୍କ ଗ୍ରାମର ସନ୍ତୋଷ ଦାସ ଓ ମାଳବିହାରପୁର ଗ୍ରାମର ହାଡ଼ିବନ୍ଧୁ ଜେନାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଘଟଣାର ଅଧିକ ତଦନ୍ତ ପାଇଁ ୩ଜଣଙ୍କୁ ସାତ ଦିନ ରିମାଣ୍ଡରେ ଆଣିବା ପାଇଁ ବନବିଭାଗ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଗତକାଲି ଜବତ ହୋଇଥିବା ବଜ୍ରକାପ୍ତାର ଆଜି ବ୍ୟବଚ୍ଛେଦ କରାଯାଇଥିବା ବେଳେ ବଜ୍ରକାପ୍ତ।କୁ ୮/୧୦ଦିନ ଅଖା ବସ୍ତାରେ ବାନ୍ଧି ରଖାଯିବା ଫଳରେ ଶ୍ବାସରୁଦ୍ଧ ହୋଇ ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି କାରବାରରେ କଟକର ୧୦ରୁ ଅଧିକ ସମ୍ପୁକ୍ତ ଥିବା ବେଳେ ସେମାନେ ଗଞ୍ଜେଇ, ମାଛ ସହିତ ବଜ୍ରକାପ୍ତା ଚୋରା ଚାଲାଣ ରାକେଟରେ ସଂପୃକ୍ତ ଥିଲେ ଏବଂ ନରାଜ ହିଁ ସେମାନଙ୍କର ପେଣ୍ଠସ୍ଥଳ ଥିବା ତଦନ୍ତରୁ ଜଣା ପଡ଼ିଛି।

ସୂଚନା ଅନୁଯାୟୀ ଗତକାଲି ସନ୍ତୋଷ ନିକଟରୁ  ୭ କେଜି ଓଜନର ଏକ ମାଈ ବଜ୍ରକାପ୍ତା ଜବତ କରାଯାଇଥିଲା। ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତ କରାଗଲେ ଅନେକ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। କିନ୍ତୁ ତଦନ୍ତରୁ ଏଯାଏ ମିଳିଥିବା ସୂଚନା ଅନୁଯାୟୀ ବକ୍ସିବଜାର ଅଞ୍ଚଳର ମହମ୍ମଦ ଅଲ୍ଲୀ ବସ୍‌ ଓ ଟ୍ରେନ୍‌ରେ ବଜ୍ରକାପ୍ତା ଚାଲାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଥିଲା। ଆଠଗଡ଼, ନରସିଂହପୁର, ନୟାଗଡ଼, ଢେଙ୍କାନାଳ, ବୌଦ୍ଧ ଓ ଅନ୍ୟାନ୍ୟ ଅଞ୍ଚଳରୁ ମାଫିଆମାନେ ବଜ୍ରକାପ୍ତା ଆଣି ବକ୍ସିବଜାରରେ ମହମ୍ମଦକୁ ଦେଉଥିଲେ। ମହମ୍ମଦ ବଜ୍ରକାପ୍ତା ଓ କାତି ସବୁକୁ ‌କଟକରୁ ଟ୍ରେନ୍‌ ଓ ବସ୍‌ରେ କୋଲକାତା ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ପଠାଉଥିଲା‌। ଇଞ୍ଚ୍‌ ଅନୁସାରେ ବଜ୍ରପାପ୍ତା କାତିର ଦର ନିର୍ଦ୍ଧାରଣ କରି ହ୍ବାଟ୍‌ସ୍‌ ଆପ୍‌ରେ ଦୀର୍ଘ ‌ଦୁଇ ବର୍ଷରୁ ଅଧିକ ସମୟ ଧରି ମହମ୍ମଦ ବେପାର ଚଳାଇଥିଲା। ଅନଲାଇନ୍‌ରେ ସେ ବେପାର ସମ୍ପର୍କରେ ତାଲିମ୍‌ ଦେଉଥିଲା। ଆଠଗଡ଼ ଡିଏଫ୍‌ଓଙ୍କ ନେତୃତ୍ବରେ ବନବିଭାଗର ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ସନ୍ତୋଷ ଓ ହାଡ଼ିବନ୍ଧୁକୁ ଗିରଫ କରିଥିଲା। ସନ୍ତୋଷକୁ ନରାଜଠାରୁ ଗିରଫ କରାଯିବା ସମୟରେ ତା’ ପାଖରୁ ଏକ ୭କେଜି ଓଜନର ବଜ୍ରକାପ୍ତା ଜବତ କରାଯାଇଥିଲା। ପଚରାଉଚରା ସମୟରେ ଏହି ବଜ୍ରକାପ୍ତା କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀକୁ ଦେଇଥାନ୍ତା ବୋଲି ସନ୍ତୋଷ କହିଥିଲା। ମହମ୍ମଦ ଅଲ୍ଲୀ ନରାଜକୁ ଆସି ଏହି ବଜ୍ରକାପ୍ତା ନେବାର ଯୋଜନା ରହିଥିବା ସନ୍ତୋଷଠାରୁ ସୂଚନା ମିଳିବାରୁ ବନବିଭାଗ ଟିମ୍‌ ନରାଜରେ ଅପେକ୍ଷା କରି ରହିଥିଲା। ସେମାନେ ସନ୍ତୋଷଠାରୁ ଅଲ୍ଲୀର ମୋବାଇଲ୍‌ ନମ୍ବର ନେଇ ନାଟକୀୟ ଢଙ୍ଗରେ ତା’ ସହ ବେପାରୀ ସାଜି କଥା ହୋଇଥିଲେ। ବଜ୍ରକାପ୍ତା ଅଛି ଓ ବିକ୍ରି କରିବା ପାଇଁ ଚାହୁଛନ୍ତି ବୋଲି ବନବିଭାଗ ଟିମ୍‌ କହିବାରୁ ମହମ୍ମଦ ଉକ୍ତ ବଜ୍ରକାପ୍ତାର ଫଟୋ ହ୍ବାଟ୍‌ସଆପ୍‌ରେ ଫଟୋ ପଠାଇବାକୁ କହିଥିଲା। ବଜ୍ରକାପ୍ତାର ଫଟୋ ପଠାଇବା ପରେ କାତିର ଲମ୍ବ ଅନୁସାରେ ୧୦ହଜାର ଟଙ୍କା ଦେବାକୁ କହି ଅପରାହ୍ନ ୫ଟାରେ ନରାଜଠାରେ ବଜ୍ରକାପ୍ତା ଧରି ପହଞ୍ଚିବାକୁ ଅଲ୍ଲୀ ସମୟ ଦେଇଥିଲା। ସେହି ଅନୁସାରେ ବନକର୍ମଚାରୀମାନେ ନରାଜ୍‌ଠାରେ ପହଞ୍ଚିବା ବେଳକୁ ମହମ୍ମଦ ସେଠାରେ ଉପସ୍ଥିତ ଥିଲା। ବନକର୍ମଚାରୀ ତାକୁ ବଜ୍ରକାପ୍ତା ଦେଖାଇ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର